କାଲିମେଳା ଠାରେ ଗଞ୍ଜାମ ସୁରକ୍ଷା ସମିତିର ୨ୟ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ।

0 0

ମାଲକାନଗିରି,୨୧/୧୨(ପିପିଟି):ମାଲକାନଗିରି ଜିଲ୍ଲା ସ୍ଥିତ କାଲିମେଳା ଠାରେ ଗଞ୍ଜାମ ସୁରକ୍ଷା ସମିତି ଆନୁକୁଲ୍ୟରେ ୨ୟ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଉତ୍କଳ ସାହିତ୍ୟ ସଂସଦ ସଭାପତି ତଥା ସମାଜସେବୀ କେଶବ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ସୁଧିର ସ୍ବାଇଁ, ନରେନ୍ଦ୍ର ପ୍ରଧାନ,ଇ. ଭେଙ୍କଟ ରାଓ ଯୋଗଦେଇଥିଲେ। ରତ୍ନାକର ପାଣିଗ୍ରାହୀ ମଞ୍ଚ ପରିଚାଳନା କରି ଗଞ୍ଜାମ ସୁରକ୍ଷା ସମିତିର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।
ମୁଖ୍ୟ ଅତିଥି କେଶବ ଚନ୍ଦ୍ର ନାୟକ କହିଲେ ଯେ ମନୁଷ୍ୟ ଏକ ସାମାଜିକ ପ୍ରାଣୀ। ସମାଜରେ ବଞ୍ଚିବାକୁ ହେଲେ ସଂଗଠନ ଆବଶ୍ୟକତା ରହିଛି। ସଂଗଠନ ଦ୍ବାରା ସମାଜ ସେବା ସମ୍ଭବପର ହୋଇଥାଏ। ପରସ୍ପର ସୁଖ ଦୁଃଖ ବିପଦ ଆପଦର ସହଯୋଗ ଓ ସାହାଯ୍ୟର ମାଧ୍ୟମ ହୋଇ ବିଭିନ୍ନ କ୍ଷେତ୍ରରେ ବିକାଶ ମାର୍ଗ ଉନ୍ମୁକ୍ତ ହୋଇ ଥାଏ। ଏଣୁ ସଂଗଠନ ବିନା ବିକାଶ
ଅସମ୍ଭବ ବୋଲି ସେ ମତ ବିନ୍ଯାସ କରିଥିଲେ। ଆମେ କାଲିମେଳା ଠାରେ ସଂଗଠିତ ଗଞ୍ଜାମ ସୁରକ୍ଷା ସମିତିର କର୍ମକର୍ତ୍ତାମାନଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରୁଛୁ ।
କେବଳ ଯେ ଗଞ୍ଜାମ ସୁରକ୍ଷା ସମିତି ମାଲକାନଗିରି ଜିଲ୍ଲାରେ
ଗଠନ କଲେ ହେବନି। ମାଲକାନଗିରି ଜିଲ୍ଲା ବିଭିନ୍ନ ଜିଲ୍ଲାରୁ ଓଡ଼ିଆ ଲୋକମାନେ ସ୍ଥାୟୀ ଭାବରେ ବସବାସ କରୁଛନ୍ତି। ଏଣୁ ସମସ୍ତ ଜିଲ୍ଲା ଓଡିଆ ଭାଇମାନଙ୍କୁ ଏକତ୍ରିତ କରି ଓଡ଼ିଆ ସମାଜ ଗଠନ କରିବାର ଆବଶ୍ୟକତା ରହିଛି। ସେ ମଧୁବାବୁଙ୍କ
ଆଦର୍ଶ ଉତ୍କଳ ସମ୍ମିଳନୀ ସମ୍ପର୍କରେ ଐତିହାସିକ ତଥ୍ୟକୁ ଉପସ୍ଥାପନ କରି ସମସ୍ତଙ୍କୁ ବୁଝାଇ ଥିଲେ। ଏଣୁ ମାଲକାନଗିରି ଜିଲ୍ଲାରେ ଥିବା ବ୍ଳକ, ଏନଏସି ଏବଂ ପୌରାଞ୍ଚଳକୁ ନେଇ ତୃଣମୂଳ ସ୍ତରରେ ସଂଗଠନ କରିବାକୁ ସେ ଆହ୍ବାନ ଦେଇଥିଲେ।ଯଥା ଶୀଘ୍ର କାଲିମେଳା ଓ ପଡ଼ିଆ ବ୍ଲକରେ ଓଡ଼ିଆ ସମାଜ ଗଠନ କରିବାକୁ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ। ବ୍ଲକ ସ୍ତରୀୟ ସଂଗଠନ ପରେ ଜିଲ୍ଲା ସ୍ତରରେ ଏହି ସଂଗଠନ ଗଠିତ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ।ଏହି ସଂଗଠନ ଓଡ଼ିଆ ଲୋକମାନଙ୍କ ଓଡ଼ିଆ ଭାଷା,କଳା, ସାହିତ୍ୟ,ସଂସ୍କୃତି,ସୁରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ ଓ ସାମାଜସେବା ଦିଗରେ କାର୍ଯ୍ୟ କରିବ ବୋଲି ପ୍ରକାଶ କରିଥିଲେ। ଏହାକୁ ଗଞ୍ଜାମ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ସମର୍ଥନ କରି କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ସମସ୍ତେ ସମ୍ମତି ପ୍ରଦାନ କରିଥିଲେ। ଶେଷରେ ଇ. ଭେଙ୍କଟ ରାଓ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.