ମାଲକାନଗିରି,୦୩/୦୫(ପିପିଟି) :ମାଲକାନଗିରି ଜିଲ୍ଲା ନିର୍ମାଣ ଶ୍ରମିକ ସଙ୍ଘ ଏବଂ ଜିଲ୍ଲା ଶ୍ରମଜୀବୀ ସଂଗଠନର ମିଳିତ ଆନୁକୂଲ୍ଯରେ ଶ୍ରମିକ ଦିବସ ପାଳିତ ହୋଇଯାଇଛି।
ଜିଲ୍ଲାର ମୋଟ ୭ଟି ବ୍ଲକର ୧୮ଗୋଟି ଗ୍ରାମ ପଞ୍ଚାୟତରେ ଶ୍ରମିକ ଦିବସ ପାଳନ ହୋଇଯାଇଛି । ଜିଲ୍ଲାରେ ମୋଟ ଜନ ସଂଖ୍ୟାର ପ୍ରାୟ ୭୦ ଭାଗରୁ ଊର୍ଦ୍ଧ୍ୱ ଶ୍ରମିକଜୀବୀ ହୋଇଥିବା ବେଳେ ଚଳିତ ଶ୍ରମିକ ଦିବସକୁ ପଂଚାୟତ ସ୍ତରରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଶ୍ରମିକ ଦିବସରେ ସଚେତନତା କରିବା ସହିତ ସରକାରଙ୍କର ବିଭିନ୍ନ କଲ୍ୟାଣକାରୀ ଯୋଜନା ଉପରେ ଆଲୋଚନା କଯାଇଥିଲା । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବିଭିନ୍ନ ଶ୍ରମିକମାନଙ୍କର ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବି ସମ୍ବଳିତ ଦରଖାସ୍ତ ସ୍ଥାନୀୟ ସରପଞ୍ଚଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଦାବି ଗୁଡିକ ମଧ୍ୟରେ ମାଲକାନଗିରି ଜିଲ୍ଲାକୁ ଦାଦନ ପ୍ରବଣ ଜିଲ୍ଲା ରୂପେ ଘୋଷଣା କରିବା, ଯେଉଁ ଶ୍ରମିକ ମାନେ ଦାଦନ ଯାଉଛନ୍ତି ସେମାନଙ୍କୁ ପଞ୍ଚାୟତ ସ୍ତରରେ ଚିହ୍ନଟ କରିବା ସହିତ କେଉଁ ରାଜ୍ୟକୁ ଯାଉଛନ୍ତି ଏବଂ କେଉଁ ଶ୍ରମିକ ଠିକାଦାର ନେଉଛନ୍ତି ତାହାର ସମ୍ପୂର୍ଣ ଠିକଣା ରଖିବା,ଦାଦନ ସମସ୍ୟା ଦୂରିକରଣ ପାଇଁ ମନରେଗା କାର୍ଯ୍ୟକ୍ରମକୁ ସଠିକ ତ୍ୱରାନ୍ୱିତ କରିବା ଓ ମନରେଗାରେ ପ୍ରତି ଶ୍ରମିକଙ୍କୁ ୨୦୦ ଦିନ କାମ ଯୋଗାଇଦେବା, ମନରେଗାରେ ଦୈନିକ ମଜୁରୀ ୬୦୦ ଟଙ୍କା କରିବା, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅଣକୁଶଳୀ, ଅର୍ଦ୍ଧ କୁଶଳୀ ଓ କୁଶଳୀ ଶ୍ରମିକ ମାନଙ୍କୁ ସର୍ବନିମ୍ନ ମଜୁରୀ ଯଥାକ୍ରମେ ୬୦୦ଟଙ୍କା, ୭୫୦ଟଙ୍କା, ୧୦୦୦ ଟଙ୍କାକୁ ବୃଦ୍ଧି କରିବା, ଜିଲ୍ଲାରେ ସମସ୍ତ କୁଶଳୀ ନିର୍ମାଣଶ୍ରମିକ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ଦକ୍ଷତା ଵୃଦ୍ଧି ନିମନ୍ତେ ତାଲିମ ପ୍ରଦାନ କରିବା,ଜିଲ୍ଲାର ଶ୍ରମ କାର୍ଯ୍ୟାଳୟରେ ଶ୍ରମିକମାନଙ୍କୁ ତୁରନ୍ତ ନ୍ୟାୟ ଦେବା ପାଇଁ ଆବଶ୍ୟକ ମୁତାବକ କର୍ମଚାରୀ ପଦବୀ ତୁରନ୍ତ ପୂରଣ କରିବା,ନିର୍ମାଣ ଶ୍ରମିକମାନଙ୍କ ସୁରକ୍ଷା ଓ ନିରାପତ୍ତା ନିମନ୍ତେ ଉଦ୍ଦିଷ୍ଟ ଯନ୍ତ୍ରପାତି,ସାଇକେଲ ଏବଂ ଅନ୍ୟାନ୍ୟ ଉପକାରଣ ଆଦି ପାଇଁ ବନ୍ଦ ଥିବା ସହାୟତା ଯୋଜନାକୁ ପୁନଶ୍ଚ କାର୍ଯ୍ୟକ୍ଷମ କରିବା ଅନ୍ତର୍ଭୁକ୍ତ ଥିଲା । ଏହି କାର୍ଯ୍ୟକ୍ରମକୁ ଏରା ପଡିଆମି, ରାଜେନ୍ଦ୍ର କବାସୀ, ଶୁଭଶ୍ରୀ ମାଡି, ଚମ୍ପା ଗଠନ, ମୁକୁନ୍ଦ ମାଡକାମି, ରାମ ବଡ଼ନାୟକ, ମଦନ ହନ୍ତାଳ, ସିନେସ ପେଲମାଲ, ଶୁକ୍ରା ଗୁରୁତେଲି, ଗୋବର୍ଦ୍ଧନ ପାଙ୍ଗି, ଜିତେନ୍ଦ୍ର ଖିଲ, ମୁକୁନ୍ଦ ମାଝୀ, ଅନିତା ପୁନେମ, ସନ୍ତୁ ମାଢି, ସୀତାରାମ ଦୁରୁଆ, ମୁକା ମାଡକାମୀ, ଆଇତା ମାଡକାମୀ, ନନ୍ଦ କୁମାର ଆଜମେର, ଦୀନବନ୍ଧୁ ମାଡି, ତ୍ରିନାଥ ବଡ଼ନାୟକ, ଅଞ୍ଜଳି ସୋଡି, ଶ୍ରୀନୁ ସାଲଗମ୍, ବିନାୟକ ଚନ୍ଦ୍ର ମାଡକାମୀ ପ୍ରମୁଖ ପରିଚାଳନା କରିଥିଲେ। ଆଗାମୀ ଦିନରେ ଶ୍ରମିକ ସଂଗଠନକୁ ମଜବୁତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ନିର୍ମାଣ ଶ୍ରମିକ ସଙ୍ଘର ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, ଜିଲ୍ଳା ଶ୍ରମଜୀବୀ ସଂଗଠନ ସଂଯୋଜକ ବଟ କୃଷ୍ଣ ସାହୁ ପ୍ରକାଶ କରିଛନ୍ତି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)