ଭଞ୍ଜନଗର, ୧୪/୦୯(ପିପିପି): ଭଞ୍ଜନଗର ସହର ସାରା ଗତ କିଛି ମାସ ହେଲା ଗାଈଗୋରୁଙ୍କ ଦ୍ୱାରା ରାସ୍ତା ଅବରୋଧ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି।ଯାହାକୁ ନେଇ ସାଧାରଣ ଲୋକଙ୍କ ସମେତ ଜରୁରୀକାଳୀନ ସେବା ଯୋଗାଉଥିବା ଯାନବାହନ ଚଳାଚଳ ରେ ପ୍ରତିବନ୍ଧକ ଦେଖାଦେଇଛି।ଭଞ୍ଜନଗର ସହର ମଧ୍ୟ ଦେଇ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଯାଇଥିବାରୁ ପ୍ରତ୍ୟେକ ଦିନ ମାଲ ପରିବହନ ନିମନ୍ତେ ଭାରୀ ଯାନ ସମେତ ଶହ ଶହ ସଂଖ୍ୟାରେ ଛୋଟବଡ଼ ଗାଡ଼ି ମଟର ଚଳାଚଳ କରିଥାଏ।ହେଲେ ସହରର ସମସ୍ତ ରାସ୍ତା ଏବଂ ଗଳି କନ୍ଦିରେ ବହୁ ସଂଖ୍ୟକ ଗାଈଗୋରୁ ରାସ୍ତା ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୋଇ ରହୁ ଥିବାରୁ ଯାତାୟାତରେ ବାଧା ସୃଷ୍ଟି ହେବା ସହ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି।ଦୁର୍ଘଟଣା ରୋକିବାକୁ ପୋଲିସ ପକ୍ଷରୁ ପ୍ରତ୍ୟେକ ଦିନ ମଦୁଆ ଚାଳକମାନଙ୍କୁ ଧରପଗଡ଼ ଜାରି ରହୁଥିବା ବେଳେ ଗୃହପାଳିତ ପଶୁମାନେ ରାସ୍ତା ଅବରୋଧ କାରଣରୁ ଅନେକ ଦୁର୍ଘଟଣା ଘଟୁଛି।ବହୁ ସମୟରେ ରାସ୍ତା ଉପରେ ଦୁଇଟି ଷଣ୍ଢ ଲଢ଼େଇ ଯୋଗୁଁ ଅନେକ ଗାଡ଼ି ମଟର ଭଙ୍ଗାରୁଜା ମଧ୍ୟ ହେଉଛି। ଗତ କିଛି ଦିନ ତଳେ ଭଞ୍ଜନଗର ବସ ଷ୍ଟାଣ୍ଡ ଠାରେ ଭୁବନେଶ୍ୱରରୁ ସୋରଡ଼ା ଯାଉଥିବା ଏକ ଚଳନ୍ତା ବସ ଚକା ତଳେ ଗୋଟିଏ ଗାଈ ପଶିଯାଇଥିଲା ହେଲେ ସୌଭାଗ୍ୟ ବଶତଃ ଗାଡିଟି ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା।ସ୍ଥାନୀୟ ଜନସାଧାରଣ, ପୋଲିସ ଓ ସାମ୍ବାଦିକଙ୍କ ଦ୍ୱାରା ଉକ୍ତ ଗାଈଟିକୁ ଉଦ୍ଧାର କରି ତାହାର ଚିକିତ୍ସା କରାଯାଇଥିଲା।ହେଲେ ମାଲିକର ଦେଖା ମିଳି ନ ଥିଲା।ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।ଏବେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଚାରିଆଡ଼େ ପ୍ରଚାର କରି ଗାଈଗୋରୁ ମାନଙ୍କୁ ଏଣେତେଣେ ନ ଛାଡ଼ି ନିଜ ଗୁହାଳରେ ବାନ୍ଧିକି ରଖିବାକୁ ପରାମର୍ଶ ଦିଆଯାଉଛି।ନଚେତ ୭ଦିନ ମଧ୍ୟରେ ରାସ୍ତାରେ ବୁଲୁଥିବା ସମସ୍ତ ଗୃହପାଳିତ ପଶୁଙ୍କୁ ଉଠାଇ ଆଣି ଏନଏସି ପକ୍ଷରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା କହିଛନ୍ତି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)