ଧାର ଟଙ୍କା ନ ଫେରେଇବାରୁ କୋର୍ଟ ସମ୍ମୁଖରେ ହତ୍ୟା ।

0 89

ଭଞ୍ଜନଗର ୦୬/୦୩(ପିପିଟି):ଭଞ୍ଜନଗର କୋର୍ଟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ବୁଦୁଲି ଗ୍ରାମର ଅଶୋକ ସ୍ବାଇଁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ଗତକାଲି ଗିରଫ କରିଥିବା ଅଭିଯୁକ୍ତ ଦିଲ୍ଲୀପ କୁମାର ଜେନାଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଭଞ୍ଜନଗର ଜେଲ ହାଜତକୁ ପଠାଇ ଦିଆଯାଇଛି।
ଘଟଣାରୁ ପ୍ରକାଶ ଯେ ଅଶୋକ କିଛି ବର୍ଷ ପୂର୍ବେ ଦିଲ୍ଲୀପଙ୍କ ସ୍ତ୍ରୀଙ୍କ ଠାରୁ କିଛି ଅଳଙ୍କାର ଓ ଟଙ୍କା ଧାର ନେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଉକ୍ତ ଟଙ୍କା ଓ ଅଳଙ୍କାର ଅଶୋକ ଫେରାଇ ନ ଥିଲେ। ଯାହାକୁ ନେଇ ଦିଲ୍ଲୀପ ଓ ଅଶୋକ ମଧ୍ୟରେ ବିବାଦ ଦେଖା ହେବା ସହ ୨୦୨୪ ଅଗଷ୍ଟ ମାସରେ ଗଣ୍ଡଗୋଳ ହୋଇଥିଲା। ସେ ସମୟରେ ଦିଲ୍ଲୀପଙ୍କ ସ୍ତ୍ରୀ ଥାନାରେ ଅଶୋକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଫଳରେ ସେ ସମୟରେ ଅଶୋକଙ୍କୁ ପୋଲିସ ଗିରଫ କରିଥିଲା। ଏହାର ୬ ମାସ ପରେ ଅଶୋକ ଜାମିନରେ ଆସିଥିଲେ। ଗତକାଲି ଉକ୍ତ ମାମଲାର ହାଜିରା ପକାଇବାକୁ ଅଶୋକ କୋର୍ଟକୁ ଆସିଥିଲେ। ଫେରିବା ସମୟରେ ପୂର୍ବରୁ କୋର୍ଟ ସମ୍ମୁଖରେ ହିଁ ଛପି ରହିଥିବା ଦିଲ୍ଲୀପ ଅଶୋକଙ୍କୁ ଟାଙ୍ଗିଆରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ଅଶୋକଙ୍କ ମୃତ୍ୟୁ ଘଟିଥିଲା। ଏଥିସହ ଲୋକେ ଅଭିଯୁକ୍ତ ଦିଲ୍ଲୀପଙ୍କୁ କାବୁ କରି ପୋଲିସରେ ଜିମା ଦେଇଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.