ପୋଲସରା ,୧୩/୧୦(ପିପିଟି): ଆଜି ପୋଲସରା ବ୍ଲକ୍ ଜେ.ଡେଙ୍ଗାପଦର ଉଚ୍ଚ ବିଦ୍ୟାଳୟ ଠାରେ ମଥୁରା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଶୁରଭି-୨୦୨୫ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ବଳରାମ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଏଵଂ ପ୍ରଧାନ ଶିକ୍ଷୟତ୍ରୀ ରୁଚିମାଳା ପାଇକରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କ୍ଳୟରରେ ୧୫ ଗୋଟି ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ମୋଟ୍ ୧୫୦ ଜଣ ଛାତ୍ରଛାତ୍ରୀମାନେ ମୋଟ୍ ୧୧ ଗୋଟି ଅନ୍ତର୍ଗତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ଯୁବନେତା ତଥା ମଥୁରା ମଣ୍ଡଳ ସଭାପତି କୃଷ୍ଣ ଚଦ୍ର ଜେନା,ମୁଖ୍ୟବକ୍ତାଭାବେ ଅବସରପ୍ରାପ୍ତ ଶିକ୍ଷକ ସୂର୍ଯ୍ୟନାରାୟଣ ପୃଷ୍ଟି ଏଵଂ ସମ୍ମାନୀତ ଅତିଥିଭାବେ ଉକ୍ତ ଜେ.ଡେଙ୍ଗାପଦର ପଞ୍ଚାୟତ ସରପଞ୍ଚ ପିତାମ୍ବର ବେହେରା, ଗୋଛାବାଡ଼ି ସିଆରସିସି ଗୌରୀଶଙ୍କର ହୋତା ଓ ସମାଜସେବୀ କୃଷ୍ଣ ଚନ୍ଦ୍ର ଦୀକ୍ଷିତ ପ୍ରମୁଖ ଯୋଗଦେଇଥିଲେ। ମ°ଚାସିନ ଅତିଥିମାନେ କାର୍ଯ୍ୟକ୍ରମଟିକୁ ବିଘ୍ନରାଜ ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଅତିଥିବୃନ୍ଦ ସୁରଭି କାର୍ଯ୍ୟକ୍ରମ ଦ୍ୱାରା ଅଧ୍ୟୟନରତ ବାଳକ ବାଳିକାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକଶିତ ହେବାସହ ଭବିଷ୍ୟତ ଉଜ୍ଜଳ କରିବାରେ ସାହାର୍ଯ୍ୟ କରିଥାଏ ବୋଲି କହିଥିଲେ। ଏଥିସହ କୃତିତ୍ୱ ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କ ଉଜ୍ଜଳ ଶୁଭକାମନା କରିଥିଲେ। ପରେ ବିଚାରକ ମଣ୍ଡଳିକ ଦ୍ୱାରା ଆଗାମୀ ୧୭ ତାରିଖ ଶୁକ୍ରବାର ଦିନ ପୋଲସରା ଏନଏସି ରେ ହେବାକୁ ଥିବା ବ୍ଲକ୍ ସ୍ତରୀୟ ସୁରଭି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ୧୮ ଜଣ କୃତିତ୍ୱ ଛାତ୍ରଛାତ୍ରୀଙ୍କୁ “ପାରଦର୍ଶିତା ପ୍ରମାଣପତ୍ର” ଏଵଂ ଟ୍ରଫି ଓ ପଦକ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ଵତନ୍ତ୍ରଭାବେ ନିମନ୍ତ୍ରିତ ପୋଲସରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୫ମ ଶ୍ରେଣୀ ଛାତ୍ରୀ ଅନନ୍ୟ ସାମନ୍ତରାୟ ନିଜର ଓଡ଼ିସି ନୃତ୍ୟଦ୍ୱାରା ସମସ୍ତଙ୍କୁ ବିଭୋର କରିପଳାଇ ଭୁରି ଭୁରି ପ୍ରଶଂସା ସାଉଁଟିଥିବାର ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ଉଦ୍ଦେଶ୍ୟରେ ଏଵଂ ଶେଷରେ ଅନୁଷ୍ଠାନର ଛାତ୍ରୀମାନେ ସ୍ବାଗତ ଏଵଂ ବିଜୟ ସଂଗୀତ ଗାନ କରିଥିଲେ। ମଂଚରେ ଉପସ୍ଥାପକ ଭାବେ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାବତ ଓ ଶିକ୍ଷକ ଜିତେନ୍ଦ୍ର କୁମାର ମିଶ୍ର ଉଭୟେ ସୁଚାରୁରୂପେ ସମ୍ପାଦିତ କରିଥିବାବେଳେ ପ୍ରଧାନ ଶିକ୍ଷୟତ୍ରୀ ମହୋଦୟା ଶେଷରେ ସମସ୍ତଙ୍କ ଅନୁଷ୍ଠାନ ତରଫରୁ ଆନ୍ତରିକ ଧନ୍ୟବାଦ୍ ସହ କୃତଜ୍ଞତା ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମରେ ଅ°ଶଗ୍ରହଣକାରୀ ବିଦ୍ୟାଳୟ ଗୁଡ଼ିକର ଗାଇଡ ଶିକ୍ଷକ/ଶିକ୍ଷୟତ୍ରୀ ସମେତ ଆୟୋଜକ ବିଦ୍ୟାଳୟର ଅନ୍ୟ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏଵଂ ଏସଏମସି ସଭ୍ୟ/ସଭ୍ୟା ଏଵଂ
ଅଙ୍ଗନୱାଡି କର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା