ଦୁଇ ଦିନ ମଧ୍ୟରେ ଅଧାରୁ ପାଠ ଛାଡ଼ିଥିବା ଷାଠିଏରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇବା ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପ୍ରୟାସ ।

0 209

ବେଲଗୁଣ୍ଠା,୦୯/୦୨(ପିପିଟି ):ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ସରକାର ଚଳିତ ଶିକ୍ଷା ବର୍ଷ ଆରମ୍ଭରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏଥିରେ ରାଜ୍ୟର ଶିକ୍ଷକଶିକ୍ଷୟିତ୍ରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ କର୍ତ୍ତୃପକ୍ଷଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜର ଉଦ୍ୟମ ଜାରି ରଖିଛନ୍ତି । ଏହି କ୍ରମରେ ଉଭୟ ବେଲଗୁଣ୍ଠା ଏବଂ ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥ ଉଭୟ ବ୍ଳକ୍ ର ବିଭିନ୍ନ ଉପାନ୍ତ ଅଞ୍ଚଳକୁ ନିଜେ ପରିଦର୍ଶନ କରି ଉଭୟ ବ୍ଳକ୍ ରୁ ଗତ ଏକ ମାସ ମଧ୍ୟରେ ଅଧାରୁ ପାଠ ଛାଡିଥିବା ୧୦୦ ଛାତ୍ରଛାତ୍ରୀଙ୍କୁ ପାଠ ପଢିବା ପାଇଁ ପ୍ରେରଣା ଯୋଗାଇବା ସହିତ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ନାମ ଲେଖାଇବାରେ ପୂର୍ଣ୍ଣ ସହଯୋଗ କରିଛନ୍ତି । ବିଶେଷ କରି ଗତ ଦୁଇଦିନ ମଧ୍ୟରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ରଥ ଉଭୟ ବ୍ଳକ୍ ର ବିଭିନ୍ନ ଗ୍ରାମକୁ ଯାଇ ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନଙ୍କୁ ଉଚ୍ଚ ଶିକ୍ଷାର ମହତ୍ତ୍ୱ ସମ୍ପର୍କରେ ବୁଝାଇ ୬୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ଯୁକ୍ତ ଦୁଇ ଶ୍ରେଣୀରେ ନାମ ଲେଖାଇବା ପାଇଁ ପ୍ରସ୍ତୁତ କରିପାରିଛନ୍ତି । ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ରଥ ନିଜ କାର୍ଯ୍ୟାଳୟର ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ସିଆରସିସି ମାନଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି । ବିଇଓଙ୍କ ଏହିଭଳି କାର୍ଯ୍ୟକ୍ରମକୁ ଅଭିଭାବକ ଏବଂ ବୁଦ୍ଧିଜୀବ ମହଲରେ ସ୍ୱାଗତ କରାଯିବା ସହିତ ବିଇଓଙ୍କୁ ପ୍ରଶଂସା କରାଯାଇଛି ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.