ପୋଲସରା ପୂଜ୍ୟପୂଜା ପ୍ରତିଷ୍ଠାନର ୪୪ ତମ ଗୁରୁପୂଜନ ଉତ୍ସବ।

0 333

ପୋଲସରା , ୦୭/୦୯(ପିପିଟି) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେଶର ଘରେ ଘରେ ପୁରପଲ୍ଲୀରେ ପରିଚିତ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଗୁରୁଦିବସ ପାଳିତ ହୋଇଯାଇଥିବାବେଳେ ଗଂଜାମ ଜିଲ୍ଲା ପୋଲସରାର ସର୍ବପୁରାତନ “ପୂଜ୍ୟପୂଜା ପ୍ରତିଷ୍ଠାନ” ପୋଲସରା ପକ୍ଷରୁ ଗୁରୁ ପୂଜନ ଉତ୍ସବ ବହୁ ଭକ୍ତିଭାବ ସହକାରେ ପାଳିତ ହୋଇଯାଇଛି। ସ୍ଥାନୀୟ ପ୍ରତିଷ୍ଠିତ ଲିଙ୍ଗରାଜ ବାଳିକା ହାଇସ୍କୁଲରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ସଭାପତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଧାଶ୍ୟାମ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ମତ୍ସ୍ୟ ଓ ପଶୁପାଳନ ବିଭାଗମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟବକ୍ତା ଭାବେ ଜାତିସଂଘ ପ୍ରାକୃତିକ ବାସ ସମ୍ମିଳନୀ (ୟୁଏନ୍ ହେବିଟାଟ୍ କନଭେନଶନ),ବକ୍ତାତଥା ଅର୍ନ୍ତଜାତୀୟ ଖ୍ୟାତିପ୍ରାପ୍ତ ପରିବେଶବିତ୍ ବିଶ୍ୱମୋହନ ମହାନ୍ତି ଏବଂ ସମ୍ମାନୀତ ଅତିଥିଭାବେ ପୁରୁଷୋତ୍ତମପୁର ପୋଲିସ ଉପଖଣ୍ଡ ଅଧିକାରୀ (ଏସଡିପିଓ) ସୁଜିତ୍ କୁମାର ନାୟକ ଓ ବିଶିଷ୍ଠ ସମାଜସେବୀ ପ୍ରଭାକର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ଅନୁଷ୍ଠାନ ତରଫରୁ ସମସ୍ତ ମଞ୍ଚାସିନ ଅତିଥିବୃନ୍ଦ ବିଘ୍ନରାଜ ଶ୍ରୀଗଣେଷ ଏଵଂ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ଭକ୍ତିପୁତ ଭାବେ ପୁଷ୍ପମାଲ୍ୟାର୍ପଣ ଏଵଂ ପ୍ରଦୀପ ପ୍ରଜ୍ବଳନ ସହିତ ପ୍ରତିଷ୍ଠାନର ପ୍ରତିଷ୍ଠାତା ସ୍ଵର୍ଗତ କୋଦଣ୍ଡପାଣି ପଟ୍ଟନାୟକ, ବିଶିଷ୍ଠ ଶିକ୍ଷାବିତ୍ ସ୍ଵର୍ଗତ ଦୁଃଖୀଶ୍ୟାମ ପଟ୍ଟନାୟକଙ୍କ ସମେତ ପ୍ରତିଷ୍ଠାନର ଭୂତପୂର୍ବ ସଭାପତି ସୂର୍ଯ୍ୟନାରାୟଣ ଆଚାରି ପ୍ରମୁଖଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ପରେ କାର୍ଯ୍ୟକାରୀ ସଭାପତି ତଥା ପ୍ରତିଷ୍ଠାତାଙ୍କ ସୁପୁତ୍ର ଡ. ଜ୍ୟୋତିମର୍ୟ ପଟ୍ଟନାୟକଙ୍କ ପରିଚାଳିତରେ ଅନୁଷ୍ଠିତ ସଭାକାର୍ଯ୍ୟରେ ଦିବ°ଗତ ସଭାପତି ଏଵଂ ଅନ୍ୟ ଗୁରୁମାନଙ୍କ ସ୍ମୃତିରେ ୨ ମିନଟ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା। ପରେ ମୁଖ୍ୟ ଅତିଥି ମନ୍ତ୍ରୀ ମହୋଦୟ ନିଜର ସାରଗର୍ଭ ଅଭିଭାଷଣରେ ଉପସ୍ଥିତ ସମସ୍ତଙ୍କୁ ଗୁରୁଦିବସର ଆନ୍ତରିକ ଶୁଭେଚ୍ଛା ଜଣାଇବାସହ ଦେଶ ଏଵଂ ରାଜ୍ୟର ଅଗ୍ରଗତି ଏଵଂ ବିକାଶ ପାଇଁ ଶିକ୍ଷାର ଆବଶ୍ୟକତା ଏଵଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଶିକ୍ଷାର ମାନଦଣ୍ଡକୁ ଉର୍ଦ୍ଧମୁଖି କରିବା ଏବଂ ଏଥିସକାଶେ ଦେଶର ଭବିଷ୍ୟତ ବାଳକ ବାଳିକାମାନଙ୍କ ଉପଯୁକ୍ତ ଶିକ୍ଷା ଏଵଂ ଗୁରୁମାନଙ୍କ ସୁବିଧା ସକାଶେ କି କି ପ୍ରକାର ସ୍ଵତନ୍ତ୍ର ଯୋଜନା କରାଯାଇଛି ସେଥିଉପରେ ଆଲୋକପାତ କରିବା ସହିତ ଉପସ୍ଥିତ ମେଧାଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ କାମନା ଏବଂ ଅନୁଷ୍ଠାନର ଊତ୍ତରୋତ୍ତର କାମନା ଜଣାଇଥିଲେ। ମୁଖ୍ୟବକ୍ତା ନିଜର ଅଭିଭାଷଣ ପ୍ରସ°ଗରେ ସକାରାତ୍ମକ ସ୍ବପ୍ନ ଦେଖିବାର ସମସ୍ତଙ୍କର ଅଧିକାର ଅଛି। ବିଶେଷ କରି ଜ୍ଞାନ ଆହରଣ କରି ନିଜର ଭବିଷ୍ୟତ ଉଜ୍ଜ୍ୱଳ ଦେଖିବାକୁ ପ୍ରୟାସରତ ଛାତ୍ରଛାତ୍ରୀମାନଙ୍କ ଦେଖିବାର ଅଧିକାର ଅଛି। ଆଉ ଏଥିପାଇଁ ସେମାନେ ନିଜର ପରିବାର, ଗୁରୁ ଏଵଂ ପରିବେଶକୁ ଗୁରୁତ୍ଵ ଦେବାସହ ଆଗକୁ ଯେତେ ବାଧାବିଘ୍ନ ଆସିଲେ ସୁଧା ତାର ଦୃଢ଼ତାର ସହିତ ମୁକାବିଲା କରି ସତପଥରେ ଆଗକୁ ମାଡିଚାଲି ନିଜର ଭବିଷ୍ୟତ ଉଜ୍ଜ୍ୱଳ କରି ଉତ୍ତମ ସମାଜ ଗଠନରେ ଭାଗିଦାରୀ ହୋଇ ସେବାକାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି (ଏସଡିପିଓ) ମହୋଦୟ ନିଜର ବକ୍ତବ୍ୟରେ ସର୍ବପ୍ରଥମେ ପ୍ରତିଷ୍ଠାନ ଏବଂ ଉପସ୍ଥିତ ଅନ୍ୟ ସମସ୍ତଙ୍କର ଶୁଭମଙ୍ଗଳ କାମନା କରିବା ସହିତ ନିଜନିଜର ପ୍ରଥମଗୁରୁ ମାତା ଓ ପିତା ଦ୍ୱିତୀୟ ଜ୍ଞାନଦାତା ଗୁରୁ ଓ ଗୁରୁମାମାନଙ୍କ ଠାରୁ ଆର୍ଶୀବାଦ ଏଵଂ ଶିକ୍ଷାଗ୍ରହଣ କରି ସମାଜରେ ନିଜକୁ ଜଣେଜଣେ ଉତ୍ତମ ଚରିତ୍ରବାନ ନାଗରିକ ଭାବେ ପ୍ରତିଷ୍ଠିତ ହେବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକାରୀ ସଭାପତି ପ୍ରତିଷ୍ଠାନର ଅତୀତ ଏଵଂ ବର୍ତ୍ତମାନକୁ ନେଇ ବିବରଣୀ ରଖିଥିଲେ। ଏହି ଅବସରରେ ଏକ ବର୍ଷ ସମୟ ମଧ୍ୟରେ ବିଭିନ୍ନ ସରକାରୀ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଓ ଶିକ୍ଷୟତ୍ରୀଭାବେ କାମକରି ଅବସର ନେଇଥିବା ପୋଲସରା ସହରର ବିଜୟ କୁମାର ବେହେରା, ଚିତ୍ତରଂଜନ ମିଶ୍ର,ରବୀନ୍ଦ୍ର ପଟ୍ଟନାୟକ, ପ୍ରଫୁଲ୍ଲ ଚନ୍ଦ୍ର ସେଠୀ,ବିକ୍ରମ ମହାରଣା,ହରିହର ନାୟକ ଓ ନମିତା ମିଶ୍ର ପ୍ରମୁଖଙ୍କୁ ସ୍ଵତନ୍ତ୍ର ଭାବେ ପ୍ରତିଷ୍ଠାନ ତରଫରୁ ଉତ୍ତରୀୟ ଏଵଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ ଦିଆଯାଇଥିଲା। ପରେ ପ୍ରତିଷ୍ଠାନ ତରଫରୁ ଏନ୍ଏସି ସ୍ଥିତ ପ୍ରାଥମିକ ବିଦ୍ୟାଳୟରୁ କଲେଜ ପର୍ଯ୍ୟନ୍ତ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରେରଣାଦାୟୀ ଆତ୍ମଜୀବନୀ ଉପରେ ପ୍ରଥମରୁ ପଞ୍ଚମଶ୍ରେଣୀର ସବ୍ ଯୁନିୟର, ଷଷ୍ଠରୁ ୧୦ମ ଶ୍ରେଣୀର ଏଵଂ ଏକାଦଶ ଶ୍ରେଣୀରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ମଧ୍ୟରେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର ଭାଗନେଇ ପ୍ରଥମ ଏଵଂ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ମୋଟ୍ ୬୬ ଜଣ କୃତିତ୍ୱ ବାଳକବାଳିକା ମାନଙ୍କୁ କୋଦଣ୍ଡପାଣି ସ୍ମାରକୀ ଏଵଂ ପ୍ରଶ°ସାପତ୍ର ମ°ଚାସିନ ଅତିଥିବୃନ୍ଦଙ୍କ ଦ୍ବାରା ବଣ୍ଟନ କରାଯାଇଥିଲା। ଶେଷରେ ପ୍ରତିଷ୍ଠାନର କୋଷାଧ୍ୟକ୍ଷ ତଥାଯୁବ ସମାଜସେବୀ ସିମାଞ୍ଚଳ ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅତିଥିବୃନ୍ଦ, ନିମନ୍ତ୍ରିତ ଗୁରୁ ଓ ଗୁରୁମା,ଅଭିଭାବକ ମଣ୍ଡଳୀ,ଛାତ୍ରଛାତ୍ରୀ ଏବଂ ସହଯୋଗୀମାନଙ୍କୁ ଏବଂ ପୋଲସରା ବାସିନ୍ଦାଙ୍କୁ ଆନ୍ତରିକ ଧନ୍ୟବାଦ୍ ଜ୍ଞାପନ କରିଥିଲେ। ଏହି ପ୍ରେରଣାଦାୟୀ,ଜ୍ଞାନବର୍ଦ୍ଧକ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ କାମରାଜୁ ପାତ୍ରଙ୍କ ସମେତ ଅନ୍ୟ ସମସ୍ତ ସଭ୍ୟବୃନ୍ଦ ଉପସ୍ଥିତ ରହି ସଫଳ କରାଇବାରେ ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.