ବ୍ରହ୍ମପୁର,୦୮/୦୩(ପିପିଟି):ଆର୍ନ୍ତଜାତୀୟ ମହିଳା ଦିବସ ଅବସରରେ ସର୍ବଭାରତୀୟ ଶ୍ରମିକ ସଂଗଠନ ଆଇଏଫଟିୟୁ ପକ୍ଷରୁ ଶ୍ରମଜୀବୀ ମହିଳାଙ୍କ ଏକ ସମାବେଶ ବ୍ରହ୍ମପୁର ଗେଟବଜାରସ୍ଥିତ ଏନଜିଓ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଆଇଏଫଟିୟୁର ରାଜ୍ୟ କମିଟି ସଦସ୍ୟା ସଂଯୁକ୍ତା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ବିଶିଷ୍ଟ ପ୍ରଗତିଶୀଳ ଲେଖିକା ଡଃ ବିଧୂପ୍ରଭା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନର ସମାଜକୁ ପୁରୁଷତାନ୍ତ୍ରିକ ବୋଲି କହିବା ସହ ସମସ୍ତ ପ୍ରକାରର ଲିଙ୍ଗଗତ ଭେଦଭାବ ଓ ହିଂସାର ବିରୋଧ କରିବାକୁ ଡାକରା ଦେଇଥିଲେ ।
ଆଜିକୁ ୧୧୫ ବର୍ଷ ତଳେ ଜର୍ମାନୀର ବିଶିଷ୍ଟ ସମାଜବାଦୀ ମହିଳା ନେତ୍ରୀ କ୍ଳାରା ଜେଟକିନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାଜବାଦୀ ମହିଳାଙ୍କ ଦ୍ଵିତୀୟ ଆନ୍ତର୍ଜାତୀୟ ସମ୍ମିଳନୀରେ ପ୍ରତିବର୍ଷ ମାର୍ଚ୍ଚ ଆଠ ତାରିଖକୁ ଆର୍ନ୍ତଜାତୀୟମହିଳା ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ବୋଲି ସେ କହିଥିଲେ । ସେହିଦିନ ଠାରୁ ମହିଳାମାନଙ୍କ ସଂଘର୍ଷ ଓ ଏକତାର ପ୍ରତୀକ ଭାବେ ଏହି ଦିବସକୁ ସାରା ବିଶ୍ଵରେ ପାଳନ କରାଯାଉଛି ।
ଦେଶ ସ୍ଵାଧୀନ ହେବାର ଅଶୀ ବର୍ଷ ହେବାକୁ ଯାଉଛି, ଅଥଚ ଆମ ସମାଜରେ ମହିଳାଙ୍କୁ ପୁରୁଷମାନଙ୍କ ପରି ସମାନ ଅଧିକାର ନ ମିଳିବା ଚିନ୍ତାର ବିଷୟ ବୋଲି କହିଥିଲେ । ପରିବାର ଓ ସମାଜରେ ଥିବା ରୁଢିବାଦୀ ଶକ୍ତିଙ୍କ ପ୍ରଭାବ ଯୋଗୁଁ ମହିଳାମାନେ ଆଜି ବି ନିଜ ପସନ୍ଦରେ ପୋଷାକ ପିନ୍ଧିବା, ପେଷା କରିବା କିମ୍ବା ଜୀବନସାଥୀ ବାଛିବା ସମ୍ଭବ ହୋଇପାରୁନି ବୋଲି ସେ କହିଥିଲେ ।
ସରକାରଙ୍କ କେତେକ ନୀତି ଓ କାର୍ଯ୍ୟକ୍ରମ ଯୋଗୁଁ ସମାଜରେ ମହିଳାମାନେ କିପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେ ତାର ଉଦାହରଣ ଦେଇ ବର୍ଣ୍ଣନା କରିଥିଲେ । ଯୁଦ୍ଧ ନାଁରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ପିଛା ଷାଠିଏ ଟଙ୍କା ବୣଦ୍ଧିର ଉଲ୍ଲେଖ କରି ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୣଦ୍ଧିର ସଵୁଠାରୁ ବଡ ଶିକାର ମହିଳାମାନେ ବୋଲି କହିଥିଲେ । ପୂର୍ବରୁ ଦେଶର ଗ୍ରାମାଞ୍ଚଳର ଶ୍ରମିକମାନଙ୍କ ପାଇଁ ବର୍ଷକୁ ଶହେ ଦିନ କାମ ଯୋଗାଇବାକୁ ରହିଥିବା ସବୁଠାରୁ ବଡ ସରକାରୀ କାର୍ଯ୍ୟକ୍ରମ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ନିଶ୍ଚିତ ରୋଜଗାର ଆଇନ ବା ‘ମନରେଗା’ରେ ବହୁ ପରିମାଣରେ ଗ୍ରାମୀଣ ମହିଳା କାମ ପାଉଥିଲେ । କିନ୍ତୁ ନିକଟରେ ସରକାର ତାକୁ ଉଚ୍ଛେଦ କରି ତା’ରି ସ୍ଥାନରେ ଯେଉଁ ବିଭି ଜି ରାମଜୀ ଆଇନ ଆଇନ ଆଣିଛନ୍ତି, ତା’ରି ଫଳରେ ଗ୍ରାମୀଣ ମହିଳାମାନେ ସବୁଠାରୁ ବେଶୀ କାମ ହରାଇବାକୁ ଯାଉଛନ୍ତି ବୋଲି କହିଥିଲେ । ସେହିପରି ସରକାର ଚାରି ଶ୍ରମକୋଡ ନାଁରେ ପୂର୍ବରୁ ରହିଥିବା ଶ୍ରମ ଅଧିକାର ସବୁ ଉଚ୍ଛେଦ କରିବା ଫଳରେ ମହିଳା ଶ୍ରମିକମାନଙ୍କ ଅଧିକାର ସଙ୍କୁଚିତ ହେବାକୁ ଯାଉଛି । ନିକଟରେ ସରକାର ପୁଞ୍ଜିପତି ଓ ବଡ ବ୍ୟବସାୟୀଙ୍କ ସ୍ଵାର୍ଥରେ ବିନା କୌଣସି ସୁରକ୍ଷା ବ୍ୟବସ୍ଥାରେ ମହିଳା କର୍ମଚାରୀଙ୍କୁ ରାତ୍ରୀକାଳୀନ ସିଫ୍ଟରେ ନିୟୋଜିତ କରିବାକୁ ନିଷ୍ପତି ନେଇଛନ୍ତି, ତାହା ସେମାନଙ୍କ ସୁରକ୍ଷାକୁ ବିପନ୍ନ କରିବ ବୋଲି ସେ ଚେତାବନୀ ଦେଇଥିଲେ ।
ଅନ୍ୟତମ ଅତିଥି ଭାବେ ଯୋଗଦେଇ ଯୁବ ଅଧ୍ୟାପିକା ସନ୍ଧ୍ୟାରାଣୀ ବେହେରା ସମାଜରେ ରହିଥିବା ଲିଙ୍ଗଗତ ଭେଦଭାବ ଓ ହିଂସାର ଉଲ୍ଲେଖ କରି ନିଜର ଅଧିକାର ଓ ଆତ୍ମସମ୍ମାନ ପାଇଁ ସଂଘର୍ଷ କରିବାକୁ ଆହ୍ୱାନ ଦେଇଥିଲେ । କେବଳ ଲିଙ୍ଗଗତ ହିଁ ନୁହେଁ ସମାଜରେ ରହିଥିବା ସମସ୍ତ ପ୍ରକାର ଅସମାନତା ବିରୁଦ୍ଧରେ ସଂଗ୍ରାମ କରିବାକୁ ପଡିବ । ଉଭୟ ଘରେ, ବାହାରେ ଏବଂ କାର୍ଯ୍ୟସ୍ଥଳରେ ହେଉଥିବା ସମସ୍ତ ପ୍ରକାର ଲିଙ୍ଗଗତ ଭେଦଭାବ ଓ ହିଂସାର ବିରୋଧ କରିବାକୁ କହିଥିଲେ । ଆଜି ଯେତେବେଳେ ବିଶ୍ଵରେ ଯୁଦ୍ଧର ପରିସ୍ଥିତି ସୣଷ୍ଟି ହୋଇଛି ତା’ର ସବୁଠାରୁ ବଡ ଶିକାର ମହିଳା ହୋଇଥାନ୍ତି । ଇରାନରେ ବୋମାମାଡରେ ଯେଉଁଭଳି ୧୬୫ ଜଣ ସ୍କୁଲ ଛାତ୍ରୀ ପ୍ରାଣ ହରାଇଛନ୍ତି,ତାହା ଅତ୍ୟନ୍ତ ହୣଦୟ ବିଦାରକ ଓ ନିନ୍ଦନୀୟ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପୌର କର୍ମଚାରୀ ନେତ୍ରୀ ବବିତା ପାଢ଼ୀ, ମେଡିକାଲ କର୍ମଚାରୀ ନେତ୍ରୀ ରାଧିକା ବିଷୋୟୀ, ସଫେଇ କର୍ମଚାରୀ ନେତ୍ରୀ ନମିତା ନାୟକ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି ମହିଳାଙ୍କ ଅଧିକାର ପାଇଁ ସଂଗ୍ରାମ କରିବାକୁ ଆହ୍ୱାନ ଦେଇଥିଲେ । ରାଧିକା ବିଷୋୟୀ ଧନ୍ୟବାଦ ପ୍ରଦାନ କରିଥିଲେ ।