***ପ୍ରେମ ପଥ***

0 66

କଣ୍ଟାର ଆଘାତ ସହିବାକୁ ହେଲେ
ଗୋଲାପ ବଣରେ ପଶ….
ସୁନ୍ଦରୀ ତରୁଣୀ ପାଇବାକୁ ହେଲେ
ଭୁଲିଯାଅ ଭୋକ ଶୋଷ….!!
ସୁନ୍ଦରୀ ପାଇଁ ତ ସଭିଏଁ ପାଗଳ
ନିଜର କରିବା ଲାଗି….
ପ୍ରତିଯୋଗୀଙ୍କର ଭିଡ ବେଶି ଏଠି
ହେଉ କିଏ ଯୋଗୀ ଭୋଗୀ….!!
ସୁନ୍ଦରୀ କନିଆ ରୂପର ଯାଦୁରେ
ବିମୋହିତ ସର୍ବ ଜନ….
ଯୁବକ ଜୀବନ ବିଦଗ୍ଧରେ ଦିନ
କଟୁଥାଏ ପୁନଃ ପୁନଃ….!!
ସାନିଧ୍ୟ ଟିକକ ପାଇବା ଆଶାରେ
ଝୁରି ଝୁରି କଣ୍ଟା ହୁଏ….
ସକଳ ଅମୃତ ଜହର ମଣଇ
ପ୍ରେମ ରୋଗ ତନୁ ଦହେ …!!
ସୁନ୍ଦରୀ ଅଧରୁ ଝରୁଥିଲେ ହସ
ଛାତିର ସ୍ପନ୍ଦନ ବଢ଼େ…
ସପନେ ଆସିଣ ନିଃଶବ୍ଦ ନିଶିରେ
ସ୍ବର୍ଣ୍ଣ ଲତିକା କି ଜଡେ….!!
ସୁନ୍ଦରୀ ଟା ସତେ ସପନ ସୁନ୍ଦରୀ
ପ୍ରେମ ଜାଲେ ଫଶେ ନାହିଁ….
ସବୁ ପ୍ରେମିକର ମନକୁ ହରିଣ
ଧରା କେବେ ଦିଏ ନାହିଁ….!!
ପ୍ରେମକ ମହଲ ଭାରି ଗରମ ଯେ
ସବୁଠି ଚରଚା ତା’ର….
କିଏ ପାଇବାକୁ ଧନ ଉଡାଏ ତ
ଜଣେ ନାମ ବାର ବାର….!!
ସବୁଠି ତାହାର ପ୍ରେମର ଆସର
ମୋହନୀ ମାୟାର ଛଳ….
ତା ପଛରେ ପଡି ହେଲା କେ କାଙ୍ଗଳ
କାହା ବପୁ ଦୁରୁବଳ….!!
ମରୁ ମରିଚିକା ପଛେ ପଛେ ଧାଇଁ
କା ଜୀବନ ହେଲା ଧ୍ବଂସ….
ରୂପସୀ ମାନସୀ ପ୍ରୀତିର ପସରା
ଭାବରେ ଛଳନା ବିଷ….!!
ଏହି ନାରୀ ପାଇଁ ରାମାୟଣ ସୃଷ୍ଟି
ହୁଏ କୁରୁକ୍ଷେତ୍ରେ ରଣ….
ରକ୍ତ ପାତ ପୁଣି ମୃତ୍ୟୁ ବିଭୀଷିକା
ପୁରୁଷର ହାନି ପ୍ରାଣ….!!
ସୁନ୍ଦରୀ ଯେତିକ ଅଛନ୍ତି ମହୀରେ
ସଭିଙ୍କ କାହାଣୀ ଭିନ୍ନ…..
ପ୍ରେମ ପଥେ କେତେ ଘାତ ପ୍ରତିଘାତ
ବିଷର୍ଣ୍ଣ ବିଭତ୍ସ ଦିନ…..!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Leave A Reply

Your email address will not be published.