ବେଗୁନିଆପଡା,୨୭/୧୧(ପିପିଟି): ଆଜି ପବିତ୍ର ମାର୍ଗଶିର ଶୁକ୍ଳ ଅଷ୍ଟମୀ ଗୁରୁବାର ରେ କୋଦଳାରେ ପ୍ରଥମ ଥର ପାଇଁ ବହୁ ଆଡମ୍ବର ସହିତ ପୂଜା ପାଇଲେ ମା “ମହାଲକ୍ଷ୍ମୀ “। ଖଡୁରାସାହିରେ ଆନନ୍ଦ ଉଲ୍ଲାସ, ସାହିରେ ଆଧ୍ୟାତ୍ମିକ ପରିବେଶ । ଏଥି ସହିତ ଦିବ୍ୟ ପୂଜାର୍ଚନା,ଶକ୍ତିପଲ୍ଲବୋକ୍ତ ଅଷ୍ଟଲକ୍ଷ୍ମୀ ପୂଜାର୍ଚ୍ଚନା,କୁଙ୍କୁମାର୍ଜନ ସହିତ ଏକ କୁଣ୍ଡିୟ ବିଶ୍ୱକଲ୍ୟାଣ ଯଜ୍ଞ ପଣ୍ଡିତ ଉପାଶକ ସପନ କୁମାର ଶତପଥୀଙ୍କ ତତ୍ୱାବଧାନରେ ସହଯୋଗୀ ବିଦ୍ୱାନ ବ୍ରାହ୍ମଣମାନଙ୍କ ମନ୍ତ୍ର ଧ୍ୱନୀରେ ସନୁଷ୍ଠିତ ହୋଇଯାଇଛି ।ଏଥିରେ କର୍ତ୍ତା ଭାବେ ପ୍ରଦୀପ କୁମାର ପାଢ଼ୀ ଓ ଧର୍ମପତ୍ନୀ ହେମଲତା ପାଢ଼ୀ କାର୍ଯ୍ୟଭାର ସମ୍ଭାଳି ଛନ୍ତି । ବୁଧବାର ଅପରାହ୍ନରେ ନୀତି ନିର୍ଘଣ୍ଟ ଅନୁଯାଇ ଖଡୁରା ସାହିର ପ୍ରତ୍ୟେକ ଘରୁ ମହିଳା ମାନେ ନୂତନ ବସ୍ତ୍ର ପରିଧାନ କରି ଦେଉଳ ବନ୍ଧରେ ପୂଜାର୍ଚ୍ଚନା କରି ପୁର୍ଣ କଳସ ମୁଣ୍ଡରେ ଧରି କୋଦଳାର ଆରାଧ୍ୟ ଦେବତା ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କ ଆରାଧନା ପରେ ନଗର ପରିକ୍ରମା କରି କୋଦଳା ବିଜେ ଜଗନ୍ନାଥ ମନ୍ଦିର ରୁ ମହାଲକ୍ଷ୍ମୀଙ୍କ ଆଜ୍ଞାମାଳ ଧରି ଅସ୍ଥାୟୀ ମନ୍ଦୀର ର ଯଜ୍ଞ ସ୍ଥଳରେ ପ୍ରବେଶ କରିଥିଲେ ଓ ଅଙ୍କୁରା ରୋପଣ କାର୍ଯ୍ୟ ସମାପନ ହୋଇଥିଲା । ଗୁରୁବାର ବ୍ରାହ୍ମଣ ବରଣ ସହିତ ଦେବୀଙ୍କ ଚକ୍ଷୁମିଳନ ଓ ଅଗ୍ନୀ ସ୍ଥାପନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ୪ ଗୁରୁବାର ସନ୍ଧ୍ୟାରେ ପୂର୍ଣ୍ଣାହୁତି ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଶୁକ୍ରବାର ମା’ଙ୍କୁ ମେଲାଣି ସହିତ ବିସର୍ଜନ କରିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ସୁସଜ୍ଜିତ ମେଢ଼ ମଧ୍ୟରେ ମା ମହାଲକ୍ଷ୍ମୀ ବିରାଜମାନ ହୋଇଥିବା ବେଳେ ପ୍ରତ୍ୟେକ ଦିନ ସୂର୍ଯ୍ୟ ପୂଜା,ଗୋ ପୂଜା,ସନ୍ଧ୍ୟା ଆଳତୀ,ସହିତ ପର୍ଯ୍ୟାୟ କ୍ରମେ ୧୦୦୮ ଧାତ୍ରୀ ପଲ୍ଲବାର୍ପଣ,ଅଷ୍ଟଲକ୍ଷ୍ମୀ ଅର୍ଚ୍ଚନା, ଅଣିମାଆଦି ଅଷ୍ଟଲକ୍ଷ୍ମୀ ଅର୍ଚ୍ଚନା, କୁଙ୍କୁମାରର୍ଚ୍ଚନ,କାମଧେନୁ ପୂଜା,ନବ ବିହ୍ଵର୍ଚ୍ଚନା,ବରୁଣାର୍ଚ୍ଚନା,ଭଳି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବପାଇଁ ସ୍ଥିର ହୋଇଛି । କୋଦଳା ଅଞ୍ଚଳରେ ସମସ୍ତ ପୂଜା ଅନୁଷ୍ଠିତ ହେଉଥିବା ବେଳେ ପ୍ରଥମଥର ମା ମହାଲକ୍ଷ୍ମୀଙ୍କ ପୂଜା ହେଉଥିବାରୁ ଭକ୍ତଙ୍କ ମନରେ ଆଗ୍ରହ ପ୍ରକାଶ ପାଇଛି ଏବଂ ମା’ଙ୍କୁ ଦର୍ଶନ କରି ଦେବୀକୃପା ଲାଭ କରିବାକୁ ଖଡୁରାସାହି ବାସିନ୍ଦା ନିବେଦନ କରିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )