ବିକଶିତ ଭାରତ – ଜୀ ରାମ ଜୀ ସମ୍ପର୍କିତ କର୍ମଶାଳା ।

0 254

ଛତ୍ରପୁର,୦୫/୦୨(ପିପିଟି): ବିକଶିତ ଭାରତ ୨୦୪୭ର ଦୀର୍ଘକାଳୀନ ଲକ୍ଷ୍ଯ ପୂରଣ କରିବାକୁ ହେଲେ ସମସ୍ତସ୍ତରରେ ଉତ୍ତରଦାୟିତ୍ୱ, ପର୍ଯ୍ୟାପ୍ତ ଭିତ୍ତିଭୂମି ସୃଷ୍ଟି ଏବଂ ଶ୍ରମିକ ମାନଙ୍କର ରୋଜଗାରକୁ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି। ଏ ସମସ୍ତ ବିଷୟରେ ଜ଼ିଲ୍ଲାର କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ ସଂଯୁକ୍ତ ଅଧିକାରୀମାନଙ୍କୁ ଅବଗତ କରିବା ଉଦ୍ଦେଶ୍ୟ ନେଇ ଆଜି ଋଷିକୂଲ୍ଯା ସମ୍ମିଳନୀ କକ୍ଷଠାରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ନିର୍ଦ୍ଦେଶ ଏବଂ ଜିଲ୍ଲାପାଳ ଭି କୀର୍ତ୍ତି ଓ୍ବାସନ୍ ଙ୍କ ଅଧ୍ଯକ୍ଷତାରେ ଏହି ଦିନିକିଆ କର୍ମଶାଳା ଜିଲ୍ଲା ପରିଷଦ ଗଞ୍ଜାମ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ଏହି କର୍ମଶାଳାରେ ବିକଶିତ ଭାରତ ଜୀ ରାମ ଜୀ ଅଧିନିୟମ ୨୦୨୫ ବିଷୟରେ ବ୍ଲକ୍ ଉନ୍ନୟନ ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲା । ବିକଶିତ ଭାରତ ଜୀ ରାମ ଜୀ ଅଧିନିୟମ ୨୦୨୫, ମନରେଗାର ଏକ ବ୍ଯାପକ ବୈଧାନିକ ସଂସ୍କାର । ଏଥିରେ ବର୍ଷରେ ଯୋଗ୍ଯ ହିତାଧିକାରୀଙ୍କ ପାଇଁ ୧୦୦ ଦିନ ବଦଳରେ ୧୨୫ ଦିନ ଗ୍ରାମୀଣ ରୋଜଗାରର ନୂଆ ଗ୍ଯାରେଣ୍ଟି ଦିଆଯାଇଛି । ବିକଶିତ ଭାରତ @୨୦୪୭କୁ ଲକ୍ଷ୍ଯରେ ରଖି ଗ୍ରାମୀଣ ବିକାଶ ଢାଞ୍ଚା ଆଧାରରେ ନିଜସ୍ୱ ଯୋଜନା ପ୍ରସ୍ତୁତ କରାଯିବ ଏବଂ ସଶକ୍ତିକରଣ,ଏକାଭିମୁଖୀକରଣ, ଗ୍ରାମୀଣ ବିକାଶ ଏବଂ ପରିପୂର୍ଣ୍ଣତା ଉପରେ ଗୁରୁତ୍ବ ଦିଆଯିବ ।

ବିକାଶ ପରିମାପକ ଓ ସହର ଠାରୁ ଦୂରତା ଆଧାରରେ ପଞ୍ଚାୟତ ଗୁଡିକୁ କ, ଖ ଓ ଗ ବର୍ଗରେ ବିଭକ୍ତ କରାଯିବ । ଯୋଜନା ଏବଂ ନିଷ୍ପତ୍ତି ଗ୍ରହଣରେ ପଞ୍ଚାୟତର ସଶକ୍ତ ଭୂମିକା, ଯାହା ତୃଣମୂଳ ସ୍ତରରେ ସଂଘୀୟ ବ୍ଯବସ୍ଥାକୁ ସୁଦୃଢ କରିପାରିବ । ବିକଶିତ ଭାରତ ଜୀ ରାମ ଜୀ ପ୍ରମୁଖ ଚାରୋଟି କ୍ଷେତ୍ର ଉପରେ ଯଥା- ଜଳ ସୁରକ୍ଷା ଏବଂ ତତ୍ ସମ୍ପର୍କିତ କାର୍ଯ୍ୟ, ଗ୍ରାମୀଣ ମୌଳିକ ଭିତ୍ତି ଭୂମିର ସୁଦୃଢୀକରଣ, ଜୀବିକା ସମ୍ବନ୍ଧୀୟ ଭିତ୍ତିଭୂମି ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ ମାଧ୍ଯମରେ ନିଯୁକ୍ତି ସୃଷ୍ଟି କରିବା ସହ ପଞ୍ଚାୟତ ଗୁଡିକୁ ଅର୍ଥନୈତିକ ଅଭିବୃଦ୍ଧିରେ ସହଭାଗୀ କରିବା ଉପରେ କେନ୍ଦ୍ରୀଭୂତ ।

ପ୍ରଯୁକ୍ତି ବିଦ୍ଯା ବ୍ଯବହାର କରି ପ୍ରଧାନମନ୍ତ୍ରୀ ଗତିଶକ୍ତି ଅଧୀନରେ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ଗ୍ରାମ ସଭା ମାଧ୍ଯମରେ ପ୍ରସ୍ତୁତ କରାଯିବ । କୃଷି କ୍ଷେତ୍ରରେ ଶ୍ରମିକ ମାନଙ୍କ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ରାଜ୍ଯ ସରକାର ବିହନ ବୁଣା ଏବଂ ଅମଳ ସମୟରେ ସର୍ବାଧିକ ୬୦ ଦିନପର୍ଯ୍ୟନ୍ତ କାର୍ଯ୍ଯ ବନ୍ଦ କରିପାରିବେ । ଭିବି ଜୀ ରାମ ଜୀ ଯୋଜନାର ମୋଟ୍ ବ୍ଯୟ କେନ୍ଦ୍ର ଓ ରାଜ୍ଯ ମଧ୍ଯରେ ୬୦:୪୦ ଅନୁପାତରେ ବଣ୍ଟନ କରାଯିବ । ସରକାରଙ୍କ ମୁଖ୍ଯ ଲକ୍ଷ୍ଯ ହେଉଛି ସହଯୋଗୀ ସଂଘୀୟ ବ୍ଯବସ୍ଥା,ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱ ଭିତ୍ତିକ ଢାଞ୍ଚାକୁ ଅଧିକ ସୁଦୃଢ କରିବା ।

ପ୍ରଭାବଶାଳୀ ଡିଜିଟାଲ୍ ପ୍ରଣାଳୀ ବ୍ଯବହାର କରି ଯୋଜନାର ରୂପାୟନରେ ସ୍ବଚ୍ଛତା,ଉତ୍ତର ଦାୟିତ୍ୱ ସୁନିଶ୍ଚିତ କରିବା । କୃତ୍ରିମ ବୁଦ୍ଧିମତା ଏବଂ ବାୟୋମେଟ୍ରିକ ଚିହ୍ନଟ ବ୍ୟବସ୍ଥା ମାଧ୍ଯମରେ ଅନିୟମିତତାକୁ ରୋକିବା ଯୋଜନାର ସ୍ବଚ୍ଛତା ପାଇଁ ସାମାଜିକ ସମୀକ୍ଷାକୁ ବାଧ୍ଯତାମୂଳକ କରିବା । ସ୍ବତନ୍ତ୍ର ଗ୍ରାମସଭା ବୈଠକ,ପୋଷ୍ଟର, ବ୍ଯାନର,ହୋର୍ଡିଂ ମାଧ୍ଯମରେ ଜନସାଧାରଣଙ୍କ ମଧ୍ଯରେ ବ୍ଯାପକ ସଚେତନତା ସୃଷ୍ଟି କରାଯିବ ।

ଏହି କର୍ମଶାଳାରେ ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିଜୟ କୁମାର ବେହେରା, ଅତିରିକ୍ତ କାର୍ଯ୍ଯ ନିର୍ବାହୀ ଅଧିକାରୀ ବିଜୟ କୁମାର ପଣ୍ଡା, ଜିଲ୍ଲା ଯୋଜନା ଅଧିକାରୀ ଏ.କେ.ଦାଶ,ମନରେଗାର ସଂଯୋଜିକା ରୀନା ପାଢୀ,ସଂଧ୍ଯାରାଣୀ ପଟ୍ଟନାୟକ ଓ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ଯାନ୍ଯ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.