ବ୍ରହ୍ମପୁର,୨୮/୧୧(ପିପିଟି): ସମ୍ଵିଧାନକୁ ସାକ୍ଷୀ ରଖି ବ୍ରହ୍ମପୁରର ବିଶିଷ୍ଟ ଲେଖିକା ଡଃ ବିଧୁପ୍ରଭା ରଥଙ୍କ କନ୍ୟା ପ୍ରୀତିପନ୍ନାଙ୍କର ଆନ୍ଧ୍ର ପ୍ରଦେଶ କାକିନାଡା ନିବାସୀ ବି. ନାଗଗୌରୀଙ୍କ ଜ୍ୟେଷ୍ଠ ପୁତ୍ର ଭାନୁ ତେଜାଙ୍କ ସହ ଆଦର୍ଶ ବିବାହ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ବରକନ୍ୟା ପରସ୍ପରକୁ ବରଣମାଳା ଦେଇ ନିଜର ଜୀବନସାଥୀ ଭାବେ ଗ୍ରହଣ କରିବା ସହ ସମ୍ଵିଧାନର ଆଧାରରେ ଏକ ଶପଥ ପାଠ କରିଥିଲେ । ଅଣ ପାରମ୍ପରିକ ଭାବେ ଅତ୍ୟନ୍ତ ସରଳ ଓ ନିରାଡମ୍ଵର ଭାବେ ଆୟୋଜିତ ଏହି ବିବାହ ଜାତି, ଜାତକ, ଯୌତୁକ, ପୁରୋହିତ ଓ କର୍ମକାଣ୍ଡରୁ ମୁକ୍ତ ଥିଲା । ବିବାହ ପାଇଁ କୌଣସି ମୁହୂର୍ତ୍ତ ଦେଖାଯାଇ ନଥିଲା କିମ୍ବା ପୁରୋହିତ, ହୋମ କିମ୍ବା ମନ୍ତ୍ରର ଆବଶ୍ୟକ ପଡିନଥିଲା । ଭିନ୍ନ ଭିନ୍ନ ଜାତିରୁ ଆସିଥିବା ବର କନ୍ୟା ସମସ୍ତଙ୍କ ସମ୍ମୁଖରେ ଶପଥ ପାଠ କରି ଆନ୍ତଃଜାତି ବିବାହ କରିଥିଲେ । ଏହି ଅବସରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଉଭୟ ବରକନ୍ୟା ମଧ୍ୟ ରକ୍ତଦାନ କରିଥିଲେ । ବିଶିଷ୍ଟ ମନସ୍ତତ୍ତ୍ଵବିତ୍ ପ୍ରଫେସର ପ୍ରତାପ ରଥ ଉଭୟ ବରକନ୍ୟାଙ୍କୁ ଶପଥ ପାଠ କରାଇଥିଲେ । ଏଭଳି ଜାତି, ଜାତକ, ଯୌତୁକ, ପୁରୋହିତ ଓ କର୍ମକାଣ୍ଡ ବିହୀନ ନିରାଡମ୍ଵର ବିବାହ ସମାଜ ପାଇଁ ଉଦାହରଣ ଅଟେ ଏବଂ ଆଗାମୀ ଦିନରେ ଏଭଳି ବିବାହ କରିବାକୁ ଅଧିକରୁ ଅଧିକ ଯୁବକ ଯୁବତୀଙ୍କୁ ଆକୣଷ୍ଟ କରିବ ବୋଲି ଆୟୋଜକମାନେ ମତ ପ୍ରକାଶ କରିଥିଲେ । ଆଜିର ବିବାହରେ ପ୍ରଫେସର ବିଷ୍ଣୁ ଚୌଧୁରୀ, ବିଜୟ ବହିଦାର,ପ୍ରଫୁଲ୍ଲ ସାମନ୍ତରା, ପ୍ରଫେସର ବି ରାମଚନ୍ଦ୍ର ପ୍ରମୁଖ ବୁଦ୍ଧିଜୀବୀ ଉପସ୍ଥିତ ରହି ବରକନ୍ୟାଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହରର ଅନେକ ବୁଦ୍ଧିଜୀବୀ, ସାମାଜିକ ଓ ରାଜନୈତିକ କର୍ମୀ ତଥା ଉଭୟ ବରକନ୍ୟାଙ୍କ ପରିବାରର ଲୋକେ ତଥା ବନ୍ଧୁ ପରିଜନ ଯୋଗ ଦେଇଥିଲେ । ମାନବବାଦୀ ଓ ହେତୁବାଦୀ ସଂଗଠନର କର୍ମକର୍ତ୍ତାମାନେ ଏଭଳି ବିବାହ କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ସହଯୋଗ କରିଥିବା ବେଳେ ଏଭିବିଡି ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମକୁ ସହଯୋଗ କରାଯାଇଥିଲା ।