ବେଲଗୁଣ୍ଠା,୧୫/୦୭(ପିପିଟି) : ଆଜି ଗଞ୍ଜାମ ଜିଲ୍ଳା ଅତିରିକ୍ତ ଶିକ୍ଷାଧିକାରୀ ଏସ୍ ଧନଞ୍ଜୟ ଏବଂ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସି ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଏବଂ ଶୈକ୍ଷିକ ବ୍ୟବସ୍ଥାର ତଦାରଖ କରିଛନ୍ତି । ଆଜି ସକାଳ ସାଢେ ଦଶଟାରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ରଥ ବିଦ୍ୟାଳୟ ପରିଦର୍ଶନରେ ଆସି ବିଦ୍ୟାଳୟ କାର୍ଯ୍ୟକ୍ରମର ତଦାରଖ କରୁ୍ଥିବା ସମୟରେ ଦିନ ଗୋଟାଏ ସମୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏସ୍ ଧନଞ୍ଜୟ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ୍ କରିଥିଲେ । ଏହା ସହିତ ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ଏସ୍ ଧନଞ୍ଜୟ ଏବଂ ବିଇଓ ଶ୍ରୀମତୀ ରଥ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ପରଷି ଦେଇଥିଲେ । ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ମହୋଦୟ ବିଦ୍ୟାଳୟର ଭିତ୍ତିଭୂମି, ଆନୁଷଙ୍ଗିକ ବ୍ୟବସ୍ଥା, ଶ୍ରେଣୀ ଶିକ୍ଷା ଦାନ ବ୍ୟବସ୍ଥା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ସହିତ ଆଲୋଚନା କରିବା ସହ ବିଦ୍ୟାଳୟର କାର୍ଯ୍ୟକ୍ରମ ଏବଂ ପରିବେଶକୁ ପ୍ରଶଂସା କରିଥିଲେ । ମଧ୍ୟାହ୍ନଭୋଜନ ପରେ ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ଏସ୍ ଧନଞ୍ଜୟ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଇଁରାଜୀ ପ୍ରାଇସ୍ ଲେସ୍ ଗିଫ୍ଟ ବିଷୟକୁ ପଢାଇବା ସହିତ ଉଚ୍ଚ ଶିକ୍ଷିତ ଏବଂ ସୁନାଗରିକ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ଆଜି ଉଭୟ ଅଧିକାରୀଙ୍କ ପରିଦର୍ଶନ ପରିଦର୍ଶନ ସମୟରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ସମେତ ଶିକ୍ଷକ ସୀମାଞ୍ଚଳ ଦାସ, ସୀମାଞ୍ଚଳ ଶତପଥି, ନିରଞ୍ଜନ ତ୍ରିପାଠି, ଅବନୀ କୁମାର ଷଡ଼ଙ୍ଗୀ,ଆଶୁତୋଷ ସ୍ୱାଇଁ, ଶିକ୍ଷୟିତ୍ରୀ ସୁଜାତା ପଣ୍ଡା, କର୍ମଚାରୀ ସୁକାନ୍ତ କୁମାର ବିଷୋୟୀ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଏବଂ ଶ୍ରୀନିବାସ ବିଷୋୟୀ ଉପସ୍ଥିତ ଥିଲେ ।
ରିପୋର୍ଟ- ସୁଶାନ୍ତ କୁମାର ବେହେରା