ଜିଲ୍ଲାର ବିଦ୍ୟାଳୟ ମାନଙ୍କରେ ଜଳ ଉତ୍ସ ବିଶୋଧନ ଓ ମାଧ୍ୟାନ୍ନ ଭୋଜନ ଉପରେ ଗୁରୁତ୍ୱ ।

0 216

ଯାଜପୁର,୨୪/୦୬(ପିପିଟି): ଆଜି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଥିବା ଜଳଉତ୍ସ ଗୁଡ଼ିକର ବିଶୋଧନ ଉପରେ ଆଲୋକପାତ କରାଯାଇଥିଲା। ସମସ୍ତ ବିଦ୍ୟାଳୟ ଗୁଡ଼ିକରେ ହଲୋଜେନ୍ ବଟିକା ବଣ୍ଟନ ନିମନ୍ତେ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। । H2S ପଜିଟିଭ ମିଳୁଥିବା ସ୍କୁଲ ରେ ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଇ ଦିଆଯିବ। କାଲି ଠାରୁ ସ୍କୁଲ ଖୋଲିବାକୁ ଯାଉଥିବାରୁ ସ୍କୁଲରେ ଛାତ୍ର ଛାତ୍ରୀ ମାନଙ୍କୁ ଫୁଟା ପାଣି ଓ ହାଲୋଜେନ ବଟିକା ପକାଇ ପିଇବାକୁ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ପ୍ରତ୍ୟେକ ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀ ମାନେ ସ୍କୁଲ ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ୨୪ ଘଣ୍ଟା ପୂର୍ବରୁ କୌଣସି ରୋଗୀଙ୍କୁ ଡିସଚାର୍ଜ ନ କରିବା ପାଇଁ ଜିଲ୍ଲାପାଳ ଚିକିତ୍ସକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବସ୍ତି ଅଞ୍ଚଳରେ ଯେମିତି କେହି ଖୋଲା କୂଅରୁ ପାଣି ନ ପିଇବେ ଏବଂ ପାଣିକୁ ଫୁଟାଇ ଛାଣି ପିଇବେ ଏହା ଉପରେ ଦୃଷ୍ଟି ରଖିବାକୁ ଜିଲ୍ଲାପାଳ ସି.ଡି.ପି.ଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ପଞ୍ଚାୟତରେ ଥିବା ସ୍କୁଲ ଗୁଡିକରେ ପାଣିକୁ ଫୁଟାଇ ରଖାଯିବ ଏବଂ ଏହାକୁ ଡଙ୍କି ସାହାଯ୍ୟରେ ପିଲାଙ୍କୁ ପିଇବାକୁ ଦିଆଯିବ ଏବଂ ଓ.ଆର.ଏସ ମଧ୍ୟ ପିଲାମାନଙ୍କ ପାଇଁ ସ୍କୁଲରେ ରଖାଯିବ ଯଦି କୌଣସି ପିଲାର ପତଳା ଝାଡା ହେଉଥିବାର ଜଣା ପଡ଼େ ତାଙ୍କୁ ତୁରନ୍ତ ଓ ଆର ଏସ ଦ୍ରବଣ ପିଇବାକୁ ଦେଇ ହସ୍ପିଟାଲ ପଠାଯିବ। ପ୍ରତ୍ୟେକ ସ୍କୁଲକୁ ୩୦ ରୁ ୪୦ ଟି ଓ ଆର ଏସ ଯୋଗାଇ ଦିଆଯିବ। ଏହାର ତଦାରଖ କରିବାକୁ ସମସ୍ତ ପଞ୍ଚାୟତର ପି.ଇ.ଓ ମାନଙ୍କୁ ପରାମର୍ଶ ଦିଆଯାଇଛି। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଆଇ.ଇ.ସି ଅକ୍ଟିଭିଟିଜ୍ ମାଧ୍ୟମରେ ନିଜ ପରିବାର ଓ ପଡୋଶୀ ଲୋକଙ୍କୁ ସ୍ବାସ୍ଥ୍ୟ ପରାମର୍ଶ ଯୋଗାଇ ସଚେତନ କରାଯିବ। ପିଲାମାନଙ୍କୁ ମଧ୍ୟ ଘରୁ ଫୁଟା ପାଣି ସ୍କୁଲ୍ କୁ ସାଙ୍ଗରେ ଆଣିବାକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ସର୍ବଦା ସ୍କୁଲ୍ ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବେ। ମଧ୍ୟାହ୍ନ ଭୋଜନକୁ ଘୋଡାଇ ରଖିବେ ଯେପରି ମାଛି ନ ବସନ୍ତି। ସାବୁନ୍ ରେ ହାତ ଧୋଇ ସ୍କୁଲ୍ ରେ ମଧ୍ୟାହ୍ନ ଭୋଜନ ଖାଇବାକୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସୁନିଶ୍ଚିତ କରାଇବେ। ସ୍କୁଲରେ ସମସ୍ତ ପ୍ରକାର ସ୍ବାସ୍ଥ୍ୟ ପ୍ରୋଟୋକଲ ପାଳନ କରାଯାଉଛି କି ନାହିଁ ମନିଟରିଂ ଟିମ୍ ଏହାର ତଦାରଖ କରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଯୁଧିଷ୍ଠିର ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶିବାନନ୍ଦ ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ,କଳିଙ୍ଗନଗର ସପନ କୁମାର ନନ୍ଦ, ସିଡ଼ିଓ ଅଶୋକ କୁମାର ବେହୁରିଆ, ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟ ମିଶ୍ର, ମହାରାଜା ଯଯାତି କେଶରୀ ମେଡିକାଲ କଲେଜ୍ ଡିନ ତଥା ଅଧ୍ୟକ୍ଷ ଡା. ସୀତାରାମ ମହାପାତ୍ର, ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, ତହସିଲଦାର, ସି.ଡି.ପି.ଓ, ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଜି ସନ୍ଧ୍ୟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଜିଲ୍ଲାରେ ୯୫ ଜଣ ନୂଆ ରୋଗୀ ଆଡମିଟ ହୋଇଥିବାବେଳେ ୮୮ ଜଣ ସ୍ୱଳ୍ପ ପତଳା ଝାଡା (mild )ଏବଂ ୦୭ ଜଣ ଅତ୍ୟଧିକ ପତଳା ଝାଡା(severe) ହେଉଥିବା ରୋଗୀ ଆଡମିଟ ହୋଇଛନ୍ତି। ୦୭ ଜଣ ରୋଗୀଙ୍କୁ ରେଫେର କରାଯାଇଛି ଏବଂ ୯୭ ଜଣଙ୍କୁ ଡ଼ିସଚାର୍ଜ କରାଯାଇଛି। ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟାନ୍ୟ ଚିକିତ୍ସାଳୟରେ ମୋଟ ୧୧୮ ଜଣ ରୋଗୀ ଚିକିତ୍ସତ ହେଉଛନ୍ତି ଯେଉଁଥିରେ ୧୧୬ ଜଣ ସ୍ୱଳ୍ପ ପତଳା ଝାଡା ଏବଂ ୦୨ ଜଣ ଅତ୍ୟଧିକ ପତଳା ଝାଡା ହେଉଥିବା ର ସୂଚନା ମିଳିଛି ।

Leave A Reply

Your email address will not be published.