ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ ଜୟନ୍ତୀ ପାଳିତ ।

0 270

ମାଲକାନଗିରି, ୨୬/୦୪(ପିପିଟି) :ସ୍ଥାନୀୟ ପୂର୍ବତନ ବୋର୍ଡ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଏହି ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଓ ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଉପସ୍ଥିତ ରହି ମାଲ୍ୟାର୍ପଣ କରିଥିଲେ। ବିଦ୍ୟାଳୟ ଠାରେ ଆୟୋଜିତ ସ୍ମୃତିଚାରଣ ସଭାରେ ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କର ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଅବଦାନ ତଥା ଓଡ଼ିଆ ଭାଷା, ସଂସ୍କୃତି, ସାହିତ୍ୟ, ଶିକ୍ଷାର ବିକାଶରେ ନିଷ୍ଠାପର ଯୋଗଦାନ ରହିଥିଲା । ତାଙ୍କ ଜୀବନୀ ବିଷୟରେ ଛାତ୍ରଛାତ୍ରୀ ଜାଣିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ସେହିପରି ଉପ ଜିଲ୍ଲାପାଳ କହିଥିଲେ ଯେ ସେ ଥିଲେ ନବ ଉତ୍କଳ ନିର୍ମାଣ ର ବିନ୍ଧାଣୀ। ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ସେ ଅନେକ ସଂଘର୍ଷ କରିଥିଲେ। ସେ କଳା, ସାହିତ୍ୟ, ଉଚ୍ଚ ଶିକ୍ଷା, ଜଳସେଚନ, ନାରୀ ଶିକ୍ଷା ପାଇଁ କାମ କରିଥିଲେ। ଆହୁରି ମଧ୍ୟ କହିଥିଲେ ଯେ ସେ ଗୋଲ ଟେବୁଲ୍ ବୈଠକରେ ଯୋଗ ଦେଇ ଓଡ଼ିଶା ପ୍ରଦେଶ ଗଠନ ପାଇଁ ଦାବି ରଖିଥିଲେ। ଅଖଣ୍ଡ ଓଡ଼ିଶା ଅଖଣ୍ଡ ଭାରତ ଗଠନର ତାଙ୍କର ଯେଉଁ ସ୍ଵପ୍ନ ଥିଲା ତାକୁ ସାକାର କରିବା ପାଇଁ ସମସ୍ତେ ପ୍ରୟାସ କରିବା ଉଚିତ୍ ବୋଲି ଶ୍ରୀ ଭୋଇ କହିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମୀର ରଥ ସ୍ମୃତି ସଭାରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.