***ଲତା ପାଇଁ ଚିନ୍ତା***

0 9

ରଞ୍ଜାର ସାହାରା ନେଇ
ଉପରକୁ ଉଠୁଥିବା ଲତା
ତା’ର ଆଖି ଅଛି ଯେ
ଦେଖି ଦେଖି ଯିବ
ନା ତା’ର ପାଟି ଅଛି ଯେ
ପଦେ ମନ କଥା କହିବ
ସେମିତି ସେଇଠି ଗୁରୁଣ୍ଡୁ ଥିବ….!!
ଲାଉ, କଖାରୁ, ତରଭୁଜ,କାକୁଡି, ପୋଟଳ,କଲରା,
ମଟର ଚଣା, କୁନ୍ଦୁରି ଏମିତି ଜଣାଶୁଣା ଲତା
ଯାହା ଆମେ ଖାଉ
ଅଜସ୍ର ଲତା ଅଛି ଅରଣ୍ୟରେ
ଫୁଲ ଫୁଟି ଝରି ଯାଏ
କିଏ ଫଳ ଦେଇ ପଚି ପଡ଼ିଯାଏ ମୂଳେ
ଠିକ ବର୍ଷା ହେଲେ ଗଜେଇ
ପତ୍ର ମେଲାଏ ଲତାର ରୂପ ନେଇ…..!!
ଏଇ ଲତା କେତେ ଚିହ୍ନା
କେତେ ଅଚିହ୍ନା
କିଏ ଚେର ମୂଳି ଔଷଧୀୟ
ହୋଇ ଆମ ରୋଗ ସହ ଲଢି
ଆମକୁ ମରଣ ମୁହଁରୁ ବଞ୍ଚାଏ….
ଅରଣ୍ୟରେ ଅଗ୍ନିକାଣ୍ଡ ବେଳେ
ଗ୍ରୀଷ୍ମ ଋତୁରେ ପାହାଡ ଚୂଡାରେ
ରାତ୍ରର ଘନ ଅନ୍ଧକାରେ
ଦୃଶ୍ୟ ହୁଏ ଅଗ୍ନିର ପ୍ରଲମ୍ବ
ପୋଡି ଯାଏ ସେହି କଅଁଳ ଲତା
ବିଲୁପ୍ତ ହୁଏ – ଅସହାୟ ପଣେ
କହି ପାରେ ନା ମର୍ମର ବ୍ଯଥା…..!!
ଶହେ ବର୍ଷ ତଳେ ଯେଉଁ ଲତା
ଆମ ବାଡି ବଗିଚାରେ ଥିଲା
ପ୍ରସାରୁଣି ଲତା ଆଉ ଦିଶୁନି
ମୂଷାକାନୀ ଲତା ହଜିଗଲା
ନଈ ଗାଡିଆରେ ମେଲେଇ ଥିବା
କଳମ ଶାଗ ଡଙ୍କ ନିଶ୍ଚିହ୍ନ ;
ଗିଲୋଇ ଲତା ଆମ
ଆଖ ପାଖରୁ ବିଲୁପ୍ତ
ବାଈଡଙ୍କ ଲତା ଆଉ ନାହିଁ…!!
ଏମିତି କେତେ କେତେ ପରିଚିତି ଲତା
ଚାହୁଁ ଚାହିଁ ହଜି ଗଲେ….
ଭାବିଲେ ଅନୁତାପ ଲାଗେ
ଆମେ ସବୁ ଜାଣୁ – ସବୁ ବୁଝୁ
କେବେ ପ୍ରକୃତି ସୁରକ୍ଷା ଲାଗି
ଦେଇନୁ ସମୟ- ଦେଇନୁ ଧ୍ୟାନ
କି କରିନୁ ପତ୍ନୀ……..!!
ଆଉ କିଛି କିଛି ଲତା
ବିଲୁପ୍ତର ଶେଷ ପର୍ଯ୍ୟାୟରେ
ସତରେ ଆମେ ଏତେ ସ୍ଵାର୍ଥପର
ପାଟି ଖୋଲି ପାରୁ ନଥିବା
ନେତ୍ର ହୀନ ଲତା
ପାଦ ହୀନ – ଗତି ହୀନ ଲତାଙ୍କ ପାଇଁ
ଆମେ ଟିକେ ତାଙ୍କ ଗହଣକୁ ଯାଇ
ଟିକେ ଟିକେ ତାଙ୍କୁ ଭଲ ପାଇବା
ତାଙ୍କୁ ଆପଣାଇ ନେବା
ଆଉ ଜୀଇଁବାର ରାହା ଦେଖାଇବା…..!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Leave A Reply

Your email address will not be published.