ବେଗୁନିଆପଡା,୧୬/୦୭(ପିପିଟି):ପ୍ରଶାସନକୁ ଦୀର୍ଘଦିନ ଅପେକ୍ଷା କରି କୌଣସି ସୁଫଳ ନ ମିଳିବାରୁ ଆଜି କୋଦଳା ଖଡୁରା ସାହି ଏବଂ ଗଉଡ ସାହି ଜନସାଧାରଣଙ୍କ ଦ୍ୱାରା ଜଗତାନାଳ ସଫେଇ କରାଯାଇଥିବା ଦେଖିବାକୁ ମିଳିଛି ।କୋଦଳା ଏନ୍ଏସି ୱାର୍ଡ ନମ୍ବର ୨ ଗୌଡ଼ସାହି ପଛପଟ ସହିତ ସାହି ଆରମ୍ଭ ରେ ଜଗତା ନାଳ ବହିଯାଉଥିବା ବେଳେ ସାହି ପ୍ରାରମ୍ଭରେ ଏକ ଜରାଜୀର୍ଣ ଅବସ୍ଥାରେ ଏକ ପୋଲ ଅଛି । ଦୀର୍ଘଦିନ ଧରି ସାହିବାସିନ୍ଦା ସହିତ ସେହି ରାସ୍ତା ଦେଇ ଯାଉଥିବା ଜନସାଧାରଣ ଉକ୍ତ ପୋଲ ନିର୍ମାଣ ସହିତ କେନାଲର ପୁନଃରୁଦ୍ଧାର ପାଇଁ ଦାବୀ କରି ଆସୁଥିଲେ । କିନ୍ତୁ ପୋଲ ନିର୍ମାଣ ତ ହୋଇପାରିନି କେନାଲ ମଧ୍ୟ ରେ ଅଳିଆ ଆବର୍ଜନା ସହିତ ବିଭିନ୍ନ ପ୍ରକାର ଗଛ ଉଠି ଅପରିଷ୍କାର ପରିବେଶ ସୃଷ୍ଟି ହୋଇଥିଲା । ଏହି କେନାଲ ପାଣି ଉପରେ କୃଷକ ମାନଙ୍କ ଜୀବିକା ନିର୍ଭର କରୁଥିବା ବେଳେ ଏପରି ପରିସ୍ଥିତି ଦ୍ୱାରା ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ପୋଲଟି ଜରାଜୀର୍ଣ ଅବସ୍ଥାରେ କେଉଁ ମୁହୂର୍ତ୍ତରେ ଦୁର୍ଘଟଣା ଘଟିବ ସେହି ଚିନ୍ତାରେ ଅଛନ୍ତି । କିନ୍ତୁ ପ୍ରଶାସନ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷପ ନନେଇଥିବାରୁ ଆଜି ସଖାଳୁ ସଖାଳୁ ସାମାଜିକ କର୍ମୀ ସନ୍ତୋଷ କୁମାର ନାୟକଙ୍କ ତତ୍ୱାବଧାନରେ ସ୍ଥାନୀୟ ଜନସାଧାରଣ ନିଜସ୍ୱ ଉଦ୍ୟମରେ କେନାଲ ମଧ୍ୟରେ ଥିବା ଅପରିଷ୍କାର ଆବର୍ଜନା ଓ ବିଭିନ୍ନ ଗଛ ସମୂହ ସଫେଇ କରିଛନ୍ତି ଏବଂ ଯଥାଶୀଘ୍ର ଏହି ପୋଲଟିକୁ ନିର୍ମାଣ କରିବା ନିମନ୍ତେ କୋଦଳା ଏନ୍ଏସି କୁ ଅନୁରୋଧ କରିଛନ୍ତି ।
ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ