ହରଭଙ୍ଗା,୧୭/୦୫: ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା- ବଲାଙ୍ଗୀର ନୂତନ ରେଳପଥର ବୌଦ୍ଧ ଏବଂ ପୁରୁଣାକଟକ ଷ୍ଟେସନ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କାର୍ଯ୍ୟ ସରିଛି। ଗତ ଜାନୁୟାରୀ ମାସରେ ବୌଦ୍ଧ ଷ୍ଟେସନ ପର୍ଯ୍ୟନ୍ତ ରେଳ ନିରାପତା ଯାଞ୍ଚ (ସି.ଆର.ଏସ) କାର୍ଯ୍ୟ ସମ୍ପାଦନ ହୋଇଥିଲା । ଏହାର ଦୁଇମାସ ପରେ ଅର୍ଥାତ୍ ଗତ ୨୫ଏବଂ ୨୬ ମାର୍ଚ୍ଚରେ ବୌଦ୍ଧରୁ ପୁରୁଣାକଟକ ଷ୍ଟେସନ ପର୍ଯ୍ୟନ୍ତ ଦୀର୍ଘ ୨୭କି.ମି ଦୂୂରତା ସମ୍ପନ୍ନ ରେଳପଥର ଦୁଇଦିନିଆ ନିରାପତା ଯାଂଚ (ସି.ଆର.ଏସ) କାର୍ଯ୍ୟ ସମ୍ପାଦନ ସରିଛି । ସି.ଆର.ଏସ କାର୍ଯ୍ୟ ସମ୍ପାଦନା ପରେ ୪୫ଦିନ ମଧ୍ୟରେ ବଲାଙ୍ଗୀର ପାଶ୍ୱର୍ରୁ ସୋନପୁର-ବୌଦ୍ଧ ଦେଇ ପୁରୁଣାକଟକକୁ ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ମୁଖ୍ୟ ଯନ୍ତ୍ରୀ ଅଜୟ କୁମାର ସାମଲ ସୂଚନା ଦେଇଥିଲେ । ମାତ୍ର ୫୩ ଦିନ ପରେ ବି ବୌଦ୍ଧ ଏବଂ ପୁରୁଣାକଟକ ଷ୍ଟେସନକୁ ରେଳଗଡିବାର କୌଣସି ପୂର୍ବାଭାସ ନାହିଁ । ଯାହାଫଳରେ ରେଳ ଗଡିବା ବିଳମ୍ବ ଯୋଗୁଁ ଅଞ୍ଚଳବାସୀଙ୍କ ବହୁଦିନର ଆଶା ଆଶାରେ ହିଁ ରହିଯାଇଛି । ଅନ୍ୟପଟେ ଉକ୍ତ ରେଳପଥ ଅର୍ନ୍ତଗତ ପ୍ୟାକେଜ-୩ରେ ସମସ୍ତ ହାଏ ଲେବୁଲ ବ୍ରିଜ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଜିଲ୍ଲାରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟକୁ ସମ୍ପୁର୍ଣ୍ଣ ପାଇଁ ଆହୁରି ଦୁଇବର୍ଷ ବିତିଯିବ ବୋଲି ଜଳ ଜଳ ହୋଇଦିଶୁଛି । ସେହିପରି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପରେ ସମୁଦାୟ ୭ଗୋଟି ସୁଡଙ୍ଗ ନିର୍ମାଣଧିନ ରହିଛି ।ବୌଦ୍ଧଜିଲ୍ଲାର ହରଭଙ୍ଗା ବ୍ଲକ ଅର୍ନ୍ତଗତ ଆଡେଣିଗଡ,ତେଇସିମାଇଲ ଏବଂ ମାର୍ଦ୍ଦିଙ୍ଗ ଭଳି ୪ଗୋଟି ସ୍ଥାନରେ ୪ ,୫,୬,୭ ଭଳି ସୁଡଙ୍ଗ ନିର୍ମାଣ କାର୍ଯ୍ୟ ଚାଲୁରହିଛି ।ଯଦିଓ ସମସ୍ତ ସୁଡଙ୍ଗର ବାଟ ଖୋଲିସାରିଛି । ମାତ୍ର ସୁଡଙ୍ଗ ମଧ୍ୟରେ ରେଳଧାରଣା ବିଛା କାର୍ଯ୍ୟଠାରୁ ଆରମ୍ଭ କରି ଇଲେକ୍ଟ୍ରି ସଂଯୋଗ ଭଳି ଅନେକ ଗୁଡିଏ ଆନୁସାଙ୍ଗିକ କାର୍ଯ୍ୟ ବାକି ରହିଛି । ଅନ୍ୟପଟେ ନୟାଗଡ ଜିଲ୍ଲା ଦଶପଲ୍ଲା ପାଶ୍ୱର୍ରେ ଚାଲିଥିବା ଅନ୍ୟ ତିନୋଟି ସୁଡଙ୍ଗ ନିର୍ମାଣ କାର୍ଯ୍ୟରେ ମନ୍ଥରତା ସାଙ୍ଗକୁ ହାଏ ଲେବୁଲ ବ୍ରିଜ ନିର୍ମାଣରେ ବିଳମ୍ବ ଯୋଗୁଁ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ସମୟସୀମା ମଧ୍ୟରେ ସରିବା ନେଇ ଆଶଙ୍କା ଦେଖାଦେଇଛି । ଅନ୍ୟପଟେ ରେଳପଥ ନିର୍ମାଣ ସର୍ମ୍ପକରେ ଜିଲ୍ଲାପ୍ରଶାସନ ପକ୍ଷରୁ କୌଣସି ତଦାରଖ ଏବଂ ହସ୍ତକ୍ଷେପ କରାଯାଉନଥିବାରୁ ରେଳପଥ ନିର୍ମାଣ କାର୍ଯ୍ୟ କିଭଳି ଢଙ୍ଗରେ ଚାଲିଛି ଏବଂ ସମସ୍ତ ଏସ.ଓ.ପି ଅନୁପାଳନ ହେଉଛି କି ନାହିଁ ତାକୁ ନେଇ ବଡପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ରେଳପଥ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେଥିବା ବିଭାଗିୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏ ସର୍ମ୍ପକରେ ଗଣମାଧ୍ୟମକୁ ସୂଚନା ଦେବାରେ କୁଣ୍ଠାବୋଧ ଯୋଗୁଁ ନିର୍ମାଣକାର୍ଯ୍ୟର ଭିତିରି କଥା ଲୋକଲୋଚନକୁ ଅସିପାରୁନି । ଏ ଦିଗରେ ପୂର୍ବତଟ ରେଳପଥ ଜି.ଏମ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।