ନୌକା ପ୍ରତିଯୋଗିତାରେ ସୋରିଷମାଳ ପ୍ରଥମ ।

0 225

ମାଲକାନଗିରି,୩୧/୦୧(ପିପିଟି):ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ଆଜି ସତୀଗୁଡା ଜଳଭଣ୍ଡାରରେ ୧୨ଟି ନୌକା ଚାଳକ ଦଳକୁ ନେଇ ନୌକା ଚାଳନା ପ୍ରତି ଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଚଳିତ ବର୍ଷ ୫ଟି ନୂତନ ଦଳ ଯୋଗ ଦେଇଥିବା ବେଳେ ଏହି ପାଞ୍ଚଟି ଦଳ ମଧ୍ୟରୁ ଚିତ୍ରକୋଣ୍ଡା ବନାଞ୍ଚଳରୁ ତିନୋଟି ଦଳ କାଲିମେଳା ବନାଞ୍ଚଳରୁ ଦୁଇଟି ଦଳ ଯୋଗ ଦେଇଛନ୍ତି । ଏହି ପ୍ରତି ଯୋଗିତାରେ ସତୀଗୁଡା ମତ୍ସ୍ୟଜୀବୀ ସମବାୟ ସଂଗଠନର ସୋରିଷମାଳ ଗ୍ରାମ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ସିନ୍ଧ୍ରିମାଳ ଓ ତୃତୀୟ ସ୍ଥାନରେ ଚମ୍ପାଖାରୀ ବିଜୟ ଲାଭ କରିଥିଲା । ଅପରାହ୍ନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଏସ୍‌.ପି. ବିନୋଦ ପାଟିଲ ହେଚ୍‌. ଖଣ୍ଡୀୟ ବନାଧିକାରୀ ସାଇ କିରଣ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ବି.ଏସ୍‌.ଏଫ୍ କମାଣ୍ଡେଣ୍ଟ ସୁଶିଲ କୁମାର ହେଚ୍‌, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ବିଧାୟକ ପ୍ରତିନିଧି ମାଣିକଲାଲ ଚକ୍ରବର୍ତ୍ତୀ, ଅଂଶଗ୍ରହଣ କରିଥିଲା ବେଳେ ଜିଲ୍ଲାପାଳ ସବୁଜ ପତାକା ଦେଖାଇ ପ୍ରତି ଯୋଗିତା ଉଦ୍ଘାଟନ କରିଥିଲେ । ୧୨ ଜଣ କ୍ରୀଡା ଶିକ୍ଷକ ଚୟନ କର୍ତ୍ତା ଭାବେ ନିଜର କର୍ତ୍ତବ୍ୟ ତୁଲାଇଥିବା ବେଳେ ମତ୍ସ୍ୟ ବିଭାଗ, ବନ ବିଭାଗର ପଦାଧିକାରୀ ଓ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଗଭୀର ଜଳ ଭଣ୍ଡାର ମଧ୍ୟରେ ଏହି ପ୍ରତି ଯୋଗିତା ଅନୁଷ୍ଠିତ ହୋଇଥିବାରୁ ପ୍ରତିଯୋଗୀମାନଙ୍କୁ ଅଗ୍ନିଶମ ବିଭାଗ ଜଳ ମଧ୍ୟରେ ରହି ସୁରକ୍ଷା ଦାୟିତ୍ୱ ନିର୍ବାହ କରିଥିଲେ। ସେହିପରି ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡାକ୍ତର ଓ କର୍ମଚାରୀଙ୍କ ସହ ଆମ୍ବୁଲାନ୍ସ ନିୟୋଜିତ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମକୁ ସହକାରୀ ବନ ସଂରକ୍ଷକ ମନସୁନ୍ ଖେମୁଣ୍ଡୁ ଗତ ଦୁଇଦିନ ଧରି ସତୀଗୁଡା ଇକୋ ପ୍ରାକୃତିକ ପର୍ଯ୍ୟଚନ ସ୍ଥଳୀରେ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ । ମାଲକାନଗିରି ସହକାରୀ ବନ ସଂରକ୍ଷକ ପ୍ରିୟଙ୍କା ମହୁକା ,ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ, କାଲିମେଳା ବନପାଳ ମୃତ୍ୟୁଞ୍ଜୟ ସେଠୀ, ସହ ଯୋଗ କରିଥିଲେ । ଏହି ପ୍ରତିଯୋଗିତାରେ ବିଜୟଲାଭ କରିଥିବା ତିନୋଟି ଦଳଙ୍କୁ ମାଲ୍ୟବନ୍ତ ମହୋତ୍ସବରେ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯିବ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.