ଯାଜପୁର,୧୭/୦୯(ପିପିଟି): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସକୁ ସ୍ମରଣୀୟ କରିବା ପାଇଁ ଯାଜପୁର ଜିଲ୍ଲାର ସମସ୍ତ ବ୍ଲକ ଓ ପଞ୍ଚାୟତସ୍ତରରେ ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ ଅଧିନରେ ଏକ ଦିବସୀୟ ସମୂହ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।
ଏହି ପରିପ୍ରେକ୍ଷୀରେ ସୁକିନ୍ଦା ବ୍ଲକ ଦୁଧୁଯୋରୀ ପଞ୍ଚାୟତ ଅନ୍ତର୍ଗତ ଦାମୋଦରପୁର ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ସମବାୟ,ହସ୍ତତନ୍ତ, ବୟନଶିଳ୍ପ,ହସ୍ତଶିଳ୍ପ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ମାନ୍ୟବର ମନ୍ତ୍ରୀ ଶ୍ରୀ ବଳ ସାମନ୍ତ ଯୋଗଦେଇ କହିଲେ ଆମ ସମସ୍ତଙ୍କ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିନ ଉପାଲକ୍ଷେ ଏକତ୍ରିତ ହୋଇ ବୃକ୍ଷ ରୋପଣ କରିବା,କାରଣ ବୃକ୍ଷ ହି ମାନବ ଜୀବନ ର ପ୍ରକୃତି ର ଆଶୀର୍ବାଦ ବୋଲି କହିଥିଲେ। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାରା ଓଡିଶାରେ ୭୫ ଲକ୍ଷ ବୃକ୍ଷ ରୋପଣ କରାଯିବ।
ଆମ ଜନ୍ମଦାତ୍ରୀ ମା’ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଏବଂ ଗଛ ଲଗାଇ ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ ଓ ସୁନ୍ଦର ପୃଥିବୀ ଗଢ଼ି ତୋଳିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ ହୋଇଛି। ଏହି ମହତ୍ ଅଭିଯାନରେ ଜିଲ୍ଲାପାଳ ଅମ୍ବର କୁମାର କର ଯୋଗଦେଇ କହିଲେ ବର୍ତ୍ତମାନ ଅସମୟ ଜଳବାୟୁ ପରିବର୍ତ୍ତନରେ ପ୍ରକୃତି ଅନେକ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଛି। ଏଥିପାଇଁ ବୃକ୍ଷ ରୋପଣ ହିଁ ଏକମାତ୍ର ଉପାୟ। ଯାଜପୁର ଜିଲ୍ଲାରେ ଆଜି ଏହି ଏକ ଦିବସୀୟ ବୃକ୍ଷ ରୋପଣ ଅଭିଯାନରେ ୩ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯାଉଛି।
ଏହି ଅବସରରେ ସାରା ଜିଲ୍ଲାରେ ୨୨୫୮ ଟି ଜାଗାରେ ୩ ଲକ୍ଷ ୬୦ ହଜାରରୁ ଉର୍ଦ୍ଧ୍ଵ ବୃକ୍ଷ ରୋପଣ କରାଯାଇଛି। ଏହି ଏକଦିବାସୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଶ୍ରମ ବିଭାଗ, ଆଞ୍ଚଳିକ ପରିବହନ ବିଭାଗ, ଉଦ୍ୟାନ କୃଷି, ଜାଲଛାୟା ପ୍ରକଳ୍ପ,ଶିଳ୍ପ ସଂସ୍ଥା, ମହିଳା ଓ ଶିଶୁ ବିକାଶ, ଗଣଶିକ୍ଷା, ବିଭିନ୍ନ ବ୍ୟାଙ୍କ ଓ ପରିବେଶ ଓ ଜଙ୍ଗଲ ବିଭାଗ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ,ବିଡିଓ, ତହସିଲଦାର, ସିଡିପିଓ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ,ସ୍ଵେଚ୍ଛାସେବୀ,ଛାତ୍ରଛାତ୍ରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା,ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ଅଧିବାସୀମାନେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ।ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀ ଓ ଜନ ପ୍ରତିନିଧି ମାନେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ।