***ତୁମେ ମୋ ଆଖିରେ***

0 24

ତୁମେ ମୋ ଆଖିରେ ନିଦ୍ରା ଦିଅ ପ୍ରଭୁ
ସପନ ବି ଦିଅ ଭରି….
ଶୋଇ କି ଉଠିବି ଉଠିବି କି ନାହିଁ
ସେ ସବୁ ଇଛା ତୁମରି….
ମୁଁ ଯେ ନିମିତ୍ତ ମାତ୍ର
ତୁମ ମନ୍ତ୍ରେ ମୁଁ ଯେ ନିୟନ୍ତ୍ରିତ…!!
ଏ ପ୍ରାଣ ଦେଇଛ ଅପଘନେ ମୋର
ନାଚେ ବୁଲେ କଥା କହେ….
ଯେଉଁ ଦିନ ପ୍ରାଣ ପିଣ୍ଡୁ ନେବ କାଢି
କାନ୍ଦିବ ଘରଣୀ କୋହେ…
ମୁଁ ଯେ ନିମିତ୍ତ ମାତ୍ର…
ତୁମ ମନ୍ତ୍ରେ ମୁଁ ଯେ ନିୟନ୍ତ୍ରିତ….!!
ଯାହା ମୁଁ ଭାବୁଛି ଯାହା କରୁଛି
ସବୁ ତ ତୁମକୁ ଜଣା….
ଭଲ ମନ୍ଦ ପାପ ପୁଣ୍ୟ କର୍ମ ଯେତେ
ରହସ୍ୟ ଭେଦ ଠିକଣା…..
ମୁଁ ଯେ ନିମିତ୍ତ ମାତ୍ର….
ତୁମ ମନ୍ତ୍ରେ ମୁଁ ଯେ ନିୟନ୍ତ୍ରିତ….!!
ତୁମରେ ଯେ ଅଂଶ ହୋଇ ଆସି ଅଛି
ଏ ମର୍ତ୍ତ୍ୟ ମଣ୍ଡଳେ ମୁହିଁ….
ପ୍ରତି ପଲକରେ ତୁମେ ଦେଖିଅଛ
ଅଦୃଶ୍ୟେ ଅମ୍ବରେ ରହି….
ମୁଁ ଯେ ନିମିତ୍ତ ମାତ୍ର…
ତୁମ ମନ୍ତ୍ରେ ମୁଁ ଯେ ନିୟନ୍ତ୍ରିତ….!!
ମରିବା ଜୀଇଁବା ସବୁ ଲୀଳାଖେଳା
ତୁମ ହାତେ ଅଛି ଡୋରି…
କ୍ଷଣିକ ଆୟୁଷ ଧରି କାହିଁ ପାଇଁ
ଗର୍ବରେ ଛାଡ଼ିବି ହୁରି….
ମୁଁ ଯେ ନିମିତ୍ତ ମାତ୍ର…
ତୁମ ମନ୍ତ୍ରେ ମୁଁ ଯେ ନିୟନ୍ତ୍ରିତ….!!
ଦଶ ଦୋଷ ମୋର କ୍ଷମା କର ବାରେ
ଅଧମ କେଶବ ଭଣେ….
ଶ୍ରୀରଙ୍ଗା ଅଧର ଚରଣେ ଶରଣ
କର କୃପା ଅନୁକ୍ଷଣେ…..
ମୁଁ ଯେ ନିମିତ୍ତ ମାତ୍ର…
ତୁମ ମନ୍ତ୍ରେ ମୁଁ ଯେ ନିୟନ୍ତ୍ରିତ….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Leave A Reply

Your email address will not be published.