ଯାଜପୁର,୨୦/୧୧(ପିପିଟି):ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ଆଜି ଏକତା ପଦଯାତ୍ରା ଆୟୋଜନ ହୋଇଯାଇଛି।
ଯାଜପୁର ଜିଲ୍ଲାରେ ଏକତା ଏବଂ ଦେଶପ୍ରେମର ବାର୍ତ୍ତା ବାଣ୍ଟିବାକୁ ଆୟୋଜିତ ଏହି ପଦଯାତ୍ରାଟି ସୁକିନ୍ଦା ପୋଲିସ ଷ୍ଟେସନ ଠାରୁ ଅତ୍ୟନ୍ତ ଉତ୍ସାହର ସହିତ ଆରମ୍ଭ ହୋଇ ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟ ଠାରେ ଶେଷ ହୋଇଥିଲା।
ଉକ୍ତ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ସମବାୟ,ହସ୍ତତନ୍ତ, ବୟନଶିଳ୍ପ ହସ୍ତଶିଳ୍ପ ପ୍ରଦୀପ ବଳ ସାମନ୍ତ ସମସ୍ତଙ୍କୁ ଏହି ଏକତା ଦୌଡ ପଦଯାତ୍ରାର ଶୁଭେଚ୍ଛା ଜଣାଇବା ସହ କହିଲେ ଆଜିର ଏହି ପଦଯାତ୍ରାର ଏକତା ଦୌଡ଼ରେ ମୁଁ ଯୋଗଦେଇ ଅତ୍ୟନ୍ତ ଆନନ୍ଦିତ। ଭାରତର ସ୍ଵାଧୀନତା ଆନ୍ଦୋଳନର କର୍ଣ୍ଣଧାର ଜଣେ ପ୍ରକୃତ ଦେଶ ପ୍ରେମୀ ଓ ସ୍ଵାଧୀନତା ସଂଗ୍ରାମୀ ଭାରତର ଏକତ୍ରିକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି। ତାଙ୍କର ନେତୃତ୍ୱ ଓ ପ୍ରତିବଦ୍ଧତା ଯୋଗୁଁ ଆଜି ଅଖଣ୍ଡ ଭାରତ ଗଠନ ସମ୍ଭବ ହୋଇଛି। ସ୍ୱାଧୀନତା ସମୟରେ ୫୬୨ ଟି ଗଡ଼ଜାତ ରାଜ୍ୟକୁ ଭାରତରେ ସାମିଲ କରି ଏକ ରାଷ୍ଟ୍ରରେ ପରିଣତ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସର୍ଦ୍ଦାର ପଟେଲ ଜଣେ ବିଜ୍ଞ ଓକିଲ ଥିଲେ। ପରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଓକିଲାତି ଛାଡ଼ି ସେ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ସେ ଏକ ସାଧାରଣ ଜୀବନରୁ ଉଠି ଭାରତର ଲୌହ ମାନବ ଭାବେ ପରିଚିତ ହୋଇପାରିଥିଲେ। ତାଙ୍କର ଅସାଧାରଣ ନେତୃତ୍ୱ ଦକ୍ଷତା ଓ ଜନସାଧାରଣଙ୍କୁ ସଂଗଠିତ କରିବାର କ୍ଷମତା ତାଙ୍କୁ ସର୍ଦ୍ଦାର ଉପାଧି ପ୍ରଦାନ କରିଥିଲା। ୧୯୪୭ ମସିହାରେ ଦେଶ ସ୍ଵାଧୀନ ହେବା ପରେ ଏହା ସଶକ୍ତ ଓ ସମୃଦ୍ଧ ଭାରତ ଗଢିବାରେ ସର୍ଦ୍ଦାର ପଟେଲଙ୍କ ଅବଦାନ ଥିଲା ଅତୁଳନୀୟ। ତାଙ୍କର ପ୍ରୟାସ ଭାରତର ବିଖଣ୍ଡନକୁ ରୋକିଥିଲା। ସର୍ଦ୍ଦାର ପଟେଲଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଅକ୍ଟୋବର ୩୧ ରୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି। ଆଜି ର ଏହି ଦିବସ ଅବସରରେ ତାଙ୍କ ଅବଦାନକୁ ମନେ ରଖି ଜାତୀୟ ଏକତା ଓ ଅଖଣ୍ଡତା କୁ ବଜାୟ ରଖିବାକୁ ମାନ୍ୟବର ମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।
ଆଜିର ଏହି ଦିବସରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଂସଦ ଯାଜପୁର ଡ଼ା. ରବୀନ୍ଦ୍ର ନାରାୟଣ ବେହେରା କହିଲେ ଆଜିର ଏହି ପବିତ୍ର ଅବସରରେ ଆମେ ସମସ୍ତେ ଏକତ୍ର ହୋଇଛୁ । ଭାରତର ଲୌହ ମାନବ ରାଷ୍ଟ୍ର ଏକତାର ଶିଳ୍ପି, ସ୍ୱତନ୍ତ୍ର ଭାରତର ସଂଘଠନ ରୂପକର୍ତ୍ତା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ କରିବାକୁ। ସୁକିନ୍ଦାର ଏହି ଐତିହାସିକ ଧରିତ୍ରୀରେ ହୋଇଥିବା ଏକତା ପଦଯାତ୍ରା ଆଜି ମାତ୍ର ଏକ କାର୍ଯ୍ୟକ୍ରମ ନୁହେଁ, ଏହା ହେଉଛି ଆମ ଜାତୀୟ ଏକତାର ସନ୍ଦେଶ, ଆମ ପିଢିପିଢିର ପ୍ରେରଣା। ତାଙ୍କର ଦୃଢତା ଓ ଜାତୀୟତାର ଆଗ୍ନେୟ ଶକ୍ତିକୁ ଆଜିର ପଦଯାତ୍ରା ଆମକୁ ପୁନଃ ସ୍ମରଣ କରାଉଛି। ସୁକିନ୍ଦାର ଜନସାଧାରଣ, ଯୁବ ପିଢି, ମହିଳା ମାନେ, ଛାତ୍ରଛାତ୍ରୀ—ସମସ୍ତଙ୍କର ଉତ୍ସାହିତ ଅଂଶଗ୍ରହଣ ଆମକୁ ଆଶା ଦେଉଛି ଯେ ଆମ ଜିଲ୍ଲାର ପ୍ରତ୍ୟେକ ମଣିଷ ଏକତା, ଶାନ୍ତି, ଭାଇଚାରା ଓ ଦେଶଭକ୍ତିର ପଥରେ ସଦା ଅଗ୍ରସର ରହିବେ। ଭାରତ ଏବେ ଏକ ଦ୍ରୁତଗତିଶୀଳ ଉନ୍ନତ ଜାତି ଭାବେ ଦୁନିଆରେ ସ୍ଥାନ ନେଉଛି। କିନ୍ତୁ ଏହି ଉନ୍ନତିର ଭିତ୍ତି ମଜବୁତ ହେବାର ପାଇଁ ଆପଣ-ଆମେ ମିଶି ସମାଜରେ ଏକତା, ସହିଷ୍ଣୁତା, ପରସ୍ପର ସମ୍ମାନକୁ ଶକ୍ତିଶାଳୀ କରିବା ଆବଶ୍ୟକ।
ଉକ୍ତ ଦିବସରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ କହିଲେ ଆଜିର ଏହି ଅବସର ଆମ ସମସ୍ତଙ୍କ ପାଇଁ ଅସାଧାରଣ ଗର୍ବ ଓ ପ୍ରେରଣାର ଦିନ। ସୁକିନ୍ଦାର ପବିତ୍ର ମାଟିରେ ଆୟୋଜିତ ଏକତା ପଦଯାତ୍ରା ମାଧ୍ୟମରେ ଆମେ ଭାରତର ଲୌହ ମାନବ ସ୍ଵାଧୀନ ଭାରତର ଏକତାର ଶିଳ୍ପୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀକୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ। ସର୍ଦ୍ଦାର ପଟେଲ କେବଳ ଏକ ନେତା ନୁହେଁ,ସେ ଥିଲେ ଭାରତୀୟ ଏକତାର ସଜିବ ପ୍ରତୀକ। ୫୬୨ଟି ଦେଶୀ ରାଜ୍ୟକୁ ଏକ ସୂତ୍ରରେ ବାନ୍ଧି ଭାରତକୁ ଏକ ଦୃଢ଼ ଜାତିରେ ପରିଣତ କରିବା ଯେପରି ସମ୍ଭବ ହୋଇଥିଲା । ସେ ତାଙ୍କର ଅଦମ୍ୟ ସାହସ, ଦୃଢ଼ ଇଚ୍ଛାଶକ୍ତି ଏବଂ ରାଷ୍ଟ୍ରପ୍ରେମର ଫଳ। ଆଜିର ପଦଯାତ୍ରା ତାଙ୍କ ତ୍ୟାଗ ଏବଂ ଆଦର୍ଶକୁ ସ୍ମରଣ କରିବାର ଏକ ପବିତ୍ର ପ୍ରୟାସ। ଭାରତ ଶକ୍ତିଶାଳୀ ଦେଶ ହେବାର ପଥ ଏକତା ଧର୍ମରେ ନିହିତ।”
ଏହି ଦିବସ ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦର୍ଶନୀ ଷ୍ଟଲ ମାନ ଖୋଲାଯାଇଥିଲା।
ଆଜିର ଏହି ଏକତା ଦୌଡ ପଦଯାତ୍ରା ଦିବସ ଅବସରରେ ବି.ଜେ.ପି ସଭାପତି ଦେବଜାନୀ ପ୍ରଧାନ,ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ,ଅତିରିକ୍ତ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ,ବି.ଡି.ଓ ଦାନଗଦି,ବି.ଡି.ଓ ସୁକିନ୍ଦା,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ଜିଲ୍ଲା ସଂସ୍କୃତି ଅଧିକାରୀ, ସୁକିନ୍ଦା ବ୍ଲକ ର ସମସ୍ତ ଅଧିକାରୀ ଓ କର୍ମଚାରୀ,ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ,ବୁଦ୍ଧିଜୀବୀ,ସ୍ୱୟଂ ସହାୟିକା ଗୋଷ୍ଠୀର ମା’ ମାନେ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।