ବିଧାନସଭା ପରିସରରେ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ।

0 206

ଭୁବନେଶ୍ୱର,୨୮/୦୨(ପିପିଟି):ମହାନ୍‌ ବୀର ପୁରୁଷ ଓ ଭାରତର ସର୍ବଶ୍ରେଷ୍ଠ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ୧୮୦୯ ମସିହା ଜାନୁଆରୀ ମାସ ୨୩ ତାରିଖ ଦିନ ସମ୍ବଲପୁର ସହରର ଉତ୍ତରକୁ ପ୍ରାୟ ୨୧ ମାଇଲ ଦୂରରେ ଅବସ୍ଥିତ ବରଗାଁ ବା ଖିଣ୍ଡା ଗ୍ରାମରେ ଚୌହାନ୍‌ ରାଜପରିବାରରେ ଜନ୍ମଗ୍ରହଣ କରିଥିଲେ । ପଶ୍ଚିମ ଓଡ଼ିଶାରେ ୧୮୨୭ ମସିହାରେ ବୀର ସୁରେନ୍ଦ୍ର ସାଏ ସ୍ୱାଧୀନତା ସଂଗ୍ରାମର ଅଗ୍ନିଶିଖାକୁ ପ୍ରଜ୍ୱଳିତ କରି ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ । ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା ସମ୍ବଲପୁର ମାଟିରୁ ବି୍ରଟିଶ ଶାସନ ଲୋପ କରିବା । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଅଧିକ ସୁସଙ୍ଗଠିତ,ସୁସଂହତ ତଥା ବୀରତ୍ୱପୂର୍ଣ୍ଣ ଥିଲା । ସୁରେନ୍ଦ୍ର ସାଏଙ୍କ କୌଶଳପୂର୍ଣ୍ଣ ଗରିଲା ଯୁଦ୍ଧ, ରଣସଜ୍ଜା, ଦୃଢ଼ ମନୋବଳ, ଅସୀମ ଧୈର୍ଯ୍ୟ ଓ ସାହସ ନିକଟରେ ଇଂରେଜମାନେ ହାର ମାନିଥିଲେ । ଓଡ଼ିଶାର ଏହି ବରପୁତ୍ର, ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ବିପ୍ଳବର ଜୟଗାଥା ଓଡ଼ିଶା ଇତିହାସରେ ଚିରଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ପୃଷ୍ଠା ମଣ୍ଡିତ କରୁଥିବ ।
ଆଜି ବୀର ସୁରେନ୍ଦ୍ର ସାଏଙ୍କ ୧୪୨ତମ ଶ୍ରାଦ୍ଧଦିବସ ବିଧାନସଭା ପରିସରରେ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ସୁରମା ପାଢ଼ୀ,ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, କଂଗ୍ରେସ ଦଳର ନେତା ରାମଚନ୍ଦ୍ର କାଡ଼ାମ, ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ଉତ୍କଳ ସମ୍ମିଳନୀର କାର୍ଯ୍ୟକର୍ତ୍ତା ଓ ବିଧାନସଭା ସଚିବ ସତ୍ୟବ୍ରତ ରାଉତ ପ୍ରମୁଖ ଉପସ୍ଥିତ ରହି ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା । ଲୋକସମ୍ପର୍କ ଅଧିକାରୀ ଅଂଶୁମାନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.