ହିଞ୍ଜିଳିକାଟୁ,୨୮/୧୦(ପିପିଟି): ବାତ୍ୟା ମୋନ୍ଥାକୁ ନେଇ ରାଜ୍ୟ ସରକାର ଆଗୁଆ ସତର୍କତା ସହ ଜିରୋ କାଜୁଆଲଟି ନିମନ୍ତେ ବିଭିନ୍ନ ପ୍ରକାର ପ୍ରସ୍ତୁତି ଅବଲମ୍ବନ କରିଛନ୍ତି । ବାତ୍ୟାକୁ ଦୃଷ୍ଟିରେ ରଖି ଉପକୂଳ ଅଞ୍ଚଳର ସମସ୍ତ କର୍ମଚାରୀଙ୍କ ଛୁଟି କୁ ମଧ୍ୟ ବାତିଲ କରିଦିଆଯାଇଛି । ଏ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପ୍ରସ୍ତୁତିରେ ଆଗୁଆ ରହିଛି । ବିଭିନ୍ନ ଅଞ୍ଚଳର ଉପୁଜିବାକୁ ଥିବା ଅସୁବିଧା ର ଆଗୁଆ ସମାଧାନ ପାଇଁ ଜିଲ୍ଲା ତରଫରୁ ମଧ୍ୟ କଡା ନିର୍ଦ୍ଦେଶ ନାମା ରହିଛି । ବାତ୍ୟା ଦ୍ବାରା ପ୍ରଭାବିତ ନ ହେବା ପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ବନ୍ଦ କରିଦିଆଯାଇଛି । ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଳକ ପ୍ରଶାସନ ତତ୍ପରତା ପ୍ରଦର୍ଶନ ବେଳେ ଏବଂ ପିଡୀତ ଜନସାଧାରଣଙ୍କୁ ବାତ୍ୟା ଆଶ୍ରୟସ୍ଥଳିକୁ ସ୍ଥାନାନ୍ତରିତ କରାଯାଇଛି । ଏଭଳି ପରିସ୍ଥିତିରେ ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀଣି ଛୁଟିରେ ଯାଇଥିବା ଶୁଣିବାର ମିଳିଛି । ଉକ୍ତ ବିଷୟକୁ କେନ୍ଦ୍ର କରି ହିଞ୍ଜିଳି ମୁଖ୍ୟ କିରାଣୀଙ୍କୁ ପଚାରିବାରୁ ଉତ୍ତର ଦେବାରେ ଆଗପଛ ହେବା ସହ ଦୁଇ ତାରିଖ ପର୍ଯ୍ୟନ୍ତ ମ୍ଯାଡେମ ଛୁଟିରେ ଥିବା କହିଛନ୍ତି । ଅନ୍ୟ ପକ୍ଷରେ ହିଞ୍ଜିଳି ବ୍ଳକ ଦାୟୀତ୍ୱରେ ଥିବା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧ୍ୟ ମୁଖ୍ୟ କିରାଣୀଙ୍କ ପରି ସମାନ ମନ୍ତବ୍ୟ ରଖିଛନ୍ତି । ଅପରପକ୍ଷରେ ହିଞ୍ଜିଳି ବ୍ଳକ ଅଧ୍ୟକ୍ଷାଙ୍କୁ ବାତ୍ୟା ସମୟର ଭଲମନ୍ଦ ବିଷୟ ପଚାରିବା ସହ ବିଡିଓଙ୍କ ଏହି ଭଳି ସମ୍ବେଦନଶୀଳ ସମୟରେ ନେଇଥିବା ଛୁଟି ଉପରେ ପ୍ରଶ୍ନ କରିବାରୁ ବ୍ଳକ ଅଧ୍ୟକ୍ଷା ସ୍ବରସ୍ବତୀ ସେଠୀ କିଛି ଜାଣି ନଥିବା ପ୍ରଥମେ ସୂଚନା ଦେଇଥିଲେ । ପରବର୍ତ୍ତୀ ସମୟରେ ଶ୍ରୀମତୀ ସେଠୀ ବ୍ଳକ କାର୍ଯ୍ଯାଳୟ ସହିତ ଯୋଗାଯୋଗ କରି ବିଡିଓ ମହୋଦୟା ଛୁଟିରେ ଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସରକାରୀ ନିର୍ଦ୍ଦେଶନାମାକୁ ଉଲ୍ଲଘଂନ ନେଇ ଉପଜିଲ୍ଲାପାଳଙ୍କ ଠାରୁ ପଚାରାଯିବାପରେ ବିଡିଓ ସୁଶ୍ରୀ ସାଗରିକା ଷଡ଼ଙ୍ଗୀ ଛୁଟି ନେଇଥିବା କଥା ଜାଣିନାହାଁନ୍ତି ବୋଲି ସୁଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସମାଜସେବୀ ତଥା ସୁଚନା ଆଇନ କର୍ମୀ ସମରଜିତ୍ ମହାନ୍ତି ବିଷୟକୁ ନିନ୍ଦା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନକୁ ଏକ୍ସରେ ମାଧ୍ୟମରେ ଟୁଇଟ କରିବା ସହିତ ଇମେଲ କରିଛନ୍ତି ।
(ରିପୋର୍ଟ- ଅଜିତ୍ କୁମାର ପଟ୍ଟନାୟକ)