ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ପଦଯାତ୍ରା ଅନୁଷ୍ଠିତ।

0 230

ଭଞ୍ଜନଗର,୧୯/୧୧ (ପିପିଟି)::ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ପ୍ରଶାସନ ପକ୍ଷରୁ ବୁଧବାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ଏନେଇ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରୁ ଏକ ଏକତା ପଦଯାତ୍ରା ବାହାରିଥିଲା। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶ ସ୍ବାଧୀନତା ପୂର୍ବରୁ ୫୬୦ ଗଡ଼ଜାତ ରାଜ୍ୟକୁ ମିଶାଇଥିଲେ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ନ ଥିଲେ ଆଜି ଆମେ ଦେଶର ମାନଚିତ୍ର ଆଙ୍କି ପାରି ନ ଥାନ୍ତେ ।
ଅପରେଶନ ସିନ୍ଦୂରରେ ୧୦୦ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସ୍ବଦେଶୀ ଅସ୍ତ୍ରଶସ୍ତ୍ର ବଳରେ ଆମ ସେନା ବହୁତ ଶକ୍ତିଶାଳୀ। ଆମେ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭର ହେଉଛନ୍ତ। କୃଷକମାନଙ୍କ ବିକାଶ କରାଯାଉଛି ବୋଲି ପାଣିଗ୍ରାହୀ କହିଥିଲେ। ଚାଷୀଙ୍କୁ ୮୦୦ ଟଙ୍କା ଇନ୍‌ ପୁଟ୍‌ ସବସିଡ୍‌ ଦିଆଯାଉଛି। ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଷ୍ଟାର୍ଟ ଅପ୍‌ ଇଣ୍ଡିଆ ମାଧ୍ୟମରେ ଋଣ ଦିଆଯାଉଛି । ବାହାରୁ ଆସିଥିବା ଜିନିଷ ଛାଡ଼ି ନିଜ ଅଞ୍ଚଳର ଜିନିଷ କିଣିବା, ସ୍ବଦେଶୀ ଜିନିଷ ବ୍ୟବହାର କରିବା ପାଇଁ ସାଂସଦ ଉପସ୍ଥିତ ଲୋକଙ୍କୁ ଆହ୍ବାନ ଦେଇଥିଲେ।

ଉତ୍ସବରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଜିଲାପାଳ ଉମାଶଙ୍କର ବେହେରା, ବିଡିଓ ଭାରତୀ ଦେବୀ, ତହସିଲଦାର ଅଭିପ୍‌ସା ପଟ୍ଟନାୟକ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ଼.ଦୀପକ କୁମାର ମିଶ୍ର, ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ନାରୀସଭା ନାୟକ, ନିର୍ବାହୀ ଅଧିକାରୀ ମୁରଲୀ ପଣ୍ଡା, ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ର, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁପ୍ରସାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଶୋଭାଯାତ୍ରାକୁ ସଫଳ କରିବାରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା, ଏନ୍‌ସିସି, ଯୁବ ରେଡକ୍ରସ, ସାବିତ୍ରୀ ମହିଳା ମହାବିଦ୍ୟାଳୟ, ଡିହପଢାଳ, ଲାଲସିଂ, କେନ୍ଦ୍ରୀୟ ବିଦ୍ୟାଳୟ ପ୍ରମୁଖ ବିଦ୍ୟାଳୟ ଓ କଲେଜର ଛାତ୍ରୀ ଛାତ୍ର ଭାଗ ନେଇଥିଲେ। ଛାତ୍ରୀଛାତ୍ର କଲେଜରୁ ଶୋଭାଯାତ୍ରାରେ ବାହାରିବା ପରେ ବାଟରେ ଏକାଧିକ ସ୍ଥାନରେ ପଥପ୍ରାନ୍ତ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଶେଷରେ କୃତୀ ଛାତ୍ରୀଛାତ୍ର ଏବଂ ଅଞ୍ଚଳର କିଛି ଜଣାଶୁଣା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.