ବେଗୁନିଆପଡା,୨୨/୧୨(ପିପିଟି):ଆଖି ପରୀକ୍ଷା କରିବାକୁ ଯାଇ ବ୍ରହ୍ମପୁରରୁ ନିଖୋଜ ହୋଇଗଲେ ଆଦିବାସୀ। ଦୀର୍ଘ ଦେଢମାସ ହୋଇ ଗଲାଣି, ଆଦିବାସୀ ମଧୁ ଶବରଙ୍କ ପତ୍ତା ମିଳିଲା ନାହିଁ । ଏନେଇ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଓ ଗଞ୍ଜାମ ବେଗୁନିଆପଡ଼ା ଥାନାରେ ଅଭିଯୋଗ ହୋଇଛି। କିନ୍ତୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଚନ୍ଦନପୁର ପଞ୍ଚାୟତ ରାଇପଡ଼ାର ଶତାଧିକ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରାରେ ସିଦ୍ଧେଶ୍ୱର ମନ୍ଦିର ଠାରୁ ବାହାରି ବେଗୁନିଆପଡ଼ା ଗ୍ରାମ ପରିକ୍ରମା କରି ବେଗୁନିଆପଡ଼ା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ରେ ବସିଥିଲେ । ନିଖୋଜ ମଧୁ ଶବରଙ୍କୁ ନେଇଥିବା ବ୍ରହ୍ମପୁର ଗୋଇଲୁଣ୍ଡିର ସନ୍ ଆଇ କେୟାର ହସ୍ପିଟାଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିଖୋଜ ବ୍ଯକ୍ତିଙ୍କୁ ଉଦ୍ଧାର ପାଇଁ ଦାବି କରିଛନ୍ତି ଆଦିବାସୀ ମାନେ। ସୂଚନା ମୁତାବକ ଗତ ନଭେମ୍ବର ୭/୨୦୨୫ ରେ ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ରୋଗୀଙ୍କ ଆଖି ପରୀକ୍ଷା କରି ମୋତିଆବିନ୍ଦୁ ଅପରେସନ ପାଇଁ କିଛି ରୋଗୀଙ୍କୁ ବ୍ରହ୍ମପୁର ସ୍ଥିତ ଗୋଇଲୁଣ୍ଡି ସନ୍ ଆଇ କେୟାର ହସ୍ପିଟାଲକୁ ନିଆଯାଇଥିଲା। ସନ୍ ଆଇ କେୟାର ହସ୍ପିଟାଲ ପକ୍ଷରୁ ଏହି ଶିବିର ଅନୁଷ୍ଠିତ ହୋଇଥିବା ବେଳେ ସୋରଡାପଲ୍ଲୀ ରାଇଘର ଗାଁର ମଧୁ ଶବରଙ୍କୁ ଚିକିତ୍ସା ପାଇଁ ଗୋଇଲୁଣ୍ଡି ହସ୍ପିଟାଲକୁ ସଂପୃକ୍ତ ସଂସ୍ଥା ନେଇଥିଲେ। ଉକ୍ତ ହସ୍ପିଟାଲକୁ ରାଇପଡ଼ାର ୩ ରୋଗୀ ଯାଇଥିଲେ ଏବଂ ଫେରିଥିଲେ ୨ ଜଣ। ସେହିଦିନ ଅପରାହ୍ନରେ ହିଁ ହଠାତ୍ ସେହି ହସ୍ପିଟାଲରୁ ନିଖୋଜ ହୋଇଗଲେ ମଧୁ ଶବର । ତେବେ ଏହାପରେ ମଧୁଙ୍କ ପରିବାର ଲୋକେ ବେଗୁନିଆପଡ଼ା ଥାନାରେ ଅଭିଯୋଗ କରିବାକୁ ଆସିଥିଲେ । ଘଟଣା ବ୍ରହ୍ମପୁର ଅଞ୍ଚଳର ହୋଇଥିବାରୁ ପରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଏତଲା ଦିଆଯାଇଥିଲା। ମାମଲାକୁ ନେଇ ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ବେଗୁନିଆପଡ଼ା ଥାନାକୁ ଅନୁସନ୍ଧାନ ପାଇଁ କୁହାଯାଇଥିଲା। ଘଟଣାକୁ ନେଇ ଏସପିଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ ନିଖୋଜ ବ୍ଯକ୍ତିଙ୍କ ପରିବାର ଲୋକେ। ଦୀର୍ଘ ଦେଢମାସ ପରେ ବି ମଧୁ ଶବରଙ୍କ ପତ୍ତା ମିଳୁ ନଥିବାରୁ ସନ୍ଦେହ ପ୍ରକାଶ କରିଛନ୍ତି ପରିବାର ଲୋକେ। ମଧୁଙ୍କୁ ଅପହରଣ କରି କିଡ଼ନୀ ଓ ବିଭିନ୍ନ ଅଙ୍ଗ ପ୍ରତ୍ଯଙ୍ଗ ଉକ୍ତ ମେଡିକାଲ ମାଲିକ ଓ କର୍ମକର୍ତ୍ତା କାଢି ଦେଇଥିବା ସନ୍ଦେହ କରିଛନ୍ତି ପରିବାର ଲୋକେ। ଏହାକୁ ନେଇ ସୋମବାର ବେଗୁନିଆପଡ଼ା ସିଦ୍ଧେଶ୍ଵର ମନ୍ଦିର ଠାରେ ଶତାଧିକ ଆଦିବାସୀ ମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରାରେ ଆସି ବେଗୁନିଆପଡ଼ା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନିଖୋଜ ମଧୁ ଶବରଙ୍କୁ ତୁରନ୍ତ ଖୋଜିବା,ବ୍ରହ୍ମପୁର ଗୋଇଲୁଣ୍ଡି ଅଞ୍ଚଳର ସନ୍ ଆଇ କେୟାର ହସ୍ପିଟାଲ ବିରୁଦ୍ଧରେ ମାମଲା ରୁଜୁ କରିବା ନେଇ ଏକ ଦାବିପତ୍ର ବେଗୁନିଆପଡ଼ା ଥାନା ଅଧିକାରୀ ଭଗବାନ ପୂଜାରୀଙ୍କୁ ପ୍ରଦାନ କରିଛନ୍ତି। ଏଥିରେ ମିତ ସଂଗଠନ, ଭିଟାମାଟି ସୁରକ୍ଷା ଅଭିଯାନ,ରୁଷିକୂଲ୍ଯା ରୟତ ମହାସଭାର ସଦସ୍ୟ ସୌରୀ ଶବର, କୃଷକ ତଥା ଆଦିବାସୀ ନେତା ବିଜୟ ସ୍ବାଇଁ,ଯୋହନ ସ୍ୱାଇଁ,ଜୟନ୍ତୀ ଶବର, ସୁକାନ୍ତି ଶବର,ଶଙ୍କର ଶବର, ରାଜୁ ଶବର,ଜଗବନ୍ଧୁ ଶବର ପ୍ରମୁଖ ନେତୃତ୍ୱ ନେଇଥିଲେ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)