ମୃତ ଦାଦନଙ୍କ ପରିବାର ସଦସ୍ୟଙ୍କୁ ପ୍ରଶାସନ ତରଫରୁ ସହାୟତା ।

0 238

ବେଲଗୁଣ୍ଠା,୨୩/୧୨(ପିପିଟି ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଉଢୁରା ପଂଚାୟତର ନାୟକ ପଡ଼ା ଗ୍ରାମର ମୃତ ଦାଦନ ଉତ୍ତମ ପ୍ରସାଦ ରଣାଙ୍କ ପରିବାର ସଦସ୍ୟଙ୍କୁ ପ୍ରଶାସନ ତରଫରୁ ସହାୟତା ଯୋଗାଇ ଦିଆଯାଇଛି । ସୂଚନା ପ୍ରକାରେ ନାୟକପଡ଼ା ବୈଦ୍ୟନାଥ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରୁଥିବା ସୂର୍ଯ୍ୟନାରାୟଣ ରଣାଙ୍କ ଦ୍ଵିତୀୟ ପୁତ୍ର ଉତ୍ତମ ପ୍ରସାଦ ରଣା ଚେନ୍ନାଇରେ ଏକ ଟ୍ରାକ୍ଟର୍ ପାର୍ଟ୍ସ୍ ନିର୍ମାଣ କମ୍ପାନିରେ କିଛି ଦିନ ହେବ କାର୍ଯ୍ୟ କରୁଥିଲେ । ସାତ ଆଠ ଦିନ ତଳେ ଉତ୍ତମଙ୍କୁ ଜ୍ଵର ହେବାରୁ ତାଙ୍କୁ ସ୍ଥାନୀୟ ଏକ ଘରୋଇ କ୍ଲିନିକ୍ ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ଅପରାହ୍ଣ ତିନି ଘଣ୍ଟା ତିରିଶି ମିନିଟ୍ ସମୟରେ ଉତ୍ତମଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ତାଙ୍କର ସମ୍ପର୍କୀୟ ଭାଇ କମ୍ପାନି କର୍ତ୍ତୁପକ୍ଷଙ୍କ ଯୋଗାଯୋଗ କରି ସୋମବାର ସକାଳେ ବିମାନ ଯୋଗେ ଉତ୍ତମଙ୍କ ଶବକୁ ଭୁବନେଶ୍ୱର ଅଣାଯାଇ ସେଠାରୁ ଏକ ଆମ୍ବୁଲାନ୍ସ୍ ଯୋଗେ ଉତ୍ତମଙ୍କ ଶବକୁ ନିଜ ଗ୍ରାମ ନାୟକପଡ଼ାକୁ ଅଣାଯାଇଥିଲା । ଏକ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ଉତ୍ତମଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଏହି ଖବର ପ୍ରଶାସନ ନିକଟରେ ପହଞ୍ଚିବା ପରେ ଗଞ୍ଜାମ ଜିଲ୍ଳାପାଳ ଭି କୀର୍ତ୍ତିଭାସନ୍ ଙ୍କ ନିର୍ଦ୍ଦେଶକ୍ରମେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର କବିରାଜ ସେଠୀ, ରାଜସ୍ୱ ନୀରିକ୍ଷକ ପ୍ରଦୀପ କୁମାର ଜେନା, ନାଜିର ପ୍ରତାପ କୁମାର ପ୍ରଧାନ ନାୟକ ପଡା ଯାଇ ଉଡ୍ରା ସମିତି ସଭ୍ୟ ସୁଧାଂଶୁ ଶେଖର ପୋଲାଇଙ୍କ ଉପସ୍ଥିତିରେ ମୃତ ଉତ୍ତମଙ୍କ ଘରେ ପହଞ୍ଚି ତାଙ୍କ ବାପା ସୂର୍ଯ୍ୟନାରାୟଣ ରଣାଙ୍କୁ ରେଡ଼କ୍ରସ୍ ପାଣ୍ଠିରୁ ତିରିଶି ହଜାର ଟଙ୍କା ସହାୟତା ପ୍ରଦାନ କରିବା ସହିତ ଆଗାମୀ ଦିନରେ ସରକାରଙ୍କ ତରଫରୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶୃ୍ତି ଦେଇଛନ୍ତି ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.