ଆସ ହୋ ମଉନ ରହିବା
ମୁର୍ଖ ସମୀପରେ ଜ୍ଞାନ ବଖାଣିଲେ
ଲୋକ ହସା ସିନା ହୋଇବା….!!
ଅଳ୍ପ ବାଦ୍ଯା ଯେଏ ଜାଣନ୍ତି
ବାଚାଳ ପରିକା ହୁଅନ୍ତି ;
ଭାବନ୍ତି ନିଜକୁ ପଣ୍ଡିତ
କରନ୍ତି କଥାକୁ ଖଣ୍ଡିତ ;
ଅକାରଣେ ବେଶି ଗପନ୍ତି
ପାଗଳ ପ୍ରଳାପ କରନ୍ତି ;
ଆସ ହୋ ମଉନ ରହିବା
ତାଙ୍କ ସାଥେ ଯୁକ୍ତି ତର୍କ ଯେ କରିବ
ଆପଣା ମହତ ସାରିବା….!!
ଚୁଗୁଲୀ ଖୋରଙ୍କ ବେଉସା
ଭାବର ନାହିଁ ଟି ଭରସା ;
ଟାଉଟରୀ କଥା କହନ୍ତି
ପରର ଦୁର୍ଗଣ ଗାଆନ୍ତି ;
କଳହ ତାଙ୍କର ମନ୍ତର
ଭ୍ରମୁଥାନ୍ତି ବାର ଦୁଆର ?
ଆସ ହୋ ମଉନ ରହିବା
ସେମାନଙ୍କ କଥା କର୍ଣ୍ଣେ ନ ପୁରାଇ
ଆପଣା କାର୍ଯ୍ୟରେ ମଜ୍ଜିବା….!!
ଦେଖିଲେ ଅନ୍ଯର ଉନ୍ନତି
ହିଂସାରେ ବହୁତ ଜଳନ୍ତି ;
ଭାବି ଭାବି ଚାପ ବଢାନ୍ତି
ଢୋକେ ମଦ ମାରି ଶୁଅନ୍ତି ;
ଗୋଡ ଟିଣିବାକୁ ତତ୍ପର
ଦେହ ଥରେ ତାଳ ପତର ;
ଆସ ହୋ ମଉନ ରହିବା
ଖଚୁଆ ମିଛୁଆ ଦୁର୍ଜନ ପାଶରୁ
ନିଜକୁ ଦୂରେଇ ରଖିବା….!!
ମିଛେ ଭଡ ଭଡ ହୁଅନ୍ତି
ଚାଟୁକାରୀ ବଡ ସାଜନ୍ତ ;
ସ୍ବାର୍ଥ ପାଇଁ ପାଦ ଚାଟନ୍ତି
ଅଭିନୟା ଭାରି କରନ୍ତି ;
ଆପଣା କୁକର୍ମ ଘୋଡାଇ
ପର ପାଠେ ମନ ବଳାଇ
ଆସ ହୋ ମଉନ ରହିବା
ଅଯୋଗ୍ୟ ଲୋକଙ୍କ ପାଶରେ ନପଡ଼ି
ତାଙ୍କୁ ତିରସ୍କାର କରିବା….!!
(କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)