ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ସହ ଉତ୍କଳିକାର ବୁଝାମଣାପତ୍ର ସ୍ବାକ୍ଷରିତ ।

0 239

ଭୁବନେଶ୍ୱର,୦୮/୦୧(ପିପିଟି):ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ ବିଭାଗୀୟ ସମ୍ମିଳନୀ କକ୍ଷରେ ବହୁ ପ୍ରତିକ୍ଷିତ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନସ୍ଥ ଉତ୍କଳିକା,ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି ।
ଏହି ବୁଝାମଣାପତ୍ର ମାଧ୍ୟମରେ ଉତ୍କଳିକା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଯୋଗ୍ୟ କନ୍ୟାମାନଙ୍କୁ ଉପହାର ସାମଗ୍ରୀ ଯଥା ଶାଢୀ,ଚୁଡ଼ି,ପାଉଁଜି,ଝୁଣ୍ଟିଆ,ଅଳତା,ସିନ୍ଦୂର ସମେତ ସମସ୍ତ ଶୃଙ୍ଗାର ସାମଗ୍ରୀ ସହ ବାସନ କୁସନ ଭଳି ଘରୋଇ ବ୍ୟବହାର ସାମଗ୍ରୀ ଭଳି ଉପଲବ୍ଧ କରାଇବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଉଲ୍ଲେଖ କରିଛନ୍ତି । ଏହି ସହଯୋଗ ମାଧ୍ୟମରେ ମହିଳା କଲ୍ୟାଣକାରୀ ଯୋଜନାଗୁଡ଼ିକୁ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ସହ ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତକଳା କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ମିଳିବ ବୋଲି ସେ ମତ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଶା ବାନାର୍ଜୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ନିର୍ଦ୍ଦେଶିକା ନିବେଦିତା ପୃଷ୍ଟି, ଅତିରିକ୍ତ ସଚିବ ପ୍ରତାପ ହୋତା ଏବଂ ଉଭୟ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ସୁମିତ୍ରା ପଟ୍ଟନାୟକ ଏବଂ ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା ମମତା ନାୟକଙ୍କ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେଇଛି।

Leave A Reply

Your email address will not be published.