କୋଦଳା,୦୧/୦୭(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ବଡ ଖଇରଖମା ସ୍ଥିତ ମଗର ଘାଇ ନିର୍ମାଣ ରେ ବ୍ୟାପକ ଅନିୟମିତତା ହୋଇଥିବା ନେ଼ଇ ଅଭିଯୋଗ । ମଗର ଘାଇର ପୁନରୁଉଦ୍ଧାର ଏବଂ ଉନ୍ନତି କରଣ ପାଇଁ ୩୬ ଲକ୍ଷ, ଗାର୍ଡ ୱାଲ୍ ନିର୍ମାଣ ପାଇଁ ୬୩ ଲକ୍ଷ,ରାସ୍ତା ନିର୍ମାଣ ପାଇଁ ୭୦ ଲକ୍ଷ ଟଙ୍କା ଆସିଥିବା ବେଳେ କିଛି କାମ ଶେଷ ହୋଇଥିବା ବେଳେ ଆଉ କିଛି କାର୍ଯ୍ୟ ଚାଲିଛି । ଉକ୍ତ ଘାଇ କ୍ଷୁଦ୍ର ଜଳ ସେଚନ ବିଭାଗ ଅଧିନରେ ଥିବା ବେଳେ ଘାଇ କାମ ମଧ୍ୟ ଏହି ବିଭାଗ ର ଅଧିକାରୀ ମାନେ ତଦାରଖ କରୁଛନ୍ତି । କିନ୍ତୁ କୌଣସି କାର୍ଯ୍ୟ ସଠିକ୍ ଭାବେ ହୋଇନଥିବା ନେଇ ଅଭିଯୋଗ ଆସିଛି । ଏଥିସହିତ ନିର୍ମାଣ ସମୟରେ ଅଧିକାରୀ ମାନେ ଅଧିକାଂଶ ସମୟରେ ରହୁ ନାହାନ୍ତି । ଏହି ଘାଇର ଜଳ ଧାରଣା କ୍ଷମତା ୨୬୦ ହେକ୍ଟର ଥିବା ବେଳେ ବାମ କେନାଲ ର ଦୈଘ୍ୟ ୧୩୩୦ ମିଟର ଏବଂ ଡାହଣ କେନାଲ ର ଦୈର୍ଘ୍ୟ ୯୭୦ ମିଟର ରହିଛି । ଚାଷୀ ମାନଙ୍କ ଜଳ ସେଚନର ସୁବିଧା ପାଇଁ ସରକାର ବାରମ୍ବାର ଚେଷ୍ଟା କରୁଥିବା ବେଳେ କିଛି ଅସାଧୁ ସରକାରୀ କର୍ମଚାରି ଏବଂ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ସଠିକ୍ ଭାବେ କାର୍ଯ୍ୟ ହେଉନାହିଁ ବୋଲି ଜନ ସାଧାରଣ ରେ ପ୍ରକାଶ ପାଇଛି। ମଗର ଘାଇ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ମଧ୍ୟ ଉକ୍ତ ଅଞ୍ଚଳର କିଛି ବୁଦ୍ଧିଜୀବୀ ମାନେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିବା ନେଇ ସୂଚନା ମିଳିଛି । ଦେଖାଯାଉ ଆଗକୁ କଣ ହେଉଛି ଦେଖିବାକୁ ତାହା ବାକି ରହିଲା । ଏ ନେଇ ବିଭାଗୀୟ ଅଧିକାରୀ ଗଙ୍ଗାରାମ ଟୁଡୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ମୁଁ ଏହି ଦାଇତ୍ୱରେ ନାହିଁ । ନୂଆଁ ଅଧିକାରୀ ଆସିଛନ୍ତି। ନୂତନ ଭାବେ ଯୋଗ ଦେଇଥିବା ଅଧିକାରୀ ଶକ୍ତି ଜେନାଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ସେ କହିଲେ ମୁଁ ଏବେ ନୂଆଁ ରେ ଆସିଛି। ଦେଖୁଛି କଣ ହୋଇଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)