ଭୟ

0 45

ଡର ସବୁ ଜାତ ମନରୁ ଉତ୍ପନ୍ନ
ସାମ୍ଭାବ୍ୟ ବିପଦ ଶଙ୍କା…..
ଭୀରୁ କରିଦିଏ ସର୍ବାଙ୍ଗ ଶରୀର
ଭାବି ଭାବି ସେହି କଥା…..!!
ନିର୍ଭୟ ହେବାକୁ କିବା ଅଛି ପଥ
ଉପାୟ ଖୋଜିବା ଭଲ…..
କିଏ କହେ ତୁମେ ପ୍ରାର୍ଥନା କରିଲେ
ଚିତ୍ତ ନ ହେବ ଦୁର୍ବଳ…..!!
କିଏ କହେ ଯୋଗ ସାଧନା କରିଲେ
ହେବ ନାହିଁ ମନେ ଭୟ…..
ଆଉ କିଏ କହେ ଦୃଢ ମନା ପାଇଁ
ଭାବନାକୁ କର ଥୟ….!!
କିଏ କହେ ଡର ମାନସିକ ବ୍ୟାଧି
ଔଷଧ ସେବନ କର….
ମନର ଭାବନା ଚିନ୍ତାକୁ ବଢ଼ାଏ
ଦୁନିଆ ଲାଗେ ଅସାର…..!!
ବିପଦ ଆସିବ ଜୀବନ ତମାମ
ତାକୁ ସମ୍ମୁଖୀନ କର…..
ନାହିଁ ଟି ଉପାୟ ନାହିଁଟି ବିକଳ୍ପ
ହୁଅ ବାରେ ଅଗ୍ରସର…..!!
କାହାର ଅଟଇ ରାଜ ଦଣ୍ଡ ଭୟ
କାହାର ରୋଗର ଭୟ……
କାହାର ଅଟଇ ଶତ୍ରୁ ଭୟ ଅଛି
କାହାର ମରଣ ଭୟ….!!
ଦୁର୍ଘଟଣା ଭୟେ କିଏ ପ୍ରପୀଡ଼ିତ
ସର୍ପ ଦଂଶନରେ ଭୟ…..
ପ୍ରାକୃତିକ ଭୟ ଆଣଇ ବିତ୍ପାତ
ବନ୍ଯା ବାତ୍ୟା ଯେତେ ଭୟ….!!
ଅଗ୍ନି କାଣ୍ଡ ଭୟ ଦହନ କରଇ
ଧନ ଓ ଜୀବନ ଯେତେ…..
ଋଣ ଭୟ ପୁଣି ଜୀବନ ନାଶଇ
କାହାକୁ କହିବା କେତେ….!!
ଲୋକ ଲଜ୍ଜା ଭୟ ରହିଛି ଜୀବନେ
ନିନ୍ଦା ଅପମାନ ଭୟ…..
ଲକ୍ଷ ପଥୁ ଯଦି ବିଫଳ ହୁଅଇ
ମାଡେ ଅସୁମାରୀ ଭୟ….!!
ଭୟର କାହାଣୀ ନ କହେଲେ ଭଲ
କାହା ଭୟ ଭୂତ ପ୍ରେତ…..
ଜାତି ଧର୍ମ ଭୟ ରହିଛି ସମାଜେ
ମନ ହେଲେ କଳଙ୍କିତ….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Leave A Reply

Your email address will not be published.