ଯୁବ ପିଢ଼ିଙ୍କ ପାଇଁ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ।

0 0

ଯାଜପୁର,୨୭/୦୨(ପିପିଟି): ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ଜିଲ୍ଲା ପ୍ରଶାସନ ଦ୍ବାରା ସ୍ଥାନୀୟ ଏନସି କଲେଜ ପଡ଼ିଆଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଯୁବ ପିଢ଼ିଙ୍କ ଦକ୍ଷତା ବିକାଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ଏହି ମେଳା ଆୟୋଜିତ କରାଯାଇଛି। ଜିଲ୍ଲା ତଥା ଜିଲ୍ଲା ବାହାର ପ୍ରତିଷ୍ଠିତ ପ୍ରାୟ ୪୩ ଗୋଟି ବେସରକାରୀ ସଂସ୍ଥାର ନିଯୁକ୍ତିଦାତାଙ୍କ ସମେତ ୨୪ ଟି ଦକ୍ଷତା ବିକାଶ ତାଲିମ୍ ପ୍ରଦାନକାରୀ ସଂସ୍ଥାର ପ୍ରତିନିଧି ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ପ୍ରତିବର୍ଷ ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଆୟୋଜନ କରାଯାଏ, ଯାହା ଆମ ଯୁବ ପିଢ଼ିଙ୍କ ଦକ୍ଷତାର ସଦୁପଯୋଗ କରିବା ପାଇଁ ଏକ ଉତ୍ତମ ପ୍ଲାଟଫର୍ମ। ଯୁବ ପିଢ଼ି ଏବଂ ବୈଷୟିକ ଶିକ୍ଷା ସମାପ୍ତ କରିଥିବା ଛାତ୍ର ଛାତ୍ରୀମାନେ ଏଠାରେ ନିମନ୍ତ୍ରିତ ହୋଇ ଆସିଥିବା ଅନେକ କମ୍ପାନୀର ସୁଯୋଗ ନେଇ କ୍ୟାରିୟରକୁ ଆଗକୁ ନେଇପାରିବେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ବେକାରୀ ସମସ୍ୟା ଦୂର କରିବାରେ ଏହା ଏକ ବଳିଷ୍ଠ ପଦକ୍ଷେପ ବୋଲି କହିବା ସହ ଯେଉଁ ବିଷୟରେ ରୁଚି ରହିଛି, ସେ ଦିଗରେ ଦକ୍ଷତା ବିକାଶ ସହ ଇଣ୍ଟରନେଟର ସଦୁପଯୋଗ କରିବା ପାଇଁ ଛାତ୍ର ଛାତ୍ରୀ ଏବଂ ନିଯୁକ୍ତି ଆଶାୟୀମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ମାନ୍ୟବର ଯାଜପୁର ସାଂସଦଙ୍କ ପ୍ରତିନିଧି ଅଶୋକ କୁମାର ଓଝା,ଏନସି କଲେଜର ଅଧ୍ୟକ୍ଷ ରଞ୍ଜନ କୁମାର ବେହେରା, ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନର ଅଧ୍ୟକ୍ଷ ପଦ୍ମ ଚରଣ ସେଠି, ଅତିରିକ୍ତ ପରିଚାଳକ ଜିଲ୍ଲା ଶିଳ୍ପ କେନ୍ଦ୍ର ନିରଂଜନ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ନିଯୁକ୍ତି ମେଳାରେ ମୋଟ ୧୧୭୮ ନିଯୁକ୍ତି ଆଶାୟୀ ଯୁବକ ଯୁବତୀ ପଞ୍ଜୀକୃତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୯୭୭ ଜଣ ଯୁବକ ଯୁବତୀ ବିଭିନ୍ନ ବେସରକାରୀ ସଂସ୍ଥାର ପଦ ପଦବୀ ପାଇଁ ନିଯୁକ୍ତିଦାତା ମାନଙ୍କ ଦ୍ଵାରା ପ୍ରାଥମିକ ଭାବେ ଚୟନ ହୋଇଥିଲେ । ସେଥି ମଧ୍ୟରୁ ସ୍ଥାନୀୟ ଶିଳ୍ପ ସଂସ୍ଥା ଯଥା ଟାଟା, ଜିନ୍ଦଲ, ନୁ ଭିଷ୍ଠା, ବ୍ରାହ୍ମଣୀ ରିଭର୍ ପିଲେଟ ଲିମିଟେଡ, ସାଇଜର ଭଳି ୮ ଗୋଟି ମାନବ ସମ୍ବଳ ଯୋଗାଉଥିବା ସଂସ୍ଥା ମୋଟ ୧୮୫ ଜଣଙ୍କୁ ଚୟନ କରିଥିଲେ । ୨୦୧ ଜଣ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ ତାଲିମ୍ ନିମନ୍ତେ ବିବେଚିତ ହୋଇଛନ୍ତି। ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାଏକ କହିଛନ୍ତି ଯେ ଯୁବ ପିଢ଼ିକୁ ସୁଯୋଗ ଦେବା ଆମର ପ୍ରାଥମିକତା। ଉଚିତ୍ ନିଷ୍ପତ୍ତି ନେବା ସହ ନିଜ ଭବିଷ୍ୟତ ଗଢ଼ିବା ପାଇଁ ସୁଶାନ୍ତ ନାଏକ କହିଥିଲେ। ସେହିଭଳି ସମ୍ମାନିତ ଅତିଥି ଭାବେ ନରସିଂହ ଚୌଧୁରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜନ କୁମାର ବେହେରା ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ବ୍ୟାବହାରିକ ଶିକ୍ଷା ଓ ଦକ୍ଷତା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ଶିଳ୍ପ କେନ୍ଦ୍ରର ଅତିରିକ୍ତ ପରିଚାଳକ ନିରଞ୍ଜନ ନାୟକ ନିଯୁକ୍ତି ଆଶାୟୀ ହେବା ପରିବର୍ତ୍ତେ ନିଯୁକ୍ତି ଦାତା ହେବା ପାଇଁ ଲକ୍ଷ୍ୟ ରଖିବା ଉଚିତ ବୋଲି ମତ ଦେଇଥିଲେ। ଆଇଟିଆଇ କଲେଜ୍ ପ୍ରିନ୍ସିପାଲ ପଦ୍ମଚରଣ ସେଠୀ ଓଡ଼ିଶାରେ ତଥା ଯାଜପୁର ଜିଲ୍ଲାରେ ବୈଷୟିକ ଶିକ୍ଷା ଏବଂ ପାଠ୍ୟକ୍ରମର ପ୍ରସାର ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ,କନିଷ୍ଠ ନିୟୋଜନ ଅଧିକାରୀ ମାନସ କୁମାର କୁଅଁର, ସେକସନ ଅଧିକାରୀ ସରୋଜ କୁମାର ପତି, ୟଙ୍ଗ ପ୍ରଫେସନାଲ ସୁରମା ସେନଗୁପ୍ତା ଓ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ କର୍ମଚାରୀ ରାକେଶ କୁମାର ନାୟକ ପ୍ରମୁଖ ପରିଚାଳନା କରିଥିବା ବେଳେ ଏନସି କଲେଜର ଅଧ୍ୟାପକ ବିନୋଦ କୁମାର ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ ଏବଂ ମହାବିଦ୍ୟାଳୟର ସ୍ଵେଚ୍ଛାସେବୀ ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଶିକ୍ଷାବିତ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ନିଯୁକ୍ତି ଆଶାୟୀ ପ୍ରାର୍ଥୀ ଏବଂ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ।

Leave A Reply

Your email address will not be published.