ଲଗାଣ ବର୍ଷାରେ ଅଟକି ରହିଥିବା ଟ୍ରକ୍ ଡ୍ରାଇଭର ଓ ବସ୍ ଯାତ୍ରୀଙ୍କ ଶୁଖିଲା ଖାଦ୍ୟ ବଣ୍ଟନ ।

0 204

ମାଲକାନଗିରି, ୧୮/୦୮(ପିପିଟି):ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷାରେ ରାସ୍ତାରେ ଅଟକି ରହିଥିବା ଟ୍ରକ୍ ଡ୍ରାଇଭର ଓ ବସ୍ ଯାତ୍ରୀଙ୍କୁ ପ୍ରଶାସନ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ କାଲିମେଳା ବିିଓ ପ୍ରଦୀପ କର ପୋଟେରୁ ଓ କାଙ୍ଗୁରୁକୋଣ୍ଡା ପୋଲ ଉଭୟ ପାର୍ଶ୍ଵରେ ଅଟକି ରହିଥିବା ଟ୍ରକ୍ ଡ୍ରାଇଭର ଓ ବସ୍ ଯାତ୍ରୀଙ୍କୁ ଶୁଖିଲା ଖାଦ୍ୟ ଓ ପାଣି ବଣ୍ଟନ କରିଛନ୍ତି। ପୋଲ ଉପରେ ବିପଦ ସଂକୁଳ ଭାବେ ଜଳ ପତ୍ତନ ବୃଦ୍ଧି ପାଇବା ଫଳରେ ରାସ୍ତା ଉପରେ ପ୍ରାୟ ୬୦ ଗୋଟି ଟ୍ରକ୍ ଓ ୭ ଗୋଟି ହାଇଦ୍ରାବାଦକୁ ଯାତାୟାତ କରୁଥିବା ବସ୍ ଗୁଡ଼ିକ କାଲି ରାତି ୧୨ ଟା ଠାରୁ ଲଗାଣ ବର୍ଷା ଯୋଗୁଁ ଅଟକି ରହିଥିଲା। ପୋଲର ଜଳ ସ୍ତର କମିବା ପରେ ସମସ୍ତ ଟ୍ରକ୍ ଓ ବସ୍ କୁ ଆଜି ଦିନ ୧୨ ଟା ପରେ ଛଡ଼ାଯାଇଛି । ଲଗାଣ ବର୍ଷା ନିମନ୍ତେ ଜନ ସାଧାରଣଙ୍କ ସହାୟତା ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂର୍ବ ପ୍ରସ୍ତୁତି କରାଯାଇଥିଲା । ରେଡ୍ ଆଲର୍ଟକୁ ଦୃଷ୍ଟି ରେ ରଖି ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ହେଡକ୍ୱାଟର ନଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସମସ୍ତ କ୍ଷେତ୍ର ଅଧିକାରୀଙ୍କୁ ସଜାଗ ହୋଇ ରହିବାକୁ କୁହାଯାଇଛି । ସମସ୍ତ ପ୍ରକାର ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବା ପାଇଁ ବିଡିଓ ମାନଙ୍କୁ ଗ୍ରାମ ପଞ୍ଚାୟତର ସମସ୍ତ କର୍ମଚାରୀଙ୍କ ସହ ଯୋଗାଯୋଗରେ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତିତ ତହସିଲଦାରମାନଙ୍କୁ ଆରଆଇମାନଙ୍କ ମାଧ୍ୟମରେ ଘର ଭଙ୍ଗା କ୍ଷୟକ୍ଷତି ରିପୋର୍ଟ ଆକଳନ କରି ତୁରନ୍ତ ପଲିଥିନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଓ ଜିଲ୍ଲା କୃଷି ଅଧିକାରୀଙ୍କୁ ମଧ୍ୟ ଅନୁରୂପ ଭାବେ ଗୋ ସମ୍ପଦ ଓ ଶସ୍ୟ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.