କୋଦଳା,୧୬/୧୨(ପିପିଟି):କୋର୍ଟ ପରିସରରେ ମଦ ପିଇଦେଲେ ଅଭିଯୁକ୍ତ । କୋର୍ଟକୁ ବିଚାରଣା ଦେବାକୁ ଆସିଥିଲେ, କେହି ସଂପର୍କୀୟ ତାଙ୍କୁ ଭେଟିବା ପାଇଁ ଆସିଥିଲେ। ସେଠାରେ ମଦ ପିଇ ପରବର୍ତ୍ତୀ ସମୟରେ ଅସୁସ୍ଥତା ଅନୁଭବ କରିବା ସହ ହଠାତ୍ ବିଗିଡି ଯାଇଥିଲା ସ୍ବାସ୍ଥ୍ୟବସ୍ଥା। ପରେ ଅଭିଯୁକ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖଲ୍ଲିକୋଟ କୋର୍ଟ ପରିସରରେ । ହତ୍ଯା ଅଭିଯୋଗରେ କୋଦଳା ଉପ କାରାଗାରରେ ଥିବା ଅଭିଯୁକ୍ତଙ୍କୁ କୋଦଳା ଉପ କାରାଗାର ରୁ ଖଲ୍ଲିକୋଟ କୋର୍ଟକୁ ବିଚାରଣା ପାଇଁ ନିଆଯାଇଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି। ତେବେ ପ୍ରଶ୍ନ ଉଠୁଛି ପୋଲିସ କରିଡର ତଥା କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅଭିଯୁକ୍ତ ଜଣକ ମଦ ପିଇଲେ କିପରି? ଏବଂ କିଏ ତାଙ୍କୁ ମଦ ଦେଲା ? ଗଞ୍ଜାମ ପୁରୁଷୋତ୍ତମପୁର ଥାନା ସିକୁଳା ଗ୍ରାମର ଅଭିଯୁକ୍ତ ନିରଞ୍ଜନ ମହାରଣା ମଦ ପିଇ ଅସୁସ୍ଥତା କାରଣରୁ କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କୁ ବାନ୍ତି କରିବା ପାଇଁ ଔଷଧ ଦିଆଯିବା ସହ ଚିକିତ୍ସା କରାଯାଇଥିଲା। ଘଟଣା ସଂପର୍କରେ କୋଦଳା ଉପ କାରାଗାର ଅଧ୍ଯକ୍ଷଙ୍କୁ ପଚାରିବାରୁ ମଦ ପିଇଥିବା ଘଟଣାକୁ ସେ ଏଡାଇ ଦେଇଥିବା ପ୍ରକୃତ ତଦନ୍ତ କଲେ ସତ୍ଯାସତ୍ଯ ପଦାକୁ ଆସିବ ବୋଲି କୁହାଯାଇଛି। ସେପଟେ ଅଭିଯୁକ୍ତଙ୍କୁ ନେଇଥିବା ପୋଲିସ ଏସ୍କର୍ଟ କର୍ମଚାରୀ ମାନଙ୍କୁ ତଦନ୍ତ କରାଯିବାକୁ ଦାବି ହୋଇଛି। କୌଣସି ଅଘଟଣ ଘଟିଥିଲେ କିଏ ଦାୟୀ ରହନ୍ତା ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)
Next Post