ଭଞ୍ଜନଗର, ୦୪/୦୮(ପିପିଟି):ଗତକାଲି ବିଳମ୍ବିତ ରାତିରେ ଥାନା ଏସ ଆଇ ସମୀର କୁମାର ସେଠି ଅନ୍ୟ କର୍ମଚାରୀମାନଙ୍କ ସହିତ ଭଞ୍ଜନଗର ନିକଟସ୍ଥ ତୁଳସୀପଲି ଛକ ନିକଟରେ ରାତି ପେଟ୍ରୋଲିଂ କରୁଥିଲେ। ସେହି ସମୟରେ ଜଣେ ବ୍ୟକ୍ତି ସନ୍ଦେହଜନକ ଅବସ୍ଥାରେ ରାସ୍ତା ପାର୍ଶ୍ୱରେ ଯାଉଥିଲେ। ଯେତେବେଳେ ପୋଲିସ ଟିମ୍ ତାଙ୍କ ପାଖରେ ପହଞ୍ଚିଲା, ସେ ପୋଲିସକୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ।ପୋଲିସ ତାକୁ କାବୁ କରିବାରେ ସକ୍ଷମ ହେବା ପରେ ତଲାସୀ ନେବାରେ ତାଙ୍କ ନିକଟରୁ ଗୋଟିଏ ୯ଏମ ଏମ ପିସ୍ତଲ, ମାଗାଜିନ ଓ ୨ଟି ଜୀବନ୍ତ ଗୁଳି ମିଳିଥିଲା। ଏସମ୍ପର୍କରେ ତାଙ୍କୁ ପଚରାଯିବାରୁ ଯେ ଏହିପରି ମାରଣାସ୍ତ୍ର ରଖିବାରେ ଜଡିତ କୌଣସି କାଗଜପତ୍ର ସେ ପ୍ରଦାନ କରି ପାରି ନଥିଲେ।ସେହି ଯୁବକ ଜଣକ ଭଞ୍ଜନଗର ନିକଟ ତୁଳସୀ ପଲି ଗ୍ରାମର ସୌମ୍ୟ ରଞ୍ଜନ ବେହେରା ଓରଫ ସାନୁ (୩୨) ବୋଲି ଜଣାପଡ଼ିଛି। ଏହା ପରେ ଏସଆଇ ସମୀର ସେଠି ସାକ୍ଷୀମାନଙ୍କ ଉପସ୍ଥିତିରେ ମାରଣାସ୍ତ୍ରକୁ ଜବତ କରିଥିଲେ।ଏହି ଘଟଣା ରେ ଭଞ୍ଜନଗର ଥାନା କେସ ନଂ ୯୦୫/୨୫.ୟୁଏସ୍.୨୯୬/୧୦୯/୧୩୨/୩୫୧ (୨) ବିଏନ୍ଏସ୍/ ଆରଡବ୍ଲୁଏସ୍ ୨୫(୧-ବି) (ଏ)/୨୭ ଆର୍ମ୍ସ ଆକ୍ଟରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ସାନୁକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି।
ରିପୋର୍ଟ- (ଜେ.କେ ପଟ୍ଟନାୟକ)