କୋଦଳା,୨୪/୦୫(ପିପିଟି):କୋଦଳା ଖଲାଡି ସାହିର ଆଶା ମହାନ୍ତି, ଚାଷୀ ପ୍ରଭାକର ମହାନ୍ତିଙ୍କ ଓ ସବିତା ମହାନ୍ତିଙ୍କ ଝିଅ, ଏବେ ଗାଁ ଓ ଅଞ୍ଚଳର ଗର୍ବ ହୋଇଉଠିଛନ୍ତି। ପ୍ରକାଶିତ +୨ କଳା ବିଭାଗ ପରୀକ୍ଷାରେ ୫୧୮ ମାର୍କ ଅର୍ଜନ କରି ସେ ନିଜ ପରିଶ୍ରମ ଓ ଦୃଢ଼ ସଙ୍କଳ୍ପର ପରିଚୟ ଦେଇଛନ୍ତି। ସେ କୋଦଳା ଲକ୍ଷ୍ମୀନାରାୟଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଥିଲେ।
ଆଶା ତାଙ୍କ ସଫଳତା ପାଇଁ ପ୍ରଥମେ ତାଙ୍କ ପିତା–ମାତାଙ୍କୁ, ବିଦ୍ୟାଳୟର ଅଧ୍ୟକ୍ଷ ଓ ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି। ସେ ବିଗ୍ନେଶ କୋଚିଂ ସେଣ୍ଟର, କୋଦଳାର ଶିକ୍ଷକମାନଙ୍କ ପ୍ରତି ମଧ୍ୟ ଆଭାର ପ୍ରକାଶ କରିଛନ୍ତି।
ତାଙ୍କ ଏହି ଉଲ୍ଲେଖନୀୟ ଉପଲବ୍ଧି ପାଇଁ ପିତା–ମାତା ବହୁତ ଗର୍ବିତ ଓ ଖୁସି ଅନୁଭବ କରୁଛନ୍ତି। ଆଶାଙ୍କ ଲକ୍ଷ୍ୟ କେବଳ ଏତିକିରେ ସୀମିତ ନୁହେଁ। ସେ ଭବିଷ୍ୟତରେ ଏକ ପ୍ରଶାସନିକ ଅଧିକାରୀ ହେବାକୁ ଚାହୁଁଛନ୍ତି, ଯାହା ଜରିଆରେ ସମାଜ ପାଇଁ କିଛି ଉପକାର କରିପାରିବେ ବୋଲି ବିଶ୍ୱାସ କରନ୍ତି। ଏହି ଲକ୍ଷ୍ୟକୁ ସାକାର କରିବା ପାଇଁ ସେ ଏବେଠାରୁ ଏହାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।ତାଙ୍କ ଏହି ଦୃଢ଼ ମନୋବଳ ଓ ଲକ୍ଷ୍ୟନିଷ୍ଠା ଦେଖି ଅଞ୍ଚଳବାସୀ ଏହାକୁ ଗର୍ବର ବିଷୟ ଭାବେ ଦେଖୁଛନ୍ତି । ଆଶାଙ୍କ ଉଦାହରଣ ଅନ୍ୟ ଅନେକ ଗ୍ରାମୀଣ ଝିଅମାନଙ୍କ ପାଇଁ ପ୍ରେରଣା ହେଉଥିବାରେ କିଛି ସନ୍ଦେହ ନାହିଁ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)