ମାଲକାନଗିରି, ୧୫/୦୫(ପିପିଟି) :ଅପ୍ରେଲ ୨୨ ତାରିଖ ଦିନ ଜମ୍ମୁର ପହଲଗାମ୍ ଠାରେ ଆତଙ୍କବାଦୀଙ୍କ ବିଭତ୍ସ କାଣ୍ଡର ଜବାବ୍ରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଭାରତ ଆତଙ୍କବାଦୀଙ୍କ ବିରୁଦ୍ଧରେ ମଇ ୭ ତାରିଖ ଦିନ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲା । ଭାରତୀୟ ସେନାବାହିନୀର ଅଭୂତପୂର୍ବ ସାହସ, ପରାକାଷ୍ଠା ଯୋଗୁଁ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂସ ପାଇବା ସହ ବହୁ ଆତଙ୍କବାଦୀ ମୃତାହତ ହୋଇଥିଲେ । ଏହି ଆକ୍ରମଣରେ ବ୍ୟତିବ୍ୟସ୍ତ ହୋଇ ମାତ୍ର ତିନି ଦିନ ପରେ ମଇ ୧୦ ତାରିଖ ଦିନ ପାକିସ୍ତାନ ଅସ୍ତ୍ରବିରତିର ପ୍ରସ୍ତାବ ଦେଇଥିଲା ।
ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମ ଯୋଗୁଁ ଆଜି ଦେଶବାସୀ ଗର୍ବିତ । ଭାରତର ସାର୍ବଭୌମତ୍ୱ ଓ ଭାରତୀୟଙ୍କ ସୁରକ୍ଷା ପାଇଁ ସେନାବାହିନୀର ଏହି ଦେଶଭକ୍ତି ଓ ବୀରତ୍ୱକୁ ସମ୍ମାନ ଜଣାଇ ଆଜି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ଏହି ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଭାରତ ମାତା କି ଜୟ, ବନ୍ଦେ ମାତରମ୍ ଧ୍ୱନିରେ ଗଗନପବନ ପ୍ରକମ୍ପିତ ହୋଇଥିଲା । ବହୁ ସଂଖ୍ୟାରେ ସ୍ଥାନୀୟ ଜନତା, ଜିଲ୍ଲାର ନାଗରିକ ସମାଜ, ବଣିକ ସଂଘ, ବିଭିନ୍ନ ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ ସଂଗଠନ , ସରକାରୀ କର୍ମଚାରୀ, ପୋଲିସ କର୍ମଚରୀ , ଫରେଷ୍ଟ କର୍ମଚାରୀ ଏବଂ ମିଶନ ଶକ୍ତି ମହିଳା ଏହି ଶୋଭାଯାତ୍ରାରେ ଯୋଗଦେଇଥିଲେ । ସକାଳ ୮ଟା ସମୟରେ ଏହି ତ୍ରିରଙ୍ଗା ଶୋଭାଯାତ୍ରା ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରୁ ବାହାରି ଡିଏନକେ ଖେଳ ପଡିଆ ପର୍ଯ୍ୟନ୍ତ ଯାଇଥିଲା ।
ଜନସାଧାରଣଙ୍କ ମନରେ ଅପୂର୍ବ ଉତ୍ସାହ, ଉଦ୍ଦିପନା ଓ ବିଜୟର ଆନନ୍ଦ ସହ ଦେଶପ୍ରେମର ମନୋଭାବ ଦେଖିବାକୁ ମିଳିଥିଲା । ଅତିରିକ୍ତ ଜିଲ୍ଲାପାଳ ଏହି ଅବସରରେ କହିଥିଲେ ଯେ ମାତୃଜାତି ପ୍ରତି ରହିଥିବା ଗଭୀର ସମ୍ବେଦନା ତଥା ଦେଶର କନ୍ୟାର ସିନ୍ଦୂରର ସୁରକ୍ଷା ମାଧ୍ୟମରେ ସମଗ୍ର ଦେଶବାସୀଙ୍କ ସୁରକ୍ଷା, ଦେଶର ଏକତା ଏବଂ ସାର୍ବଭୌମତ୍ୱ ପ୍ରତି ରହିଥିବା ପ୍ରତିବଦ୍ଧତାର ପରିଣାମ ଅପରେସନ୍ ସିନ୍ଦୂର । ସେ ଆହୁରି ମଧ୍ୟ କହିଥିଲେ ଯେ ସମସ୍ତ ସେନାବାହିନୀର ସମନ୍ୱୟ ଏବଂ ଦେଶ ସାମରିକ କୌଶଳରେ ବିଶ୍ୱର ସର୍ବଶ୍ରେଷ୍ଠ ଦେଶ ବୋଲି ପ୍ରମାଣିତ ହୋଇ ପାରିଛି ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତି, ସାଂସଦ ପ୍ରତିନିଧି ସଞ୍ଜୟ ସରକାରଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ, କର୍ମଚାରୀ, ପୋଲିସ ପ୍ରଶାସନ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ସ୍ଥାନୀୟ ବିଏସଏଫ୍ ଡେପୁଟି କମାଣ୍ଡାଣ୍ଟ ରବି ମିଶ୍ରଙ୍କ ନେତୃତ୍ୱରେ ବିଏସଏଫ୍ ର ଯବାନ ମାନେ ବାଇକ୍ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)