ଭୁବନେଶ୍ୱର,୨୫/୦୨(ପିପିଟି):ଆଜିର ଯୁଗ ହେଉଛି ନୂତନ ଜ୍ଞାନକୌଶଳ ଓ କୃତ୍ରିମ ବୁଦ୍ଧିମତ୍ତାର ଯୁଗ । ରାଜ୍ୟ ସରକାର ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ନେଇ ଲକ୍ଷ୍ୟ ରଖିଥିବାବେଳେ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି । ଏହି କ୍ରମରେ କୃତ୍ରିମ ବୁଦ୍ଧିମତ୍ତାର ଭରପୂର ଉପଯୋଗ କରି ବିଭିନ୍ନ କାର୍ଯ୍ୟକ୍ରମକୁ ସଠିକ୍ ଓ ତ୍ୱରିତ ଗତିରେ ଆଗକୁ ନେବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।
ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ମାର୍ଗଦର୍ଶନରେ ନିର୍ମାଣ ବିଭାଗ ପକ୍ଷରୁ ବିଭାଗର ସମସ୍ତ ଅଧିକାରୀ, ବିଭିନ୍ନ ସ୍ଥାନରେ ଅବସ୍ଥାପିତ ଇଂଜିନିୟର ଓ କର୍ମଚାରୀମାନଙ୍କୁ କୃତି୍ରମ ବୁଦ୍ଧିମତ୍ତା (ଏଆଇ)ର ଉପଯୋଗ ନେଇ ଆଜି ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ସେଣ୍ଟର ପରିସରରେ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଏଆଇର ବିଭିନ୍ନ ଦିଗ,ବ୍ୟବହାର ପ୍ରଣାଳୀ, କାର୍ଯ୍ୟକୁଶଳତା,ବିଭିନ୍ନ ଡାଟା ଆଧାରରେ ଡକୁମେଣ୍ଟ ପ୍ରସ୍ତୁତ କରିବାରେ ଏଆଇର ଦକ୍ଷତା ବିଷୟରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ନିର୍ମାଣ ବିଭାଗ ପକ୍ଷରୁ ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଏଆଇର ଉପଯୋଗ ନେଇ ଆୟୋଜିତ ଏହି ମେଗା କାର୍ଯ୍ୟକ୍ରମ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଯୋଗଦେଇଥିବା ଅଧିକାରୀମାନେ ମତବ୍ୟକ୍ତ କରିଛନ୍ତି ।
ଏହି କର୍ମଶାଳାରେ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ. ଲକ୍ଷ୍ମୀକାନ୍ତ ପାଢ଼ୀ, ଅତିରିକ୍ତ ଶାସନ ସଚିବ ଦୀପକ ରଞ୍ଜନ ଦାସ, ସର୍ବୋଚ୍ଚ ଯନ୍ତ୍ରୀ (ଡିଜାଇନ୍) ଇଂ ସମୀର ହୋତା, ଯୁଗ୍ମ ଶାସନ ସଚିବ (ଆଇଟି) ଦୀପ୍ତି ରଞ୍ଜନ ବେହେରା, ଅର୍ଥ ପରାମର୍ଶଦାତା ରତୀକାନ୍ତ ମହାପାତ୍ର, ମୁଖ୍ୟଯନ୍ତ୍ରୀ (ବିଲ୍ଡିଂ) ଇଂ ପ୍ରିୟବ୍ରତ ସାମନ୍ତରାୟଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଓକାକ୍ ପକ୍ଷରୁ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।