କାର୍ତ୍ତିକ ପ୍ରଥମ ସୋମବାରରେ ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ।

0 251

ଭଞ୍ଜନଗର, ୧୩/୧୦(ପିପିଟି ):ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ, ଆଉ ଆଜି ହେଉଛି ପ୍ରଥମ ସୋମବାର।ତେଣୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଓ ଏହାର ଆଖପାଖରେ ଥିବା ବିଭିନ୍ନ ଶୈବ ପୀଠରେ ଦିନ ତମାମ ପ୍ରବଳ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଛି। ବିଶେଷ କରି ଏହି ଧାର୍ମିକ ମାସରେ କୋଟି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି।ତେଣୁ ଭଗବାନ ଶିବଙ୍କୁ ଆରାଧନା କରିବା ପାଇଁ ଦେବାଳୟ ଗୁଡ଼ିକ ଚଳଚଞ୍ଚଳ ହୋଇ ଉଠେ।ଭକ୍ତମାନେ ଭୋର ସମୟରୁ ଉଠି ନିତ୍ୟକର୍ମ ସାରି ବିଭିନ୍ନ ଫୁଲ, ଫଳ,ବେଲପତ୍ର, କ୍ଷୀର,ଧୂପ ଓ ଦୀପ ଦେଇ ମନ୍ଦିରରେ ଭଗବାନ ଶିବଙ୍କୁ ଦର୍ଶନ କରିବା ସହ ଭଜନ,କୀର୍ତ୍ତନ, ପ୍ରବଚନ,କାର୍ତ୍ତିକ ପୁରାଣ ପାଠ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି।ସେଥି ମଧ୍ୟରେ ବହୁ ଶ୍ରଦ୍ଧାଳୁ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ କାର୍ତ୍ତିକ ସୋମବାର,ଅମାବାସ୍ୟା, ପଞ୍ଚୁକ, ପୂର୍ଣ୍ଣିମା ଆଦି ଦିନ ମାନଙ୍କରେ ନିଷ୍ଠାର ସହ ଓଷା, ଉପବାସ, ହବିଷ ରଖି ବିଭିନ୍ନ ସ୍ଥାନରେ ଥିବା ପ୍ରସିଦ୍ଧ ଶୈବ ପୀଠ ଓ ତୀର୍ଥକ୍ଷେତ୍ର ଆଦି ଭ୍ରମଣ କରିଥାନ୍ତି।ଶିବ ଭକ୍ତ ମାନେ ଭକ୍ତି ମାର୍ଗ ଆପଣେଇ ଆମିଷ ଭକ୍ଷଣ ତ୍ୟାଗ କରି ଶୁଦ୍ଧ ଶାକାହାରୀ ଭୋଜନ ଗ୍ରହଣ କରିଥାନ୍ତି।ଭଞ୍ଜନଗର ଜଳଭଣ୍ଡାର ନିକଟରେ ଥିବା ପ୍ରସିଦ୍ଧ ବେଲେଶ୍ୱର ପୀଠ,ଭେଜିପୁଟ ଗୁପ୍ତେଶ୍ଵର ମନ୍ଦିର, ଢୁଢୁଆ ବାଁଛେଶ୍ୱର ମନ୍ଦିର, ସହରରେ ଥିବା ରଘୁନାଥ ମନ୍ଦିର,କର୍ପୋରେସନ ଶିବ ମନ୍ଦିର, ଲାଲ ସିଂ ମନ୍ଦିର,ଛେଦାଭୂମି ବିଶ୍ୱନାଥ ସ୍ୱାମୀ ମନ୍ଦିର, ଜାମ ପଲି ଶିବ ମନ୍ଦିର, ଗୋଲା ପଡା ସ୍ୱପ୍ନେଶ୍ୱର ମନ୍ଦିର ସମେତ ଅନ୍ୟାନ୍ୟ ଶିବାଳୟରେ ବହୁ ଦୂରଦୂରାନ୍ତରୁ ଅନେକ ଭକ୍ତ ଆସି ଦର୍ଶନ କରି ପ୍ରଭୁକୃପା ଲାଭ କରିଛନ୍ତି।ଭିଡ଼କୁ ଦେଖି ବିଭିନ୍ନ ମନ୍ଦିରରେ ପରିଚାଳନା କମିଟି ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା ମଧ୍ୟ କରାଯାଇଛି।ସେହିପରି ପୁଣ୍ୟ ଅର୍ଜନ ସକାଶେ ଅନେକ ସ୍ଥାନରେ ଭକ୍ତଙ୍କ ପାଇଁ ମାଗଣା ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.