ପାଞ୍ଚ ଜଣ ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ବିଦାୟ ସମ୍ୱର୍ଦ୍ଧନା ।

0 208

ମାଲକାନଗିରି,୦୧/୦୭(ପିପିଟି) :ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏଫଏଲସି ହଲ ଠାରେ ୫ ଜଣ ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଏକ କାଳୀନ ବିଦାୟ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଛି। ସେମାନେ ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡେପୁଟି କଲେକ୍ଟର ଉମା ପ୍ରସାଦ ଦାସ, ସେକ୍ସନ ଅଧିକାରୀ ହେମନ୍ତ କୁମାର ରାଉତ, ବରିଷ୍ଠ ରାଜସ୍ବ ସହାୟକ ସୁରେଶ ବେହେରା, ସୁକାନ୍ତି ବେହେରା ଓ ଚପରାସୀ ଅର୍ଜୁନ ନାୟକ । ସେମାନେ ଗତ ଜୁନ୍ ୩୦ ତାରିଖ ରେ ଅବସର ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଅବସର ଗ୍ରହଣ କରୁଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ନିମନ୍ତେ ଅବସର କାଳୀନ ସମ୍ୱର୍ଦ୍ଧନା ସଭା ଆୟୋଜନ କରାଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗ ଦେଇ ଡେପୁଟି କଲେକ୍ଟର ଉମା ପ୍ରସାଦ ଦାସଙ୍କ ଚାକିରୀ ଜୀବନର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଥିଲେ। ଶ୍ରୀ ଦାସ ରାଜସ୍ବ ବିଭାଗ କାର୍ଯ୍ୟ ସହ ଜରୁୀକାଳୀନ, ଏଷ୍ଟାବ୍ଲିସମେଣ୍ଟ ଓ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ଵ ସବୁକୁ ସୂଚାରୁ ରୂପେ ସମ୍ପାଦନ କରିଛନ୍ତି ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବାସିନ୍ଦା ଶ୍ରୀ ଦାସ ୧୯୮୯ ମସିହାରେ ଚାକିରୀ ଜୀବନ ଆରମ୍ଭ କରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ନିଜର କର୍ମମୟ ଜୀବନ ଅତିବାହିତ କରିଛନ୍ତି। ସେହିପରି ସେକ୍ସନ ଅଧିକାରୀ ହେମନ୍ତ କୁମାର ରାଉତ ଓ ବରିଷ୍ଠ ରାଜସ୍ୱ ସହାୟକ ସୁରେଶ ବେହେରା ଓ ସୁକାନ୍ତି ବେହେରା ୧୯୯୬ ମସିହାରେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ଓ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅବସର ଗ୍ରହଣ କରିଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଅବଶିଷ୍ଟ ସମୟ ମଙ୍ଗଳରେ ଅତିବାହିତ ହେଉ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସ୍ମୃତି ସନ୍ତକ, ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ଅବସର କାଳୀନ ବିଦାୟ ସମ୍ୱର୍ଦ୍ଧନା ଦିଆଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ଜିଲ୍ଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ, ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତୀ ଓ ନିଜାରତ ଅଧିକାରୀ ଜଗଜୀବନ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ ନୂତନ ଭାବେ ଯୋଗ ଦେଇଥିବା ଡେପୁଟି କଲେକ୍ଟର ସୁଧାକର ରଇତଙ୍କୁ ସ୍ବାଗତ କରାଯାଇଥିଲା। ସଭା ଆୟୋଜନ କରିବାରେ ଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ
କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.