ଭଞ୍ଜନଗର, ୧୯/୧୦(ପିପିଟି):ଆଉ ଦିନକ ପରେ ଆସୁଛି ଆଲୋକର ପର୍ବ ଦୀପାବଳି।କାଳୀପୂଜା ଓ ଦୀପାବଳିକୁ ନେଇ ଗାଁ ଠାରୁ ସହର ଚଳ ଚଞ୍ଚଳ।ଏହି ପର୍ବ ପାଳନକୁ ନେଇ ଛୋଟ ପିଲାଙ୍କ ଠାରୁ ଯୁବଗୋଷ୍ଠୀ ଆଗ୍ରହର ସହିତ ଅପେକ୍ଷା କରି ରହିଛନ୍ତି।ଏଥି ନିମନ୍ତେ ପ୍ରସ୍ତୁତି ମଧ୍ୟ ଚାରିଆଡ଼େ ଆରମ୍ଭ ହୋଇଯାଇଛି।ଏହି ପର୍ବରେ ସମସ୍ତେ ନିଜ ଘରକୁ ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜ୍ଜିତ କରିବା ସହ ଭଳିକି ଭଳି ଆତସବାଜି କିଣିବା ପାଇଁ ଦୋକାନରେ ଭିଡ଼ ଜମେଇଲେଣି। ପ୍ରଶାସନ ପକ୍ଷରୁ ଭଞ୍ଜନଗର ଜେଲ୍ ପଡ଼ିଆରେ କେତେକ ଅସ୍ଥାୟୀ ବାଣ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି।କୌଣସି ଅଘଟଣକୁ ଆଶଙ୍କା କରି ସୁରକ୍ଷା ଦୃଷ୍ଟିରୁ ବ୍ୟବସାୟୀ ମାନେ ମଧ୍ୟ ସମସ୍ତ ସତର୍କତା ଅବଲମ୍ବନ କରି ନିଜ ନିଜର ଦୋକାନ ଖୋଲିଛନ୍ତି।ଏହି ୩ଦିନ ମଧ୍ୟରେ ଭଲ ଦୁଇ ପଇସା ଲାଭ ଆଶାରେ ବ୍ୟବସାୟୀ ମାନେ ଲକ୍ଷ ଲକ୍ଷ ଟଙ୍କାର ଆତସବାଜି ଆଣି ଦୋକାନରେ ଗଛିତ ରଖିଥିବା ବେଳେ ଆଜି ମଧ୍ୟାହ୍ନରେ ଭଞ୍ଜନଗର ସମେତ ଆଖପାଖ ଅଞ୍ଚଳରେ ପାଣିପାଗରେ ପରିବର୍ତ୍ତନ ଘଟି ହାଠାତ୍ ମେଘ ପବନ ଆସି ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଥିଲା।ଯାହାକୁ ନେଇ ବ୍ୟବସାୟୀ ମାନେ ହଇରାଣ ହରକତ ହୋଇଥିବା ବେଳେ ଗ୍ରାହକମାନେ ମଧ୍ୟ ନିରାଶ ହୋଇଛନ୍ତି।ଆସନ୍ତା କାଲି ପର୍ଯ୍ୟନ୍ତ ଯଦି ଏଭଳି ପାଗ ଲାଗିରହେ ତାହେଲେ ବ୍ୟବସାୟୀମାନେ କ୍ଷତି ସହିବା ନିଶ୍ଚିତ ଥିବା ବେଳେ ଦୀପାବଳି ମଧ୍ୟ ଫିକା ପଡ଼ିବ ବୋଲି ଆଶା କରାଯାଉଛି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)