ଯାଜପୁର,୨୯/୧୨(ପିପିଟି): ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ବଡ଼ଚଣା ବ୍ଳକ କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଅମ୍ବର କୁମାର କର ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ । ବିଭାଗୀୟ ଅଧିକାରୀ ମାନେ ଏହି ଅଭିଯୋଗ ଗୁଡିକ ଯାଞ୍ଚ କରିବେ ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ମୋଟ ୮୨ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୩୨ ଗୋଟି,ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୦୪ ଗୋଟି,ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୫୬ ଗୋଟି ଅଭିଯୋଗର ଶୁଣାଣି କରାଯାଇଥିଲା । ୫୮ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଉପ ଆରକ୍ଷୀ ଅଧିକ୍ଷକ ଲକ୍ଷ୍ମୀଧର ସ୍ବାଇଁ, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଦେବୀ ପ୍ରସାଦ ମହାନ୍ତି,ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ବିଜୟ କୁମାର ମିଶ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ବଡ଼ଚଣା ରବୀନ୍ଦ୍ର କୁମାର ପ୍ରଧାନ,ତହସିଲଦାର,ଦର୍ପଣ ମାନସ କୁମାର ତ୍ରିପାଠୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।