ତିଗିରିଆ,୧୨/୦୯:କଟକ ଜିଲ୍ଲା ତିଗିରିଆ ବ୍ଲକରେ ପୁଲିସର ଅପରେସନ “ପ୍ରହାର ” ଦେଖିବାକୁ ମିଳିଛି। କଟକ ଜିଲ୍ଲା ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ତିଗିରିଆ ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟଙ୍କ ନେତୃତ୍ୱରେ ଚୋରା ଦେଶୀ ମଦ ଭାଟି ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ପୋଚ, ଦେଶୀ ମଦ,ରନ୍ଧନ ସାମଗ୍ରୀ ଓ ଅନ୍ୟାନ୍ୟ ଉପକରଣ ଜବତ କରାଯାଇଛି । ଏହି ଚୋରା କାରବାରରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ଗିରଫ ପରେ ଅଦାଲତ ଚାଲାଣ ହୋଇଛି । ଥାନା ଅଧିକାରୀଙ୍କ ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ପୁଲିସ ପେଟ୍ରୋଲିଂ ସମୟରେ ଏହି ଥାନା ଅନ୍ତର୍ଗତ ହରିଡାପଶି ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତି ସଂକ୍ରାନ୍ତରେ ଖବର ପାଇ ଥାନା ପୁଲିସ ଚଢାଉ କରିଥିଲା । ଜଙ୍ଗଲ ମଧ୍ୟରେ ମଦ ପ୍ରସ୍ତୁତି ସ୍ଥାନରୁ ୧ ହଜାର ଲିଟର ଗୁଡ଼ ପୋଚ, ୯ ଟି ୩୦ ଲିଟର ବିଶିଷ୍ଟ ପ୍ଲାଷ୍ଟିକ ଜାରକିନ୍ ରେ ଭର୍ତ୍ତି ହୋଇ ରହିଥିବା ସଦ୍ୟ ପ୍ରସ୍ତୁତ ୨୭୦ ଲିଟର ଦେଶୀ ମଦ, ଅନ୍ୟାନ୍ୟ ରନ୍ଧନ ସାମଗ୍ରୀ ଏବଂ ଉପକରଣକୁ ଜବତ କରାଯାଇଥିଲା । ମଦ ରନ୍ଧା ପାଇଁ ବ୍ୟବହୃତ ବିପୁଳ ପରିମାଣର କାଠ ଗଡ଼ ମଧ୍ୟ ଜବତ କରାଯାଇଛି । ଏଥିରେ ସଂପୃକ୍ତ ଅଭିଯୁକ୍ତ ହରିଡାପଶି ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ପୁଅ କାହ୍ନୁ ବେହେରା ( ୨୪) କୁ ଗିରଫ କରାଯାଇ ଅଦାଲତ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ସମୁଦାୟ ଜଣେ ପୁଲିସ ନିରୀକ୍ଷକ, ଜଣେ ଉପନୀରିକ୍ଷକ, ଦୁଇ ଜଣ ସହ-ଉପନିରୀକ୍ଷକ,୧୪ ଜଣ ଆରକ୍ଷୀ ଏବଂ ଦୁଇ ଜଣ ଗୃହରକ୍ଷୀ ଅଂଶ ଗ୍ରହଣ କରିଥିଲେ ।