ଭଞ୍ଜନଗର,୨୩/୧୨(ପିପିଟି ):ଭଞ୍ଜନଗର ବ୍ଲକ ତିଳିସିଙ୍ଗି ଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ ହେବ। ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭଞ୍ଜନଗର ବିଧାୟକ ତଥା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର କର୍ମକର୍ତ୍ତା ପ୍ରଦ୍ୟୁମ୍ନ କୁମାର ନାୟକ ମଙ୍ଗଳବାର ସଭାସ୍ଥଳ ପରିଦର୍ଶନ କରି କାର୍ଯ୍ୟକ୍ରମ କିଭଳି ହେବ ସେନେଇ ସମୀକ୍ଷା କରିଥିଲେ। ଏହି ଅବସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଧାୟକ ନାୟକ କହିଥିଲେ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ସଭାରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ କର୍ମକର୍ତ୍ତା ଯୋଗଦେବେ। କାର୍ଯ୍ୟକ୍ରମ କିଭଳି ଭଲରେ ହେବ ସେଥିପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି।ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ, ଛତ୍ରପତି ଶିବାଜି ମହାରାଜ ଆମ ଜାତି ପାଇଁ ଗର୍ବର ବିଷୟ। ପ୍ରଥମଥର ପାଇଁ ଭଞ୍ଜନଗର ଅଞ୍ଚଳରେ ଆମ ଜାତିର ଏତେ ବଡ ଧରଣର କାର୍ଯ୍ୟକ୍ରମ ଅୟୋଜନ ହେଉଛି ବୋଲି ବିଧାୟକ ନାୟକ କହିଥିଲେ। ଏଥିସହ ସେ କହିଥିଲେ ଆଜି ୭ କୋଟି ଟଙ୍କା ବ୍ୟୟରେ ଦୁଇଟି ରାସ୍ତାର ଶିଳାନ୍ୟାସ କରାଯାଇଅଛି। ଆଗାମୀ ଦିନରେ ଭଞ୍ଜନଗର ବ୍ଲକ ଗାଲେରୀ ଅଞ୍ଚଳବାସୀ ତାହାର ସୁଫଳ ପାଇବେ। ଭଞ୍ଜନଗର ଏନ୍ ଏ ସି କୁ ମ୍ୟୁନିସିପାଲଟି କରାଯିବା ଏବଂ ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍ ଏ ସି ରେ ପରିଣତ କରାଯିବା ଆମ ପାଇଁ ଗର୍ବର ବିଷୟ। ଉକ୍ତ ଦୁଇ ସହରର ବିକାଶ ପାଇଁ ସବୁ ପ୍ରକାର ସହାୟତା ସରକାର ଯୋଗାଇ ଦେବେ। ଆଗାମୀ ଦିନରେ ଆହୁରି ଅନେକ କିଛି ବିକାଶ କରିବା ଲକ୍ଷ୍ୟ ରଖାଯାଇଛି ବୋଲି ବିଧାୟକ କହିଥିଲେ। ବିଧାୟକଙ୍କ ଆଜିର ବିଭିନ୍ନ କାର୍ଯ୍ୟକ୍ରମ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଯନ୍ତ୍ରୀ ମାନେ, ଏମ୍ ପି ପ୍ରତିନିଧି ସନ୍ତୋଷ ତିଆଡି, ଶିବ ଶଙ୍କର ପ୍ରଧାନ, ରବିନ୍ଦ୍ର ଗୌଡ ଏବଂ ଜାତିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)