ଉତ୍କଟ ହେଲାଣି ମାଲକାନଗିରିରେ ପାନୀୟ ଜଳ ସମସ୍ଯା ।

0 239

ମାଲକାନଗିରି,୧୪/୦୫(ପିପିଟି) :ମାଲକାନଗିରି ଜିଲ୍ଲାରେ ଥିବା ସମସ୍ତ ଗ୍ରାମାଞ୍ଚଳକୁ ପାନୀୟ ଜଳ ସମସ୍ଯାର ସ୍ଥାୟୀ ସମାଧାନ ପାଇଁ ପ୍ରତ୍ୟେକ ବ୍ଲକରେ ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ନିର୍ମାଣ କରିବାର ସମୟ ସୀମା ଅତିକ୍ରମ ହୋଇ ଯାଇଥିଲେ ମଧ୍ୟ ଉକ୍ତ କାର୍ଯ୍ଯଗୁଡିକ କଛପ ପରି ମନ୍ଥର ଗତିରେ ଚାଲିଛି। ବର୍ତ୍ତମାନ ସର୍ବତ୍ର ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ନଦୀ ଝରଣା ଏବଂ ବିଭିନ୍ନ ଜଳାଶୟଗୁଡିକରେ ଜଳଶୂନ୍ୟ ହୋଇପଡିଛି । ପାନୀୟ ଜଳ ପାଇଁ ପାହାଡ ପାଦଦେଶରେ ଥିବା ଆଦିବାସୀ ଗାଁ ଗୁଡିକ ନାହିଁ ନଥିବା ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି ।ଅନ୍ଯ ପକ୍ଷରେ ମାଲକାନଗିରି ଜିଲ୍ଲାର ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଣ ଉଦ୍ଦେଶ୍ୟରେ ନିର୍ମାଣ କରାଯାଉଥିବା ମେଗା ପ୍ରକଳ୍ପ ଗୁଡିକ ଜିଲ୍ଲା ପ୍ରଶାସନ ଉଦାସୀନତା ଯୋଗୁଁ ଜନ ସାଧାରଣଙ୍କ ଆଶା ଧୀରେ ଧୀରେ ମଉଳି ଯାଉଛି।
ସୂଚନାଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକର ଭେଙ୍କଟ ପଲ୍ଲମ ଠାରେ ପାନୀୟ ଜଳ ଯୋଗାଣ ପାଇଁ ୪୬.୦୧ କୋଟି ଟଙ୍କା ବିନିମୟରେ ମେଗା ପ୍ରକଳ୍ପ ନିର୍ମାଣ କରାଯାଉଥିବା ବେଳେ ଏହି କାର୍ଯ୍ୟାଦେଶ ୯.୧୧.୨୦୨୦ ତାରିଖରେ ଜେଏମସି
କଂପାନୀ ନେଇଥିଲା। ତେବେ ଏହି କାର୍ଯ୍ୟ ୯.୯.୨୦୨୨ ତାରିଖରେ ସମସ୍ତ କରିବା ଲାଗି ଚୁକ୍ତିନାମା କରିଥିଲା ବେଳେ ଏହାର ସମୟ ସୀମାକୁ ପୁନଶ୍ଚ ୧୭.୩.୨୦୨୪ ତାରିଖକୁ ବୃଦ୍ଧି
କରାଯାଇଥିଲେ ମଧ୍ୟ କାମଟି ସଂପୂର୍ଣ୍ଣ ହୋଇ ପାରି ନାହିଁ। ଏହି କାର୍ଯ୍ୟ ସଂପୂର୍ଣ୍ଣ ହେଲେ କାଲିମେଳା ବ୍ଲକର ୨୧ ଗୋଟି ଗାଁ କୁ
ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷ୍ଯ ଧାର୍ଯ୍ୟ କରାଯାଇଛି।
ସେହିପରି ବଦଳି ପଞ୍ଚାୟତର ଏମଭି-୩୯ ଠାରେ ୬୫.୭୩ କୋଟି ଟଙ୍କା ବିନିମୟରେ ପାନୀୟ ଜଳ ପାଇଁ ମେଗା ପ୍ରକଳ୍ପ ନିର୍ମାଣ ଲାଗି ୯.୧୧.୨୦୨୦ ତାରିଖରେ କାର୍ଯ୍ୟାଦେଶ ପ୍ରଦାନ କରା ଯାଇଥିଲା ବେଳେ ଏହି କାର୍ଯ୍ୟ ୯.୯.୨୦୨୨ତାରିଖ ରେ ପରିସମାପ୍ତି ହେବା ପାଇଁ ଚୁକ୍ତି ନାମା ହୋଇ ଥିଲା। ପୁନଶ୍ଚ ଏହାର ସମୟ ସୀମା କୁ ୧୭.୩.୨୦୨୪ କୁ ବୃଦ୍ଧି କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡି ରହିଛି। ଏହି କାର୍ଯ୍ୟ ଭାର ଜେଏମସି କଂପାନୀ ହସ୍ତରେ ନ୍ୟସ୍ତ କରାଯାଇଛି । ଯଦି ପ୍ରକଳ୍ପ କାର୍ଯ୍ୟ ସମସ୍ତ ହୁଏ, ତେବେ ୩୩ ଗୋଟି ଗ୍ରାମବାସୀ ପାନୀୟ ଜଳ ପାଇ ପାରିବେ। କୋରୁକୋଣ୍ତା ବ୍ଲକର ମାରିବେଡା ଗ୍ରାମ ଠାରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଥିବା ବେଳେ ୧୨୨.୭୪ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ଏହି କାର୍ଯ୍ୟକୁ ମୁମ୍ବାଇର କେଇସି କମ୍ପାନୀ କରୁଥିବା ବେଳେ ୨୩.୧୨.୨୦୨୧ ତାରିଖରେ କାର୍ଯ୍ୟାଦେଶ ପାଇ ୨୨.୧୨.୨୦୨୩ ତାରିଖ ରେ ପାନୀୟ ଜଳ ମେଗା ପ୍ରକଳ୍ପ ସମାପ୍ତି ଲାଗି ଚୁକ୍ତି ବଦ୍ଧ ଥିଲା। ପୁନଶ୍ଚ ୩୧.୧୨.୨୦୨୪ ତାରିଖ କୁ ସମୟ ସୀମା ବୃଦ୍ଧି କରାଯାଇଥିଲା ବେଳେ ଏହି କାର୍ଯ୍ୟ ଅଦ୍ୟାବଧି ସମାପ୍ତ ହୋଇ ନାହିଁ। ଏହି କାର୍ଯ୍ୟ ସମାପନ ହେଲେ
୮୯ ଗାଁକୁ ପାନୀୟ ଜଳ ଯୋଗାଣ ହୋଇ ପାରିବ । ପଡ଼ିଆ ବ୍ଲକ୍ ର ଏମପିଭି-୬୬ ଗ୍ରାମରେ ପାନୀୟ ଜଳ ମେଗା ପ୍ରକଳ୍ପ ନିର୍ମାଣ କରାଯାଉଥିବା ବେଳେ ଏଥି ପାଇଁ ୧୦୪.୮୭ କୋଟି ଟଙ୍କା ଖର୍ଚ୍ଚ ଅଟକଳ ରଖାଯାଇଛି । ଏହି କାର୍ଯ୍ୟାଦେଶ ୨୩.୧୨.୨୦୨୧ ତାରିଖରେ କେଇସି ମୁମ୍ବାଇ କଂପାନୀ କୁ ପ୍ରଦାନ କରାଯାଇଛି। ଏହାର ନିର୍ମାଣ କାର୍ଯ୍ଯ କାଳ ୨୨.୧୨.୨୦୦୨୩ ତାରିଖ ରଖାଯାଇଥିଲା ବେଳେ ପୁନଶ୍ଚ ସମୟ ସୀମା ୩୧.୧୨.୨୦୨୪ ତାରିଖକୁ ବୃଦ୍ଧି କରାଯାଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟ ସମାପ୍ତ ହୋଇ ନାହିଁ। ଏହି କାର୍ଯ୍ୟ ଶେଷ ହେଲେ ୪୮ ଗାଁ କୁ ପାନୀୟ ଜଳ ଯୋଗାଣ ହୋଇ ପାରିବ।ଚେଡେଙ୍ଗା ପଞ୍ଚାୟତର ସରଦାପୁଟ ଠାରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା ବେଳେ ଏହାର ଅଟକଳ ମୂଲ୍ୟ ୩୦୯.୦୭ କୋଟି ଟଙ୍କା ରଖାଯାଇଛି। ଗତ ୧୫.୨.୨୦୨୩ ତାରିଖ ରେ କେଇସି ମୁମ୍ବାଇ କଂପାନୀ କାର୍ଯ୍ୟାଦେଶ ପାଇଥିବା ବେଳେ ୧୫.୨.୨୦୨୫ ତାରିଖରେ ସମାପ୍ତି ହେବା କୁ ଚୁକ୍ତିନାମା କରିଛି। ବର୍ତ୍ତମାନ ଏହି କାର୍ଯ୍ୟ ମାତ୍ର ୨୫ ପ୍ରତିଶତ ହୋଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨୧୦ ଗୋଟି ଗ୍ରାମବାସୀ ପାନୀୟ ଜଳ ପାଇ ପାରିବେ।
ସେହିପରି କାଲିମେଳା ବ୍ଲକର ମାନ୍ଯମକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ପଲୁର ଠାରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଥିଲା ବେଳେ ଏହାର ଅଟକଳ ମୂଲ୍ୟ ୧୫୫.୫୮ କୋଟି ଟଙ୍କା ରଖାଯାଇଛି। ଏହି ପ୍ରକଳ୍ପର କାର୍ଯ୍ୟାଦେଶ ୧୫.୨.୨୦୨୩ ତାରିଖରେ କେଇସି ମୁମ୍ବାଇ କଂପାନୀ ପାଇଥିଲା ବେଳେ ୧୫.୨.୨୦୨୫ ତାରିଖ ରେ ଏହାର ନିର୍ମାଣ କାର୍ଯ୍ୟର ପରିମାପ୍ତି ରହିଛି। ବର୍ତ୍ତମାନ ଏହି କାର୍ଯ୍ୟ ମାତ୍ର ୩୧ ପ୍ରତିଶତ
ହୋଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୮୬ ଗ୍ରାମକୁ ପାନୀୟ ଜଳ ଯୋଗାଣ ହୋଇ ପାରିବ। ଅନ୍ଯ ପକ୍ଷରେ ମାନ୍ଦା ପାଲ୍ଲୀ ପଞ୍ଚାୟତର ଏମପିଭି -୬ ଗ୍ରାମ ଠାରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଥିଲା ବେଳେ ଏହି ପ୍ରକଳ୍ପ ର ଅଟକଳ ମୂଲ୍ୟ ୮୨.୧୬ କୋଟି ଟଙ୍କା ରଖାଯାଇଛି। ଏହି କାର୍ଯ୍ୟାଦେଶ କେଇସି କମ୍ପାନୀ ୧୫.୨.୨୦୨୩ରେ ପାଇଥିବା ବେଳେ ଏହାର ସମାପ୍ତି ୧୫.୨.୨୨୦୨୫ ତାରିଖରେ ଥିଲା।। ବର୍ତ୍ତମାନ ଏହି କାର୍ଯ୍ୟ ମାତ୍ର ୪୨ ପ୍ରତିଶତ ଥିବା ଜଣା ପଡ଼ିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୩୩ ଗୋଟି ଗାଁ କୁ ପାନୀୟ ଜଳ ଯୋଗାଣ ହୋଇ ପାରିବ । ଚିତ୍ରକୋଣ୍ଡା ବ୍ଲକ ର ଅଣ୍ଡ୍ରାଲ୍ଲୀ ପଞ୍ଚାୟତ ର ଅରାପଦର ଠାରେ ୪୩.୧୬ କୋଟି ବ୍ୟୟ ଅଟକଳରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଉଥିଲା ବେଳେ ଏହି କାର୍ଯ୍ୟାଦେଶ ଓଡ଼ିଶାର ୟୁନିକମ୍ କଂପାନୀ ୧୭.୩.୨୦୨୨ ତାରିଖରେ ନେଇଛି। ଏହାର ନିର୍ମାଣ ଅବଧି ୧୬.୯.୨୦୨୩ ରହିଥିଲା। ସମୟ ସୀମା ଅତିକ୍ରାନ୍ତ ହୋଇଯାଇଥିଲା ବେଳେ ଏହି କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିଛି ।ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୫୮ ଗାଁ ର ଲୋକମାନେ ପାନୀୟ ଜଳ ପାଇ ପାରିବେ। ଏହା ବ୍ୟତିତ ଚିତ୍ରକୋଣ୍ଡା ପଞ୍ଚାୟତର ରାଜଲକୋଣ୍ଡା ଗ୍ରାମ ଠାରେ ୨୯.୫୨ କୋଟି ଅର୍ଥ ବିନିଯୋଗ ରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଥିଲା ବେଳେ ୬.୩.୨୦୨୨ ତାରିଖ ରେ ୟୁନିକମ୍ ଓଡିଶା କମ୍ପାନୀ କୁ ନିର୍ମାଣ ଦାୟିତ୍ବ ହସ୍ତାନ୍ତର କରାଯାଇଛି । ଏହ କମ୍ପାନୀ ୧୨.୨.୨୦୨୩ ରେ ନିର୍ମାଣ କାର୍ଯ୍ୟ ସମାପ୍ତ ଲାଗି ଚୁକ୍ତି ବଦ୍ଧ ଥିଲା ବେଳେ ଏହା ସମୟ ସୀମା ଅତିକ୍ରମ ହୋଇ ସାରିଛି। ବର୍ତ୍ତମାନ ଏହି କାର୍ଯ୍ୟ ଅସମାପ୍ତ ଅବସ୍ଥାରେ ପଡି ରହିଛି। ଏହି ପ୍ରକଳ୍ପ ଦ୍ବାରା ୨୧ ଗୋଟି ଗାଁ କୁ ପାନୀୟ ଜଳ ଯୋଗାଣ ର ଲକ୍ଷ୍ଯ ଧାର୍ଯ୍ୟ କରାଯାଇଛି।
ସର୍ବ ମୋଟ ୧୦ ଗୋଟି ପାନୀୟ ଜଳ ମେଗା ପ୍ରକଳ୍ପରୁ ଗୋଟିଏ ମଧ୍ୟ ପ୍ରକଳ୍ପ ଦୀର୍ଘ ୫ ବର୍ଷ ହେଲା ସମାପ୍ତ ହୋଇ ନାହିଁ। ଏହି ପ୍ରକଳ୍ପ ଗୁଡିକ କାର୍ଯ୍ୟକରୀ ହେଲେ ୨୦୧୧ ଜନଗଣନା ଅନୁସାରେ ମାଲକାନଗିରି ଜିଲ୍ଲାର ଗ୍ରାମାଞ୍ଚାଳରେ ଥିବା ୪ ଲକ୍ଷ ୯୬ ହଜାର ୪୮୪ ଲୋକ ପାନୀୟ ଜଳ ପାଇ ପାରନ୍ତେ । ଜିଲ୍ଲା
ପ୍ରଶାସନ ଅଧିକ ଧ୍ୟାନ ଦେଲେ, ଏହି ପ୍ରକଳ୍ପ କାର୍ଯ୍ୟ ଗୁଡ଼ିକ ଠିକ୍ ସମୟରେ ପରିସମାପ୍ତି ସମ୍ଭବପର ହୋଇ ପାରନ୍ତା। ଏବଂ ଋତୁରେ ଆବଶ୍ୟକ କରୁଥିବା ଉତ୍କଟ ପାନୀୟ ଜଳ ସମସ୍ଯାରୁ
ପରିତ୍ରାଣ ମିଳନ୍ତା ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି )

Leave A Reply

Your email address will not be published.