ଶେଷ ହେଲା ରଜ, ତିନିଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା।

0 205

ବୋଲଗଡ଼,୧୭/୦୬(ପିପିଟି): ବସୁମତୀ ସ୍ନାନ ହେଉଛି ଓଡିଆ ସଂସ୍କୃତିର ଏକ ପବିତ୍ର ଓ ଆଧ୍ୟାତ୍ମିକ ପର୍ବ ଯାହାକି ବସୁମତୀ ସ୍ନାନ ସହ ଶେଷ ହେଲା ରଜ। ଓଡ଼ିଶାର ଗଣପର୍ବ ରଜର ଆଜି ଚତୁର୍ଥ ଦିନ। ଏହାକୁ ଧରାସ୍ନାନ, ମହାଲକ୍ଷ୍ମୀ ଗାଧୁଆ, ଶୁଦ୍ଧ ସ୍ନାନ ବୋଲି ମଧ୍ୟ କୁହାଯାଏ। ଏହି ଦିନ ରୀତିନୀତି ଅନୁସାରେ ବସୁମତୀ ସ୍ନାନ କରାଯାଏ। ୩ ଦିନ ଧରି ମାଟି ମା’ ରଜସ୍ଵଳା ହୋଇଥାନ୍ତି। ତେଣୁ ରଜର ଚତୁର୍ଥ ଦିନରେ ବସୁମତୀ ସ୍ନାନ କରାଯାଇଥାଏ ।

ଏହି ଦିନ ପ୍ରାତଃ କାଳରେ ସ୍ନାନ ପର୍ବ କରାଯାଇଥାଏ। ପିଢ଼ା ଉପରେ ଶିଳପୁଆ, କଜଳପାତିଆ, ଲଙ୍ଗଳ ଲୁହା, କପାତୁଳା ଥୋଇ ହଳଦୀ, ସିନ୍ଦୂର, ଧୂପ, ଦୀପ, ଆମ୍ବ ଡ଼ାଳ, ଦୁବ, ମେଥି ଆଦି ରଖି ଗୃହିଣୀମାନେ ପୂଜାର୍ଚ୍ଚନା କରିଥାନ୍ତି। ଏହି ଅବସରରେ ହଳଦୀପାଣିରେ ବସୁମାତାଙ୍କୁ ଗାଧୋଇ ଦିଆଯାଏ। ଚନ୍ଦନ, ସିନ୍ଦୁର ସହ ଫଳ ଭୋଗ କରାଯିବାର ବିଧି ମଧ୍ୟ ରହିଛି। ଶିଳପୁଆକୁ ବସୁମତୀ ରୂପେ ପୂଜା କରାଯାଏ। ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥାନ୍ତି। ବସୁମାତା ରଜସ୍ବଳା ହୋଇ ଶୁଦ୍ଧ ସ୍ନାନ କରିବା ପରେ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରନ୍ତି। ଘରେ ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ବା ଶୁଦ୍ଧ ସ୍ନାନ କରାଯାଏ। ମାର୍ଗଶୀର ଶେଷ ଗୁରୁବାରଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଖୋଲା ଯାଇଥାଏ। ଏହା ପ୍ରକୃତି ଓ ମନୁଷ୍ୟ ମଧ୍ୟରେ ଏକ ଗଭୀର ପ୍ରେମ ଓ ଭକ୍ତି ଭାବକୁ ବ୍ୟକ୍ତ କରେ। ବସୁମତୀ ସ୍ନାନ ଏକ ଅନୁଷ୍ଠାନ ନୁହେଁ, ଏହା ହେଉଛି ବସୁମାତା ପ୍ରତି ଶ୍ରଦ୍ଧା ଓ ସମ୍ମାନର ପରିପ୍ରକାଶ।

ସମ୍ବାଦଦାତା-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.