ମଣିଷ ହୋଇଣ ଲଭିଅଛ ଜନ୍ମ
ମାନବିକତାକୁ ଶିଖ…..
ଜାତି ଧର୍ମ ନାମେ ହେଲେ ରକ୍ତପାତ
ନାହିଁ ତା’ର ଆବଶ୍ୟକ……!!
ହଜାର ହଜାର ଜାତି ସୃଷ୍ଟି କରି
କିଏ ସେ ବୋଲାଏ ଉଚ୍ଚ
କେଉଁ ଜାତି ନାମେ ଲଗାଇ କଳଙ୍କ
ଘୃଣା କରି କଲ ନୀଚ୍ଚ….!!
କେଉଁ ଜାତି ଶ୍ରେଷ୍ଠ ବୋଲାଇ ନିଜକୁ
ଈଶ୍ୱର ବିଶ୍ବର ଭାବେ…..
ସବୁ ସୁଖ ଶୀରି ହରଣ କରିଣ
ଅଭିଳାଷେ ଜୀଏଁ ଗର୍ବେ……!!
ଉଚ୍ଚ ଉଚ୍ଚ କହି ଘୋଷଣା କରଇ
ଜାତି ପ୍ରଥା ତିଷ୍ଠି ରହୁ….
ସମାଜରେ ନୀତି ଶାସ୍ତ୍ରୀୟ ସମ୍ମତ
ବୋଲି ସାଧୁଥାଏ ଦାଉ….!!
ଯେତେ ଶାସ୍ତ୍ର ମର୍ତ୍ତ୍ଯେ ହୋଇଛି ରଚନା
ମାନବ ରଚିଛି ସିନା….
ଈଶ୍ୱର ନାମରେ ମାରିଣ ମୋହର
ପ୍ରଚାରରେ ବ୍ୟସ୍ତ ମନା….!!
ଲୋକଙ୍କୁ ଅଜ୍ଞାନ ବନାଇ ସହଜେ
ଧନ୍ଦା ଚଳାଇଅନ୍ତି ଧୂର୍ତ୍ତ….
ଅନ୍ଯର ପ୍ରଗତି ପଥେ କଣ୍ଟା ସାଜି
ଖୋଦନ୍ତି ମୃତ୍ୟୁର ଗର୍ତ୍ତ….!!
ଛୁଆଁ ଅଛୁଆଁର ଭେଦଭାବ କରି
ହିଂସାର ବୀଜକୁ ବୁଣି….
ମାନବବାଦକୁ କରିଥାନ୍ତି ହତ୍ୟା
ଜାତି ମାୟା ଜାଲ ବୁଣି….!!
ସେହି ପରି ଧର୍ମ ବିଭିନ୍ନ ଦେଶରେ
ଭିନ୍ନ ଭିନ୍ନ ପନ୍ଥା ବହି….
ତିଷ୍ଠି ରହିଅଛି ସମାଜ ଭିତରେ
କଳହର ରୂପ ନେଇ….!!
ଧର୍ମ ଧର୍ମ ମଧ୍ୟେ ଯୁଦ୍ଧର ଡାକରା
ମାନବ ପଡଇ ବଳୀ….
ରକ୍ତାକ୍ତ ସଂଘର୍ଷ ଘଟେ କ୍ଷଣେ କ୍ଷଣେ
ଦେଶ ବଦଶରେ ପୁଣି….!!
ନର ସଂହାର କି ଧର୍ମ ମୂଳ ମନ୍ତ୍ର
ଧର୍ମ ଧ୍ବଜାଧାରୀ କୁହ…..
ରାକ୍ଷସ ଆଚାର ନୁହେଁ ଧର୍ମ ନୀତି
ଉଗ୍ରରେ କି ଅଛି ମୋହ….?
ଲୋଡା ନାହିଁ ଜାତି ଲୋଡା ନାହିଁ ଧର୍ମ
ମାନବ ପଣିଆ ଶ୍ରେଷ୍ଠ….
ଦୟା କ୍ଷମା ଶାନ୍ତି ପ୍ରଗତି ମୈତ୍ରେୟ
କର ହୃଦୟେ ବଳିଷ୍ଠ….!!
ସଭିଙ୍କ ମଙ୍ଗଳ କାମନା ମନାସି
ସତ କାର୍ଯ୍ୟେ ଲୟ କରି….
ମାନବ ସେବାରେ ନିଜକୁ ହଜାଅ
ମାନବ ପଣକୁ ଧରି….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)