ଜନଗଣନା-୨୦୨୭ ପାଇଁ ସମୀକ୍ଷା ଓ ତାଲିମ୍ କାର୍ଯ୍ୟକ୍ରମ ।

0 0

ମାଲକାନଗିରି, ୨୭/୦୨(ପିପିଟି):ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ମଡେଲ ଡିଗ୍ରୀ କଲେଜ ଠାରେ ଜନଗଣନା ନିମନ୍ତେ ଜିଲ୍ଲା ସ୍ତରୀୟ ଜନଗଣନା ଅଧିକାରୀଙ୍କ ସମୀକ୍ଷା ଓ ତାଲିମ କାର୍ଯ୍ଯକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଆଗାମୀ ଅପ୍ରିଲ ୧୬ ତାରିଖରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଜନଗଣନାକୁ ସୂଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏଥି ନିମନ୍ତେ ଅପ୍ରିଲ ୧ ରୁ ୧୫ ପର୍ଯ୍ୟନ୍ତ ସ୍ୱଗଣନା କରାଯିବ । ଯେଉଁଥିରେ ସେନସସ ପୋର୍ଟାଲ ବ୍ୟବହାର କରି ଯେକୌଣସି ବ୍ୟକ୍ତି ନିଜର ସମସ୍ତ ତଥ୍ୟ ଅପଲୋଡ କରିପାରିବେ । ଯଦିଓ ଜନଗଣନା ଭାରତରେ ପ୍ରତି ୧୦ ବର୍ଷ ବ୍ୟବଧାନରେ ହେବା କଥା, ମାତ୍ର ଏହା ୨୦୧୧ ପରେ ୧୫ ବର୍ଷ ବ୍ୟବଧାନରେ ହେଉଥିବାରୁ ଜଣେ ସଚେତନ ନାଗରିକ ହିସାବରେ ନିଜର ତଥ୍ୟ ସଠିକ ଓ ସ୍ବଚ୍ଛ ଭାବେ ପ୍ରଦାନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଉପଦେଶ ଦେଇଛନ୍ତି । ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟର ଉପନିର୍ଦେଶକ ଜୟକୃଷ୍ଣ ଭୋଇ ଟ୍ରେନିଂ ଅଫିସର ଭାବେ ଜନଗଣନାକୁ ସୂଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି ପ୍ରଶିକ୍ଷଣରେ ଜନଗଣନା ନିର୍ଦ୍ଦେଶାଳୟର କର୍ମଚାରୀମାନେ ସହାୟତା କରିଥିଲେ । ଜନଗଣନା ସମ୍ପର୍କିତ ବିଭିନ୍ନ ପର୍ଯ୍ୟାୟ ଉପରେ ଆଲୋଚନା କରାଯାଇଛି । ସିଏମଏମଏସ ର ବ୍ୟବହାର, ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ତଥ୍ୟ ସଂଗ୍ରହ, ଡାଟାର ସଠିକତା ଓ ସମୟୋପଯୋଗୀ ରିପୋର୍ଟ ଉପରେ ପ୍ରାଧାନ୍ୟ ଦିଆଯାଇଛି । ଜିଲ୍ଲା ସ୍ତରୀୟ ଅଧିକାରୀ, ଚାର୍ଜସ୍ତରୀୟ ଅଧିକାରୀ ଓ ସମ୍ପୃକ୍ତ କର୍ମଚାରୀମାନେ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇ ଜନଗଣନା କାର୍ଯ୍ୟକୁ ସଫଳ ଭାବେ ସମ୍ପନ୍ନ କରିଥିଲେ ।ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ଗଣନା କାର୍ଯ୍ୟ ସଠିକ୍ ଓ ପାରଦର୍ଶୀ ଭାବେ କରାଯିବା ସହ ଜନସାଧାରଣଙ୍କ ସହଯୋଗ ନିଆଯିବ । ଏହି ପ୍ରଶିକ୍ଷଣ ଆୟୋଜନ କରିବାରେ ଡେପୁଟି ସେନସସ୍ ଅଫିସର ମୁନା ତୁରୁକ୍ ସହଯୋଗ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.