ଜିଲ୍ଲାରେ ପ୍ରତିବର୍ଷ ଧାନକିଣାରେ ହେଉଥିବା କୋଟି କୋଟି ଟଙ୍କାର ଦୁର୍ନୀତିକୁ ବନ୍ଦ କରାଯାଉ।

0 316

ବ୍ରହ୍ମପୁର,୧୮/୧୧(ପିପିଟି): ରାଜ୍ୟର ଏକ କୃଷି ପ୍ରଧାନ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲାରେ ପ୍ରାୟ ୫.୨ ଲକ୍ଷ ଚାଷୀ ଓ ୨.୫ ଲକ୍ଷ ଭାଗଚାଷୀ ଧାନ ଚାଷ କରିଥାନ୍ତି। କେବଳ ମାତ୍ର ୪୦% ଭାଗ ଜମି ହିଁ ଜଳସେଚିତ ହୋଇଥିବାରୁ ଚାଷୀମାନେ କେବଳ ଧାନ ଫସଲକୁ ହିଁ କରିଥାନ୍ତି। ଏହି କାରଣରୁ ଜିଲ୍ଲାର କୃଷି ଅର୍ଥନୀତି କହିଲେ କେବଳ ଧାନ ଫସଲକୁ ହିଁ ବୁଝାଉଛି। କିନ୍ତୁ ଦୁଃଖର କଥା, ଜିଲ୍ଲାର ଏତେ ସଂଖ୍ୟକ ଚାଷୀ ପ୍ରତିବର୍ଷ ଧାନ ସଂଗ୍ରହ ବେଳେ ଭୟଙ୍କର ଶୋଷଣ ଓ ଠକାମୀର ଶିକାର ହେଇ ଆସିଛନ୍ତି। ସରକାରୀ ଅଫିସର ଓ ମିଲ୍ ମାଲିକଙ୍କ ଅଶୁଭ ମେଂଟ ଯୋଗୁଁ ପ୍ରତିବର୍ଷ ଧାନ ସଂଗ୍ରହ ବେଳେ କୋଟି କୋଟି ଟଙ୍କାର ଦୁର୍ନୀତି ହେଉଥିବା ବେଳେ ଚାଷୀମାନେ ଭୟଙ୍କର ଶୋଷର ଓ ପ୍ରତାଡ଼ନାର ଶିକାର ହେଉଛନ୍ତି। ସରକାର ଗତବର୍ଷ ଧାନ କ୍ୱିଂଟାଲ ପିଛା ୮୦୦ ଟଙ୍କା ଦେବା ପରି ଏକ ଭଲ ପଦକ୍ଷେପ ନେଇଥିଲେ ବି ତା’ର ସୁଫଳ ସବୁ ଚାଷୀଙ୍କୁ ମିଳିପାରିଲା ନାହିଁ। ପୂର୍ବରୁ ଭାଗଚାଷୀଙ୍କ ପଞ୍ଜୀକରଣ ନିୟମ ସରଳ ଥିବା ବେଳେ ତାକୁ ବର୍ତମାନର ସରକାର ଜଟିଳ କରି ଦେଇଥିବାରୁ ଜିଲ୍ଲାର ୨.୫ ଲକ୍ଷ ଭାଗଚାଷୀ ଧାନ ସଂଗ୍ରହ ଓ ବୋନସ୍ ପାଇବାରୁ ସମ୍ପୂର୍ଣ୍ଣ ଭାବେ ବଂଚିତ ରହିଛନ୍ତି। ସରକାର ଭାଗଚାଷୀଙ୍କ ଧାନ ସଂଗ୍ରହ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଆମେ ଦାବି କରୁଛୁ।

ଜିଲ୍ଲାରେ ୩୬୦ଟି ସମବାୟ ସମିତି, ୧୦୦ରୁ ଅଧିକ ମହିଳା ସ୍ୱଂୟ ସହାୟିକା ଗୃଫ୍ ଏବଂ ଗୋଟିଏ ପାଣି ପଂଚାୟତ ଧାନ ସଂଗ୍ରହକାରୀ ଏଜେନ୍ସୀ ଭାବେ ଅଧିକୃତ ହୋଇଥିବା ବେଳେ ବସ୍ତୁତଃ ମିଲ୍ ମାଲିକମାନେ ହିଁ ଚାଷୀଙ୍କ ଠାରୁ ସିଧାସଳଖ ଧାନ କିଣୁଛନ୍ତି। ସରକାରଙ୍କ ତରଫରୁ ଏଯାଏଁଜିଲ୍ଲାରେ କøଣସି ଧାନମଣ୍ଡି ନଥିବାରୁ ବସ୍ତୁତଃ ମିଲ ମାଲିକଙ୍କ ଧାନ ମିଲ୍ ଗୁଡ଼ିକ ସରକାରୀ ଘୋଷିତ ଧାନ କ୍ରୟ କେନ୍ଦ୍ର (ପିପିଏଚ୍‌) ରୂପେ କାର୍ଯ୍ୟକରୁଛି। ଗତ ସରକାର ସମୟରେ ଧାନ କିଣାରେ କଟନୀ ଓ ଛଟନୀକୁ ସମ୍ପୂର୍ଣ୍ଣ ବିରୋଧ କରୁଥିବା ବିଜେପି ଦଳ ଏବେ କ୍ଷମତାକୁ ଆସିବା ପରେ ମଧ୍ୟ ପୂର୍ବଭଳି କଟନୀ ଓ ଛଟନୀ ନାଁରେ ଚାଷୀ ଶୋଷଣର ଶିକାର ହେଉଛନ୍ତି। ଗତବର୍ଷ ଗଞ୍ଜାମ ଜିଲ୍ଲାରେ ଧାନ କ୍ୱିଂଟାଲ ପିଛା ୫-୧୨ କେ.ଜି ଚାଷୀମାନଙ୍କ ଠାରୁ କଟାଯାଉଛି। ଏହା ବ୍ୟତିତ ସରକାର ଧାନ ସଂଗ୍ରହ ଓ ମିଲିଂ ବାବଦରେ ସବୁ ଖର୍ଚ୍ଚ ବହନ କରୁଥିବା ବେଳେ ମିଲରମାନେ ଚାଷୀଙ୍କ ଠାରୁ ବେଆଇନ ଭାବେ ସେମାନଙ୍କ ଅଖା ରଖିଦେବା ସହ ଧାନ ସଂଗ୍ରହ କେନ୍ଦ୍ର ପର୍ଯ୍ୟନ୍ତ ପରିବହନ ଖର୍ଚ୍ଚ ଓ ଲୋଡ଼ିଂ ଅନ୍ ଲୋଡ଼ିଂ ବାବଦରେ ଖର୍ଚ୍ଚକୁ ଚାଷୀଙ୍କୁ ନଦେଇ ହଡ଼ପ କରି ନେଉଛନ୍ତି। ଏସବୁ ବାବଦରେ ମିଲରମାନେ ପ୍ରତିବର୍ଷ ଚାଷୀଙ୍କ କୋଟି କୋଟି ଟଙ୍କା ହଡ଼ପ କରୁଥିବା ବେଳେ ସରକାରୀ ଅଧିକାରୀ ଓ ରାଜନୈତିକ ନେତାମାନେ ଚୁପ୍ ରହିବା ସେମାନଙ୍କ ସହଯୋଗୀତାକୁ ପ୍ରମାଣିତ କରୁଛି। ଏ ସମ୍ପର୍କରେ ଅତିତରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ବି ସେନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ।

ସରକାରଙ୍କ ଦାୟୀତ୍ୱହୀନତା କାରଣରୁ ଜିଲ୍ଲାରେ ଫସଲବୀମା ନାଁରେ ଘରୋଇ ବୀମା କମ୍ପାନୀମାନେ ଚାଷୀମାନଙ୍କୁ ଫସଲ କ୍ଷତିପୂରଣ ଠିକ୍ ରୂପେ ଦେଉନଥିବା ବେଳେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଠାରୁ ପ୍ରମିୟମ୍ ବାବଦରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଲୁଟ୍ କରି ନେଉଛନ୍ତି। ଗତବର୍ଷ ଡ଼ିସେମ୍ବର ମାସରେ ହୋଇଥବା ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କ ମଧ୍ୟରୁ ଫସଲ ବୀମା କରିଥିବା ୧,୪୫,୯୫୩ ଜଣ ଚାଷୀଙ୍କ ମଧ୍ୟରୁ ମାତ୍ର ୪୧,୫୯୫ ଜଣ ହିଁ ମୋଟ ୯.୨୯ କୋଟି ଟଙ୍କାର ବୀମା ସହାୟତା ପାଇଥିଲେ। କମ୍ ସମୟ ମଧ୍ୟରେ ଅନ୍‌ଲାଇନ୍ ଜରିଆରେ ଆବେଦନ କରି ନପାରିବା ନାଁରେ କମ୍ପାନୀ ଅଧିକାଂଶ ଚାଷୀଙ୍କୁ ଫସଲ କ୍ଷତିପୂରଣରୁ ବଂଚିତ କରିଥିଲା। ଏପରିକି ସରକାରଙ୍କ ତରଫରୁ ଇନ୍‌ପୁଟ୍ ସବସିଡ଼ି ପାଇଥିବା ଅନେକ କ୍ଷତିଗ୍ରସ୍ତ ଚାଷୀ ମଧ୍ୟ ଘରୋଇ ବୀମା କମ୍ପାନୀଙ୍କ ଠାରୁ ଫସଲ ବୀମା ବାବଦରେ କୌଣସି ସହାୟତା ପାଇନଥିଲେ। ଗତବର୍ଷ କେବଳ ଗଞ୍ଜାମ ଜିଲ୍ଲାର ଚାଷୀଙ୍କୁ ଫସଲ ବୀମା ଯୋଗାଇବା ନାଁରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତଥା ଚାଷୀ ପ୍ରମିୟମ୍ ବାବଦରେ ୭୬.୨୩ କୋଟି ଟଙ୍କା ଘରୋଇ ବୀମା କମ୍ପାନୀ,ରିଲାଏନ୍ସକୁ ଦେଇଥିବା ବେଳେ କମ୍ପାନୀ ମାତ୍ର ୯.୨୯ କୋଟି କ୍ଷତିପୂରଣ ଦେଇ ବଳକା ୬୭ କୋଟି ଟଙ୍କା ନେଟ୍ ଲାଭ ପାଇଛି। ଯଦି ଫସଲ ବୀମା ଠିକ୍ ରୂପେ କାର୍ଯ୍ୟକାରୀ ହୋଇଥାନ୍ତା,ତାହେଲେ ଜିଲ୍ଲାର ଚାଷିମାନେ କମ୍ ସେ କମ୍ ୩୦ କୋଟି ଟଙ୍କା କ୍ଷତିପୂରଣ ବାବଦରେ ପାଇଥାନ୍ତେ।

ଏହି ପରିପ୍ରେକ୍ଷୀରେ ଆମେ ଗଞ୍ଜାମ ଜିଲ୍ଲାରେ ଧାନ ସଂଗ୍ରହ ନାଁରେ ମିଲ୍ ମାଲିକ ଓ ସରକାରୀ ଅଧିକାରୀଙ୍କ ଦ୍ୱାରା ଚାଲିଥିବା ଦୁର୍ନୀତିକୁ ବନ୍ଦ କରି ଚାଷୀଙ୍କୁ ଶୋଷଣରୁ ରକ୍ଷା କରିବାକୁ ଆମେ ଉଭୟ ଚାଷୀ ସଂଗଠନ ଦାବି କରୁଛୁ। ଏଫଏକ୍ୟୁ ମାନ ନାଁରେ ଚାଷୀଙ୍କ ଧାନରେ ମନଇଛା କଟନୀ ଛଟନୀ କରାଗଲେ ଜିଲ୍ଲାରେ ଚାଷୀମାନେ ପ୍ରତିବାଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଆମେ ଚେତାବନୀ ଦେଉଛୁ। ସରକାର ଧାନ ସଂଗ୍ରହ ବେଳେ ଚାଷୀଙ୍କୁ ସେମାନଙ୍କ ଅଖା ଫେରାଇବା ସହ ପରିବହନ ଖର୍ଚ୍ଚ ଓ ଲୋଡ଼ିଂ ଅନ୍‌ଲୋଡ଼ିଂ ଖର୍ଚ୍ଚ ବାବଦରେ ପ୍ରାପ୍ୟ ଦେବାକୁ ମିଲମାଲିକମାନଙ୍କୁ ବାଧ୍ୟ କରିବାକୁ ଆମେ ଦାବି କରୁଛୁ। ଫସଲ ବୀମା ନାଁରେ ଚାଷୀଙ୍କୁ ପ୍ରତାରିତ କରି ଘରୋଇ ବୀମା କମ୍ପାନୀଙ୍କୁ ଲାଭ ପହଞ୍ଚାଇବାର ନୀତିକୁ ବନ୍ଦ କରିବାକୁ ଦାବି କରୁଛୁ।

ଆଜିର ସାମ୍ବାଦିକ ସମ୍ମିଳନୀରେ ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ, ଧନୁର୍ଦ୍ଧର ପଲେଇ, ପ୍ରକାଶ ପଲେଇ, ଅଖିଳ ଭାରତ କିଶାନ୍ ମଜଦୂର ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଜିଲ୍ଲା ସମ୍ପାଦକ ଲଡ଼ୁ କିଶୋର ଡ଼ାକୁଆ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.