ଯାଜପୁର,୨୫/୦୬(ପିପିଟି):ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଡ଼ିସଇନଫେକ୍ସନ ଓ ସଚେତନତା କାର୍ଯ୍ୟକ୍ରମକୁ ବସ୍ତି ଅଞ୍ଚଳରେ ଅଧିକ ଫୋକସ କରିବାକୁ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯେପରି ସରକାରୀ ଟ୍ୟୁବୱେଲ ଓ ପାଇପ ୱାଟର ସପ୍ଲାଏ ପାଣି ବ୍ୟବହାର କରିବା, ବାହାରେ ମାଳତ୍ୟାଗ ନକରିବା, ଫୁଟାଯାଇଥିବା ପାଣି ପିଇବା,ନଦୀ ଓ ପୋଖରୀ ଜଳ ବ୍ୟବହାର ନକରିବା,ଝାଡାବାନ୍ତି ହେଲେ ତୁରନ୍ତ ଡାକ୍ତରଖାନା ଯିବା ସମ୍ପର୍କରେ ବସ୍ତି ଅଞ୍ଚଳରେ ଲୋକଙ୍କୁ ସଚେତନ କରାଇବା। ଆଜିର ତଥ୍ୟ ଅନୁଯାୟୀ ଝାଡା ବାନ୍ତି ତଥା ଡାଇରିଆ ଯଥେଷ୍ଟ ଭାବରେ କମ ଥିବାର ଦେଖିବାକୁ ମିଳିଛି। ସଂକ୍ରମିତ ଅଞ୍ଚଳ ଓ ବିଦ୍ୟାଳୟ ମାନଙ୍କରେ ଡିସଇନ୍ଫେକ୍ସନ୍ ପ୍ରକ୍ରିୟା ଚାଲୁ ରହିଛି।ତୃତୀୟ ପର୍ଯ୍ୟାୟରେ ସରକାରୀ ନଳକୂପ ଗୁଡ଼ିକର ଡିସଇନ୍ଫେକ୍ସନ୍ କରାଯାଇଛି । ପାଣି ଦୂଷିତ ଥିବା ଅଞ୍ଚଳରେ ପାଣିକୁ ଫୁଟାଇ ପିଇବା ଏବଂ ନିୟମିତ ସାବୁନରେ ହାତ ଧୋଇବାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଦ୍ଵାରା ପ୍ରାର୍ଥନା ସଭାରେ ପିଲାମାନଙ୍କୁ ସଚେତନ କରାଯିବା ନିମନ୍ତେ ସମସ୍ତ ବିଦ୍ୟାଳୟକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।ସ୍କୁଲ୍ ମଧ୍ୟାହ୍ନ ଭୋଜନ ସମୟରେ କଞ୍ଚା ପରିବାକୁ ଭଲ ଭାବରେ ଧୋଇ ରାନ୍ଧି ପିଲାମାନଙ୍କୁ ଖାଇବାକୁ ଦବାକୁ, ବାହାର ଖାଦ୍ୟ ଖାଇବାକୁ ବାରଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ମନିଟରିଂ ଟିମ୍ ପକ୍ଷରୁ ପ୍ରତିଦିନ ଏହାର ତଦାରଖ ଚାଲୁ ରହିବ। ବସ୍ତି ଅଞ୍ଚଳରେ ଅଧିକ ହାଲୋଜେନ ବଟିକା ବଣ୍ଟନ କରାଯିବ। ଗୁରୁତର ଭାବେ ପ୍ରଭାବିତ ହେଉଥିବା ରୋଗୀ ବ୍ୟବହାର କରୁଥିବା ଜଳଉତ୍ସ ଗୁଡ଼ିକୁ ତଦାରଖ କରାଯିବ। ଖୋଲା ସ୍ଥାନରେ ମଳ ତ୍ୟାଗ ନକରିବାକୁ ଜନସାଧାରଣଙ୍କୁ ସଚେତନ କରାଇବାକୁ ଏସ.ଏଚ.ଜି, ଆଶା, ଅଙ୍ଗନୱାଡି କର୍ମୀ ଏବଂ ବ୍ଲକସ୍ତରୀୟ କର୍ମଚାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବସ୍ତି ଅଞ୍ଚଳରେ ଶିକ୍ଷିତ ଯୁବବର୍ଗ ଓ ୱାର୍ଡ ମେମ୍ବରଙ୍କୁ ନେଇ ଆଇ.ଇ.ସି ଆକ୍ଟିଭିଟିଜ୍ ଦ୍ଵାରା ଜନ ସାଧାରଣଙ୍କୁ ସଚେତନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।
ଆଜି ସନ୍ଧ୍ୟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଜିଲ୍ଲାରେ ୬୮ ଜଣ ନୂଆ ରୋଗୀ ଆଡମିଟ ହୋଇଥିବାବେଳେ ୫୮ ଜଣ ସ୍ୱଳ୍ପ ପତଳା ଝାଡା (mild ) ଏବଂ ୧୦ ଜଣ ଅତ୍ୟଧିକ ପତଳା ଝାଡା(severe) ହେଉଥିବା ରୋଗୀ ଆଡମିଟ ହୋଇଛନ୍ତି। ୧୦ ଜଣ ରୋଗୀଙ୍କୁ ରେଫେର କରାଯାଇଛି ଏବଂ ୭୪ ଜଣଙ୍କୁ ଡ଼ିସଚାର୍ଜ କରାଯାଇଛି। ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟାନ୍ୟ ଚିକିତ୍ସାଳୟରେ ମୋଟ ୧୦୭ ଜଣ ରୋଗୀ ଚିକିତ୍ସତ ହେଉଛନ୍ତି ଯେଉଁଥିରେ ୧୦୬ ଜଣ ସ୍ୱଳ୍ପ ପତଳା ଝାଡା(mild) ଏବଂ ୦୧ ଜଣ ଅତ୍ୟଧିକ ପତଳା ଝାଡା (severe) ହେଉଥିବା ର ସୂଚନା ମିଳିଛି। ପଳସାହି ୱାର୍ଡ ନମ୍ବର ୧୬,ବରୀ ଅଞ୍ଚଳରେ ଜଣ୍ଡିସ ବ୍ୟାପୁଥିବା ଅଭିଯୋଗ ଆଧାରରେ ମେଡିକାଲ ଟିମ ୧୫ ଜଣକଂଠାରୁ ନମୁନା ପରୀକ୍ଷା କରିଥିଲେ ଏବଂ ସମସ୍ତ ନମୁନା ନେଗେଟିଭ ବାହାରିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି।ଏହି ବୈଠକରେ ସମସ୍ତ ବରିଷ୍ଠ ଅଧିକାରୀ, ଜିଲ୍ଲସ୍ତରୀୟ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ, ପାନୀୟ ଜଳ ଓ ପରିମଳ ବିଭାଗ, ବିଡ଼ିଓ, ତହସିଲଦାର ମାନେ ଉପସ୍ଥିତ ଥିଲେ।